ଭୁବନେଶ୍ବର : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଆଜି ୱେବିନାର ମାଧ୍ୟମରେ ଦେଶର ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀ ଓ ସମାଜରେ କୋଭିଡ-୧୯ ସଂକ୍ରାନ୍ତ ସଚେତନତା ସୃଷ୍ଟି କରିବା ଲାଗି ଶିକ୍ଷକ ସମୁଦାୟ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ। ଏହି ୱେବିନାରରେ ବହୁ ସଂଖ୍ୟକ ଶିକ୍ଷକ ଯୋଗଦେଇ କେନ୍ଦ୍ରମନ୍ତ୍ରୀଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ଶିକ୍ଷକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୋଖରିୟାଲ କହିଛନ୍ତି ଯେ ଜାତୀୟ ଯୋଗ୍ୟତା ପରୀକ୍ଷା(ଏନଇଟି-୨୦୨୦) ତାରିଖ ଖୁବ୍‌ଶୀଘ୍ର ଘୋଷଣା କରାଯିବ। ଏଥିସହ ନବୋଦୟ ବିଦ୍ୟାଳୟ ନିଯୁକ୍ତି ପ୍ରକ୍ରିୟା ପୂରଣ କରିସାରିଥିବା ଶିକ୍ଷକଙ୍କୁ ଲକଡାଉନ ପରେ ନିଯୁକ୍ତି ପ୍ରଦାନ କରାଯିବ। ଶିକ୍ଷକମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ କେନ୍ଦ୍ରୀୟ ବିଦ୍ୟାଳୟରେ ୮ ହଜାର, ନବୋଦୟ ବିଦ୍ୟାଳୟରେ ପାଖାପାଖି ୨୫୦୦ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ବିଶ୍ବବିଦ୍ୟାଳୟଗୁଡ଼ିକରେ ୧୨ ହଜାରରୁ ଅଧିକ ଅଧ୍ୟାପକମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଅନ ଲାଇନ ଶିକ୍ଷାଦାନ ବ୍ୟବସ୍ଥା ବର୍ତ୍ତମାନ ପ୍ରାୟତଃ ଜାରି ରହିଛି ଏବଂ ଲକ୍ଷାଧିକ ଶିକ୍ଷକ ପ୍ରଶିକ୍ଷଣ ଲାଭ କରୁଛନ୍ତି।