ନେତାଜୀ ଓଡ଼ିଶାର ବୋଲି ଭୁଲିଗଲେ କେନ୍ଦ୍ର ସରକାର, ଜନ୍ମସ୍ଥାନ କଟକକୁ ବି ଉପେକ୍ଷା

କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ୧୨୫ ତମ ଜୟନ୍ତୀକୁ ବର୍ଷବ୍ୟାପୀ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ୮୫ଜଣିଆ ଏହି କମିଟିରେ ଦେଶର ବହୁ ପୂର୍ବତନ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ନେତାଙ୍କ ସମେତ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କୁ ରଖାଯାଇଛି। ହେଲେ, ବିଡ଼ମ୍ବନା ବିଷୟ ହେଲା, ଏହି କମିଟିରେ ପଶ୍ଚିମବଙ୍ଗର ୩୦ରୁ ଅଧିକ ସଦସ୍ୟ ଥିବାବେଳେ ଓଡ଼ିଶାରୁ ମାତ୍ର ୨ଜଣଙ୍କୁ ରଖାଯାଇଛି। ତା’ଛଡ଼ା, କମିଟିରେ କେନ୍ଦ୍ର ସରକାରଙ୍କ ୧୦ଜଣ ମନ୍ତ୍ରୀଙ୍କ ଭିତରେ ପଶ୍ଚିମବଙ୍ଗର ୨ଜଣକୁ ରଖାଯାଇଥିବା ବେଳେ ଓଡ଼ିଶାର ଦୁଇଜଣ କେନ୍ଦ୍ରମନ୍ତ୍ରୀଙ୍କ ଭିତରୁ କାହାରିକୁ ରଖାଯାଇ ନାହିଁ। ନେତାଜୀଙ୍କ ଘର, ଜନ୍ମ, ଶୈଶବ ଓ କିଶୋରାବସ୍ଥା ସହ ସ୍କୁଲ ଶିକ୍ଷା କଟକରେ ହୋଇଥିଲେ ବି ଉତ୍ସବର ପ୍ରମୁଖ ସ୍ଥାନ ଭାବେ କଲିକତା ଓ ମୁମ୍ବାଇକୁ ରଖାଯାଇଛି। ଓଡ଼ିଶାରୁ ଜାଣିଶୁଣି ନେତାଜୀଙ୍କ ସମ୍ପର୍କ ଦୂରେଇବା ଉଦ୍ଦେଶ୍ୟରେ ଏଭଳି ଏକ ଷଡ଼ଯନ୍ତ୍ର କରାଯାଇଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗଠିତ କମିଟିରେ କେନ୍ଦ୍ରର ଗୃହ, ରକ୍ଷା, ଅର୍ଥ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀଙ୍କ ସମେତ ଦୁଇ ବଙ୍ଗୀୟ ମନ୍ତ୍ରୀ ବାବୁଲ ସୁପ୍ରିୟୋ ଓ ଦେବଶ୍ରୀ ଚୌଧୁରୀଙ୍କୁ ରଖାଯାଇଛି। ଏଥି ସହିତ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନକର, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ସାଂସଦ ଅଧୀର ରଂଜନ ଚୌଧୁରୀ, ସୁଦୀପ ବନ୍ଦୋପାଧ୍ୟାୟ, ରୂପା ଗାଙ୍ଗୁଲି ପ୍ରମୁଖ ଅଛନ୍ତି। ପଶ୍ଚିମବଙ୍ଗର ବିଧାୟକ ଶୁଭେନ୍ଦୁ ଅଧିକାରୀ, ଐତିହାସିକ ପୂରବୀ ରୟ, ଲେଖକ ଅନିର୍ବାଣ ଗାଙ୍ଗୁଲି, କ୍ରିକେଟିୟର ସୌରଭ ଗାଙ୍ଗୁଲି, ଅଭିନେତା ମିଥୁନ୍‌ ଚକ୍ରବର୍ତ୍ତୀ ଓ ଅଭିନେତ୍ରୀ କାଜଲ୍‌ ବି ଏହି କମିଟିରେ ଅଛନ୍ତି। ହେ‌ଲେ, ଓଡ଼ିଶାରୁ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଟକ ସାଂସଦ ଭର୍ତ୍ତୃହରି ମହତାବ୍‌ଙ୍କୁ ରଖାଯାଇଛି। ନା’ ଅନ୍ୟ କେହି ନେତାଜୀପ୍ରେମୀ କମିଟିରେ ଅଛନ୍ତି, ନା’ ରାଜନେତା ଅଥବା ବୁଦ୍ଧିଜୀବୀ। କେବଳ ଯେ ଓଡ଼ିଶାର ନେତୃମଣ୍ଡଳୀଙ୍କୁ ଏଥିରେ ଅଣଦେଖା କରାଯାଇଛି ତା’ ନୁହେଁ, ନେତା‌ଜୀଙ୍କ ଜନ୍ମସ୍ଥାନ ତଥା ପ୍ରଥମ ୧୬ ଗୁରୁତ୍ବପୂର୍ଣ୍ଣ ବର୍ଷ କଟିଥିବା କଟକ ସହରକୁ ବି ଏଥିରେ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି।

TripAdvisor

କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସେଲ୍‌ ପକ୍ଷରୁ କରାଯାଇଥିବା ଗେଜେଟ୍‌ ନୋଟିଫିକେସନ୍‌ରେ ନେତାଜୀଙ୍କ ଜନ୍ମ ଉତ୍ସବ କଲିକତା ଓ ଦିଲ୍ଲୀ ସମେତ ଦେଶର ଅନ୍ୟ ସହରମାନଙ୍କରେ ପାଳନ କରାଯିବ ବୋଲି ଦର୍ଶାଯାଇଛି। ଏଥିରେ ସ୍ବତନ୍ତ୍ର ଭାବେ କଟକ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇ ନାହିଁ। ସୂଚନ‌ାଯୋଗ୍ୟ, ୧୮୯୭ ମସିହାରେ କଟକର ଓଡ଼ିଆବଜାରରେ ଜନ୍ମିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ବାପା ଜାନକୀନାଥ ବୋଷ୍‌ କଟକରେ ଓକିଲାତି କରୁଥିଲେ। ଓଡ଼ିଆବଜାରର ଜାନକୀନାଥ ଭବନ ଏବେ ବି ତାଙ୍କ ପରିବାରର ଛୋଟ-ବଡ଼ ଅନେକ ସ୍ମୃତିକୁ ବଖାଣୁଛି। ନେତାଜୀଙ୍କ ଶୈଶବଠାରୁ ଆରମ୍ଭ କରି ପ୍ରାଥମିକ ଶିକ୍ଷା ଓ ହାଇସ୍କୁଲ ଶିକ୍ଷା କଟକରେ ହୋଇଥିଲା। ‌ଏବେ ବି କଟକର ରେଭେନ୍‌ସା କଲିଜିଏଟ୍‌ ସ୍କୁଲ୍‌ ଓ ଷ୍ଟିୱାର୍ଟ ସ୍କୁଲ ନେତାଜୀଙ୍କ ସ୍ମୃତି ବହନ କରୁଛି। ରାଜ୍ୟ ସରକାର ମଧ୍ୟ ୨୦୦୮ ମସିହାରୁ ନେତାଜୀଙ୍କ ଜନ୍ମସ୍ଥାନକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ସହ ଏହାର ବିକାଶ ତଥା ପ୍ରଚାର-ପ୍ରସାର ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ପ୍ରତିବର୍ଷ ନେତାଜୀଙ୍କ ଜୟନ୍ତୀ ଉତ୍ସବକୁ କଟକରେ ଜାତୀୟ ଉତ୍ସବ ଭାବେ ପାଳନ କରାଯାଇ ଆସୁଅଛି। ହେଲେ, ୧୨୫ତମ ଜୟନ୍ତୀ ବର୍ଷ ପାଳନ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର କଟକକୁ ଗୁରୁତ୍ବ ଦେଇଥିବା ଦେଖାଯାଉ ନାହିଁ। ଏହା ପଛରେ କେଉଁ କାରଣ ରହିଛି ତାହା ଏଯାଏ ବୁଝା ପଡ଼ୁ ନାହିଁ।

ସମ୍ବନ୍ଧିତ ଖବର