ବରଗଡ଼: ବରଗଡ଼ର ନୂଆ ଏସ୍ପି ଭାବେ ପରମାର ସ୍ମିତ ପୁରୁଷୋତ୍ତମ ଦାଶ ଯୋଗ ଦେବେ। ଏନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇ ସାରିିଛି। ଏଠାରେ ଅବସ୍ଥାପିତ ଥିବା ଏସ୍ପି ରାହୁଲ ଜୈନଙ୍କୁ ଝାରସୁଗୁଡ଼ା ଏସ୍ପି ଭାବେ ବଦଳି ହୋଇଛି। ଶ୍ରୀ ଜୈନ ବରଗଡ଼ରେ ବର୍ଷେ ବି ଦାୟିତ୍ବରେ ରହି ପାରିଲେନି। ଜିଲ୍ଲାର ଭୁଗୋଳ ଏବଂ ଅପରାଧିକ କାର୍ଯ୍ୟକଳାପ ପୁଙ୍ଖାନୁପୁଙ୍ଖ ଭାବେ ଜାଣିବା ପୂର୍ବରୁ ହିଁ ତାଙ୍କ ବଦଳି ହୋଇଯାଇଛି। ଶ୍ରୀ ଜୈନଙ୍କ କାର୍ଯ୍ୟକାଳରେ ପୁଲିସ୍ ସେଭଳି ବଡ଼ଧରଣର କିଛି ଉପଲବ୍ଧି ହାସଲ କରିପାରିଲା ନାହିଁ। ବରଂ ବିଭିନ୍ନ କାରଣରୁ ପୁଲିସ୍ ଅପବାଦ ମୁଣ୍ଡାଇଲା। ବିଶେଷ କରି ବରଗଡ଼ ଟାଉନ୍ ଥାନା ହାଜତ ମୃତ୍ୟୁ ମାମଲାରେ ତାଙ୍କର ପଦକ୍ଷେପ ନୈରାଶ୍ୟଜନକ ରହିଥିଲା। ଅଭିଯୁକ୍ତ ପୁଲିସ୍ ଅଧିକାରୀଙ୍କ ବିରୋଧରେ ତାଙ୍କ ଅମଳରେ ମାମଲା ବି ରୁଜୁ ହେଲାନାହିଁ।
ଏହି ଘଟଣାଟି ଜାତୀୟ ମାନବାଧିକାର କମିସନ୍ଙ୍କ ପାଖରେ ପଡ଼ିଛି। ହେଲେ ହାଜତ ମୃତ୍ୟୁ ଘଟଣା ବର୍ତମାନ ଯାଏଁ ଏକ ପ୍ରହେଳିକା ହୋଇ ରହିଛି। ନୂଆ ଏସ୍ପି ଏହି ଘଟଣାକୁ କିଭଳି ଭାବେ ବିଚାର କରି ପଦକ୍ଷେପ େନବେ, ତାହା ଉପରେ ସଭିଙ୍କ ଆଖି ନିଶ୍ଚିତ ଭାବେ ରହିବ। ନୂଆ ଏସ୍ପି ଜିଲ୍ଲାର ଆଇନ୍ଶୃଙ୍ଖଳା ପରିସ୍ଥିତିକୁ କିଭଳି ନିୟନ୍ତ୍ରଣକୁ ଆଣିବେ, ତାହା ବି ଫୋକସ୍ରେ ରହିବ। ବିଦାୟୀ ଏସ୍ପିଙ୍କ ଅବଧିରେ ନିଶା କାରବାର ଏବଂ ସୀମାନ୍ତରେ ମାଫିଆରାଜ୍ ଉପରେ ଲଗାମ ଲାଗି ପାରିନଥିଲା। ଆନ୍ତଃରାଜ୍ୟ ମାଫିଆ ବେଧଡକ୍ ମଦଠାରୁ ଆରମ୍ଭ କରି ଅସ୍ତ୍ରଶସ୍ତ୍ର ଚାଲାଣ କରୁଥିଲେ ହେଁ କେହି ପୁଲିସ୍ ହାତରେ ଲାଗିନଥିଲେ। ସେହିପରି ସହରାଞ୍ଚଳରେ ଗୁଡ଼ାଏ ଲୁଟ୍ ଏବଂ ଅପରାଧିକ କାର୍ଯ୍ୟକଳାପ ରହିଛି।
ଏହି ନିତିଦିନିଆ ଅପରାଧ ନିୟନ୍ତ୍ରଣ ପାଇଁ ନୂଆ ଏସ୍ପି କେଉଁ ପଦକ୍ଷେପ ନେବେ, ତାହା ଦେଖିବାକୁ ବାକି ରହିଲା। ଇତିମଧ୍ୟରେ ପୁଣି ଥରେ ମାଓବାଦୀ ତାଙ୍କ ଉପସ୍ଥିତି ଜାହିର କରିଛନ୍ତି। ଗତ ୧୭ ତାରିଖ ଅମ୍ବାଭୋନା ବ୍ଲକ୍ ବିଚ୍ଛିନ୍ନାଞ୍ଚଳ ଇଲାକାରେ ମାଓବାଦୀ ବ୍ୟାନର୍ ମାରିଥିଲେ। ଚକ୍ରାମାଲରେ ମାଓବାଦୀଙ୍କ ଧମକପୂର୍ଣ୍ଣ ବ୍ୟାନର୍ରେ ରାସ୍ତା ନିର୍ମାଣରେ ହୋଇଥିବା ଦୁର୍ନୀତିକୁ ବିରୋଧ କରି ଲେଖା ରହିଥିଲା। ଏହି ବ୍ୟାନର୍ରେ କୌଣସି ମାଓ ସଂଗଠନର ନାମ ନଥିଲେ ହେଁ ସାଧାରଣରେ ଆତଙ୍କ ଖେଳି ଯାଇଛି। ଏହି ବ୍ୟାନର୍ ଅସଲି ନା ନକଲି, ତାହାର ରହସ୍ୟ ବି ପୁଲିସ୍ ଭେଦ କରିପାରିଲା ନାହିଁ। ଏହି ପ୍ରଶ୍ନର ଉତ୍ତର ଏବେ ସୁଦ୍ଧା ଅଛିଣ୍ଡା ହୋଇ ରହିଛି। ଜିଲ୍ଲାର ମାଓ ସମସ୍ୟା ମଧ୍ୟ ନୂଆ ଏସ୍ପିଙ୍କ ପାଇଁ ବଡ଼ ଚାଲେଞ୍ଜ। ସେହିପରି ଗତ ପଞ୍ଚାୟତ ନିର୍ବାଚନ ବେଳେ ପ୍ରତି ପର୍ଯ୍ୟାୟରେ କିଛି ନା କିଛି ନିର୍ବାଚନୀ ହିଂସା ଲାଗି ରହିଥିଲା। ଏଥିରୁ ପୁଲିସ୍ର ପାରିବାପଣିଆ ପଦାରେ ପଡ଼ିଥିଲା। ଗାଇସିଲାଟ୍ ପୁଲିସ୍କୁ ଲୋକେ ଅତର୍କିତ ଆକ୍ରମଣ କରିବା, ବୁଥ୍ରେ ଥାନାବାବୁ ନିରୀହଙ୍କୁ ପିଟିବା ଏବଂ ପ୍ରତିକ୍ରିୟାରେ ଥାନାବାବୁ ମାଡ଼ ଖାଇବା ଭଳି ଘଟଣା ଘଟିଛି। ପୁଲିସ୍ ଉପରେ ଜନତା କିଭଳି ଭରସା କାଏମ୍ ରଖିବେ, ତାହା ମଧ୍ୟ ନୂଆ ଏସ୍ପିଙ୍କ ପାଇଁ ଆହ୍ବାନଭରା ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/13-24.jpg)