ନିଷ୍ଟ ରେଜଲ୍ଟ ପ୍ରକାଶ : ସନ୍ୟମ ଦେଶରେ, ଆରୁଷି ଓଡ଼ିଶା ଟପର୍‌

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ନାଇଜର୍‌) ସମେତ ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଥିବା ୟୁଏମ୍‌-ଡିଏଇ ସିଇବିଏସ୍‌ରେ ନାମ ଲେଖା ପାଇଁ ଅନୁଷ୍ଠିତ ନାଇଜର ପ୍ରବେଶିକା ପରୀକ୍ଷା(ନେଷ୍ଟ) ପରୀକ୍ଷା ଫଳ ପ୍ରକାଶ ପାଇଛି। ୬୭ ହଜାର ୫୭୪ ଛାତ୍ରଛାତ୍ରୀ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଦେଇଥିବା ବେଳେ ୨୩୦୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୂର୍ବାହ୍ନ ୧୧ଟାରେ ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ‘www.nestexam.in’ ଓ୍ଵବସାଇଟ୍‌ ମାଧ୍ୟମରେ ସେମାନଙ୍କ ରେଜଲ୍ଟ ଜାଣିପାରିଥିଲେ।

ଦିଲ୍ଲୀର ସନ୍ୟମ ଆହୁଜା ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଓଡ଼ିଶାରୁ ଜଣେ ମାତ୍ର ପରୀକ୍ଷାର୍ଥୀ ଟପ୍‌ ଟେନ୍‌ରେ ରହିବା ସହ ଓଡ଼ିଶା ଟପର୍‌ ହୋଇଛନ୍ତି। ଭୁବନେଶ୍ୱରର ଆରୁଷି କୋଲାନ ୬ଷ୍ଠ ସ୍ଥାନରେ ରହିଥିବା ବେଳେ ସୋମନାଥ ଜେନା ୧୧ତମ ସ୍ଥାନ ହାସଲ କରିଛନ୍ତି। ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଶାର ୪୩ ଜଣ ରହିଥିବା ନେଇ ପ୍ରାରମ୍ଭିକ ସୂଚନା ମିଳିଛି।

ନାଇଜର୍‌ରେ ନାମଲେଖା ଗତ ଜୁନ୍‌ ୨ରେ ନେଷ୍ଟ-୨୦୧୮ ଦେଶର ୧୦୪ଟି ସହରର ୧୪୫ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। କୃତକାର୍ଯ୍ୟ ହୋଇଥିବା ୨୩୦୮ ଛାତ୍ରଛାତ୍ରୀ ନାଇଜର୍‌ ୨୦୦ ସିଟ୍‌ ସମେତ ମୁମ୍ବାଇର ସେଣ୍ଟର ଫର୍‌ ବେସିକ୍‌ ସାଇନ୍ସର ୬୦ଟି ସ୍ଥାନରେ ନାମ ଲେଖାଇବେ। ଏହାବ୍ୟତୀତ ଏହି ତାଲିକାରୁ କିଛି ଛାତ୍ରଛାତ୍ରୀ କଲିିକତାର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ମଧ୍ୟ ଯୋଗଦେବେ ବୋଲି ନାଇଜର୍‌ର କୁଳସଚିବ ଡ. ଅଭୟ କୁମାର ନାୟକ ସୂଚନା ଦେଇଛନ୍ତି। ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କାଉନ୍‌ସେଲିଂ ଜୁନ ୨୯ ତାରିଖରେ ଅନୁଷ୍ଠିତ ହେବ। ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ନାଇଜର ଡିନ୍‌. ପ୍ରଣୟ ସ୍ୱାଇଁ କହିଛନ୍ତି।

ସମ୍ବନ୍ଧିତ ଖବର