ଜୁନ ୧୨ରେ ୨ୟ ଟି-୨୦: ଆଜି ଟିମ୍‌ ଇଣ୍ଡିଆର ଅଭ୍ୟାସ ସମୟରେ ବାରବାଟୀରେ ଭିଡ଼ ଲଗାଇଲେ କ୍ରିକେଟପ୍ରେମୀ

କଟକ: ଆସନ୍ତାକାଲି ବାରବାଟୀରେ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଲଢ଼େଇ। ଏହାପୂର୍ବରୁ ଆଜି ହିଁ ମୈଦାନରେ କସରତ କରିଛନ୍ତି ଉଭୟ ଭାରତୀୟ ଓ ଆଫ୍ରିକୀୟ ଖେଳାଳି। ଦ୍ୱିତୀୟ ଟି-୨୦ ମ୍ୟାଚ ପାଇଁ ଅଭ୍ୟାସ କରିଛନ୍ତି ପନ୍ତ ବାହିନୀ। ଅଭ୍ୟାସ ସମୟରେ ମଧ୍ୟ ଭାରତ ଦଳର ଖେଳାଳିଙ୍କୁ ଦେଖିବାକୁ ଷ୍ଟାଡିୟମରେ ପ୍ରଶଂସକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ବିଶେଷ ଭାବେ ଭାରତୀୟ ଟିମ୍‌ର ଖେଳାଳିମାନେ ନେଟ୍‌ରେ ଅଭ୍ୟାସ କରୁଥିଲା ବେଳେ ପ୍ରଶଂସକମାନେ ଉତ୍ସାହିତ ଦେଖାଯାଇଥିଲେ। ଟିମ୍‌ ଇଣ୍ଡିଆର ଅଧିନାୟକ ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖି ପ୍ରଶଂସକମାନେ ନିଜକୁ ବହୁତ ଖୁସି ଅନୁଭବ କରୁଥିଲେ। ଖେଳାଳିମାନଙ୍କ ଆଗରୁ ପ୍ରଶଂସକମାନେ ବାରବାଟୀ ପହଞ୍ଚି ସାରିଥିଲେ। ଷ୍ଟାଡିୟମ୍‌ର ୭ ନମ୍ବର ଗ୍ୟାଲେରି ପୂର୍ଣ୍ଣ ଥିଲା। ସତେ ଅବା ଲାଗୁଥିଲା ଆଜି ମ୍ୟାଚ ଖେଳାଯାଉଛି। ବାରବାଟୀର ଆଖପାଖ ଅଞ୍ଚଳ ଚଳଚଞ୍ଚଳ ଦେଖାଯାଉଥିଲା।

ସୂଚନା ଅନୁଯାୟୀ, ବାରବାଟୀରେ ଆସନ୍ତାକାଲି ହେବ ଟି-୨୦ ଦ୍ବିତୀୟ ମ୍ୟାଚ୍‌। ଏଥିପାଇଁ ଆଜି ବାରବାଟୀରେ ପହଞ୍ଚି ଖେଳାଳିମାନେ ନେଟ୍‌ ପ୍ରାକ୍ଟିସ କରିଛନ୍ତି। ପ୍ରଥ‌ମେ ଦକ୍ଷିଣ ଆଫ୍ରିକ ବାରବାଟୀରେ ପହଞ୍ଚି ଅଭ୍ୟାସ କରିଥିବାବେଳେ ଅପରାହ୍ନରେ ଭାରତ ଦଳ ପହଞ୍ଚି ଅଭ୍ୟାସ କରିଥିଲେ। ଭାରତ ଦଳର ଅଭ୍ୟାସ ବେଳେ ବାରବାଟୀ ଷ୍ଟାଡ଼ିୟମରେ ଦର୍ଶକ ଭର୍ତ୍ତି ହୋଇଥିବା ପରିଲକ୍ଷିତ ହୋଇଥିଲା। ଦର୍ଶକ ଗ୍ୟାଲେରିରେ ଭର୍ତ୍ତି ହୋଇଥିବା ବେଳେ ନିଜ ପ୍ରିୟ ଖେଳାଳିଙ୍କୁ ସାମ୍ନାରେ ଦେଖି ଉତ୍ସାହିତ ମଧ୍ୟ ହୋଇଥିଲେ।

 

ସମ୍ବନ୍ଧିତ ଖବର