ଜୁନ୍‌ ୬ରେ ନେଷ୍ଟ: ସକାଳ ୯ଟା ଓ ଅପରାହ୍ନ ୨ଟାରେ ହେବ ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା‌ ଓ ‌ଗବେଷଣା ପ୍ରତିଷ୍ଠାନ(ନାଇଜର) ସମେତ ମୁମ୍ବାଇ ବିଶ୍ବବିଦ୍ୟାଳୟ ଅଧୀନସ୍ଥ ଅଣୁଶକ୍ତି ବିଭାଗର ସେଣ୍ଟର ଫର୍‌ ଏକ୍ସଲେନ୍ସ ଇନ୍‌ ବେସିକ୍‌ ସାଇନ୍ସେସ୍‌(ସିଇବିଏସ୍‌)ର ସମନ୍ବିତ ଏମ୍‌.ଏସ୍‌ସି ପାଠ୍ୟକ୍ରମରେ ନାମଲେଖା ପାଇଁ ଜୁନ୍‌ ୬ରେ ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ(ନେଷ୍ଟ) ଅନୁଷ୍ଠିତ ହେବ। ଦୁଇଟି ସିଟିଂ ଯଥା ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ଓ ଅପରାହ୍ନ ୨ଟାରୁ ୫ଟା ୩୦ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ। ଦେଶର ୯୦ଟି ସହରରେ ଏହି ପରୀକ୍ଷା କରାଯିବ। ଜୁନ୍‌ ୧୬ରେ ପରୀକ୍ଷା ଫଳ ପ୍ରକାଶ ପାଇବ।

ନେଷ୍ଟ ପାଇଁ ଆସନ୍ତା ୭ ତାରିଖଠାରୁ ଏପ୍ରିଲ ୩ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ‘www.nestexam.in’ ୱେବସାଇଟ୍‌ ମାଧ୍ୟମରେ ଆବେଦନ କରିପାରିବେ। ନାଇଜରର ଜୀବ ବିଜ୍ଞ‌ାନ, ରସାୟନ ବିଜ୍ଞାନ, କମ୍ପ୍ୟୁଟର ସାଇନ୍ସ, ବିଶ୍ବ ଓ ଅନ୍ତରୀକ୍ଷ ବିଜ୍ଞାନ, ଗଣିତଶାସ୍ତ୍ର, ଶାରୀରିକ ବିଜ୍ଞାନ, ହ୍ୟୁମାନିଟିଜ୍‌ ଓ ସୋସିଆଲ ସାଇନ୍ସ ବିଭାଗରେ ନାମଲେଖା ହେବ। ୨୦୧୯ରେ ସର୍ବଭାରତୀୟସ୍ତରରେ ପାଖାପାଖି ୪୦ ହଜାର ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେଇଥିବାରୁ ଏହି ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର