ଉଦୀୟମାନ ମହିଳା ଫୁଟବଲ ତାରକା ଆଶା ମୁଣ୍ଡାରୀ, ବରିଷ୍ଠ ଜାତୀୟ ପ୍ରତିଯୋଗିତା ପାଇଁ ରାଜ୍ୟ ଦଳରେ ସାମିଲ

ରାଉରକେଲା: ବାପା ଓ ମା’ ଉଭୟେ ଦିନ ମଜୁରିଆ। ସକାଳ ହେବା ମାତ୍ରେ କାମ ଅନ୍ବେଷଣରେ ବାହାରିଯାଉଥିଲେ। ତେବେ କିଛି ମାସ ହେଲା ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବାରୁ ସେ ଏବେ ଘରେ ବସି ରହୁଛନ୍ତି। ତେବେ ପରିବାର ଭରଣପୋଷଣ ପାଇଁ ମା’ ପର ଘରେ ମୂଳ ଲାଗି ରୋଜଗାର କରୁଛନ୍ତି। ଏତେସବୁ ପ୍ରତିକୂଳ ପରିସ୍ଥିତି କିନ୍ତୁ ତାଙ୍କୁ ରୋକିପାରିନି। ନିଷ୍ଠାପର ପରିଶ୍ରମ ଓ ଅଧ୍ୟବସାୟ ବଳରେ ଭଲିବଲ ଖେଳ ଜାରି ରଖିଛି। କନିଷ୍ଠ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରିବାପରଠାରୁ ଆଉ ପଛକୁ ଫେରିଚାହିଁନାହାନ୍ତି। ଜାତୀୟ ଉପକନିଷ୍ଠ, ଜାତୀୟ କନିଷ୍ଠ ପ୍ରତିଯୋଗିତାରେ ଲଗାତାର ଉତ୍କୃଷ୍ଟ ପ୍ରଦର୍ଶନ ବଳରେ ସେ ଏବେ ବରିଷ୍ଠ ଜାତୀୟ ପ୍ରତିଯୋଗିତା ପାଇଁ ରାଜ୍ୟ ଦଳରେ ସାମିଲ ହୋଇଛନ୍ତି। ଏହି ଉଦୀୟମାନ ଭଲିବଲ ତାରକା ହେଉଛନ୍ତି ରାଉରକେଲା ଗୋଲଘର ଗଞ୍ଜାମ ବସ୍ତିର ଆଶା ମୁଣ୍ଡାରୀ।

ଆଶାଙ୍କ ପରିବାର କହିଲେ ବାପା ଚନ୍ଦନ ମୁଣ୍ଡାରୀ, ମା’ ଶୁଖମଣୀ ମୁଣ୍ଡାରୀ ଓ ଦୁଇ ଛୋଟ ଭାଇ ଆଦିତ୍ୟ(୧୨) ଓ ନିଖୀଳ(୪)। ବାପା-ମା’ ଦିନ ମଜୁରିଆ ଥିବାରୁ ସବୁବେଳେ ଆର୍ଥିକ ସମସ୍ୟା ଲାଗିରହିଥିଲା। ଏହି କାରଣରୁ ସମସ୍ତଙ୍କୁ ଯାବତୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅପରପକ୍ଷରେ ପିଲାଟି ଦିନରୁ ଆଶା ଭଲିଭଲ ପ୍ରତି ଆକର୍ଷିତ ହୋଇଥିଲେ। କିନ୍ତୁ ଭଲିବଲ ପ୍ରାକ୍ଟିସ କରିବାକୁ ଭଲ ଜୋତା ହଳେ ବି ନ ଥିଲା। ପରିବାରବର୍ଗଙ୍କୁ ଆର୍ଥିକ ବୋଝ ନ ଲଦିବାକୁ ଆଶା ନିଜର ଆବଶ୍ୟକତାକୁ ବି ଲୁଚାଇ ରଖିଥିଲେ। ତେବେ ଭଲିବଲ ଖେଳିବାର ତାଙ୍କର ଇଚ୍ଛା କିନ୍ତୁ କମ୍‌ ହୋଇନଥିଲା। ଏଣୁ ୨୦୧୫ ମସିହାରେ ସେ ଜଣେ ସଂପର୍କୀୟ ବଡ଼ ଭଉଣୀଙ୍କ ସହ ଚନ୍ଦ୍ରଶେଖର କ୍ରୀଡ଼ା ସଙ୍ଗଠନ ସହ ଯୋଡ଼ିହୋଇଥିଲେ। ସେଠାରେ କୋଚ୍‌ ଦେବବ୍ରତ ଜେନାଙ୍କଠାରୁ ପ୍ରଶିକ୍ଷଣ ନେଇଥିଲେ। ନିଜର ଚିତ୍ତାକର୍ଷକ କ୍ରୀଡ଼ାକୌଶଳ ଯୋଗୁଁ ସେ ସ୍ବଳ୍ପ ସମୟ ଭିତରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଉକ୍ତ ବର୍ଷ ହିଁ ସେ ୨୩ତମ ଜାତୀୟ ମିନି ଚାମ୍ପିଅନସିପ୍‌ରେ ପଦାର୍ପଣ କରିଥିଲେ। ଏହା ପରଠାରୁ ଗୋଟିଏପରେ ଗୋଟିଏ ସଫଳତାର ଶିଢ଼ି ଚଢ଼ିଚାଲିଛନ୍ତି। ପରବର୍ତ୍ତୀ ସମୟରେ ସେ ୨୪ତମ ମିନି ଚାମ୍ପିଅନସିପ୍‌(୨୦୧୬), ରାଜ୍ୟସ୍ତରୀୟ ବିଦ୍ୟାଳୟ ବାଳିକା ଭଲିବଲ ପ୍ରତିଯୋଗିତା(୨୦୧୭), ଜାତୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା(୨୦୧୮), ଉପକନିଷ୍ଠ ଜାତୀୟ ଭଲିବଲ(୨୦୧୮), ୪୬ତମ ଜାନୀୟ କନିଷ୍ଠ ଭଲିବଲ ଚାମ୍ପିଅନସିପ୍‌(୨୦୨୦ ଓ ୨୦୨୧)ରେ ପ୍ରତିନିଧିତ୍ବ କରିଥିଲେ। ଏମିତିକି ସେ ୪୧ତମ ଜାତୀୟ ଉପକନିଷ୍ଠ ଭଲିବଲ ଚାମ୍ପିଅନସିପ୍‌(୨୦୧୯)ରେ ରାଜ୍ୟ ଦଳର ଅଧିନାୟିକା ଦାୟିତ୍ବ ତୁଲାଇଥିଲେ।

ଆଶା ସଂପ୍ରତି ସ୍ଥାନୀୟ ନୀଳଶୈଳ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ କଳା ଛାତ୍ରୀ। ଭବିଷ୍ୟତରେ ଭାରତୀୟ ଦଳରେ ସାମିଲ ହୋଇ ନିଜ ତଥା ଜିଲ୍ଲା ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଏନେଇ ‘ସମ୍ବାଦ’କୁ କହିଛନ୍ତି, ଜଣେ ସମ୍ପର୍କୀୟ ବଡ଼ ଭଉଣୀ ଭଲିବଲ ଖେଳିବା ଦେଖିବା ଦିନଠାରୁ ଏହି କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ସେବେଠାରୁ ଭଲିବଲ ଖେଳାଳି ହେବାକୁ ଅହରହ ଅଭ୍ୟାସ ଜାରି ରଖିଛି। ଆଗାମୀ ଦିନରେ ଭାରତୀୟ ଦଳରେ ସାମିଲହେବାର ଲକ୍ଷ୍ୟ ରହିଛି। ଏହି ସ୍ବପ୍ନ କରିବାକୁ ହେଲେ ଆହୁରି ଅଧିକରୁ ଅଧିକ ଶୃଙ୍ଖଳିତ ହୋଇ ନିଷ୍ଠାର ସହ ପରିଶ୍ରମ କରିବାକୁ ପଡ଼ିବ। ତେବେ ସ୍ବପ୍ନ ସାକାର କରିବାକୁ କୌଣସି ସାମାନ୍ୟ ସୁଯୋଗ ହାତଛଡ଼ା କରିବିନିବୋଲି କହିଛନ୍ତି।

ସମ୍ବନ୍ଧିତ ଖବର