ନେତାଜୀ ବସ୍ ଟର୍ମିନାଲ୍‌ : ବିଜେଡି ଭିତରେ ବିବାଦ

ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କଲେ; ଭର୍ତ୍ତୃହରି କହିଲେ କେମିତି ହେବ ଜାଣିନି
ସଚିବ ଗୁଗୁଲ୍ ମ୍ୟାପ୍ ଦେଖି ଜାଗା ଚିହ୍ନଟ କରିଥିବା ଶୁଣୁଛି

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପର ବାସ୍ତବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କରି ଦଳର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ। ତାଙ୍କର ନିର୍ବାଚନୀ କ୍ଷେତ୍ରରେ ହୋଇଥିବା ଏହି ପ୍ରକଳ୍ପ ସଂପର୍କରେ ସେ କିଛି ଜାଣିନାହାନ୍ତି। ଯାହା ଶୁଣୁଛନ୍ତି, ସେଥିରେ ଏହାର ବାସ୍ତବତାକୁ ନେଇ ଆଶଙ୍କା କରୁଛନ୍ତି ବୋଲି ଭର୍ତ୍ତୃହରିଙ୍କ ବକ୍ତବ୍ୟ ଏବେ ବିଜେଡି ରାଜନୀତିରେ ନିଆଁ ଲଗାଇବା ଭଳି ସ୍ଥିତି ସୃଷ୍ଟି କରିଛି। ଦଳର ବହୁ ବରିଷ୍ଠ ନେତା ଏହି ପ୍ରକଳ୍ପକୁ ସ୍ବାଗତ କରିବା ସହିତ ଭର୍ତ୍ତୃହରିଙ୍କ ଏଭଳି ବକ୍ତବ୍ୟକୁ ବିଶୃଙ୍ଖଳା ବୋଲି କହିବାକୁ ବି ପଛାଇ ନାହାନ୍ତି।

ନେତାଜୀ ଜୟନ୍ତୀରେ ଅର୍ଥାତ ଜାନୁଆରି ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଆସି ଖାନନଗରରେ ବହୁ ଜାକଜମ‌କରେ ଆୟୋଜିତ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ଏହାକୁ ନାମକରଣ କରାଯିବା ସହିତ ଯୋଜନା ସଂପର୍କରେ ଏହି ଅବସରରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା। ୧୨ ଏକର ଜମିରେ ୬୫ କୋଟି ଟଙ୍କା ବ୍ୟୟରେ ଏହି ବସ୍ ଟର୍ମିନାଲ ନିର୍ମାଣ ହେବ ଏବଂ ଦେଢ ବର୍ଷ ଭିତରେ ସରିବ ବୋଲି କୁହାଯାଇଥିଲା। କିନ୍ତୁ ଶିଳାନ୍ୟାସର ମାତ୍ର ୩ ଦିନ ପରେ ଏହାକୁ ନେଇ ବିବାଦ ଠିଆ ହୋଇଛି।

ସିଡିଏର ଅଶ୍ବିନୀ ଟ୍ରମା କେୟାର ସେଣ୍ଟରରେ ବ୍ଲଡ୍‌ବ୍ୟାଙ୍କ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଭର୍ତ୍ତୃହରି ଗଣମାଧ୍ୟମକୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ସଚିବ ଏହି ପ୍ରକଳ୍ପର ଯୋଜନା କରିଛନ୍ତି। ସେ ଏ ବିଷୟରେ କିଛି ଜାଣି ନାହାନ୍ତି। କିନ୍ତୁ ସେ ଯାହା ଶୁଣୁଛନ୍ତି, କୁଆଡେ ଗୁଗୁଲ୍ ମ୍ୟାପ୍ ଦେଖି ବସ୍ ଟର୍ମିନାଲ ପାଇଁ ଜାଗା ଚିହ୍ନଟ ହୋଇଛି। ସେଠାରେ କାଳୀ ମନ୍ଦିର, ସାଇ ମନ୍ଦିର ଅଛି। ପାଠାଗାର, ପାର୍କ, ଶ୍ମଶାନ ଓ ଏକ ସରକାରୀ ସ୍କୁଲ ଅଛି। ବର୍ତ୍ତମାନ ବାଦାମବାଡିକୁ ଦିନକୁ ପାଖାପାଖି ୧୨ଶହ ବସ୍ ଆସୁଥିବାବେଳେ ତାହା ସେଠାକୁ ଆସିବ କେମିତି? ପ୍ରେସ୍ ଛକରୁ ଖାନନଗର ପର୍ଯ୍ୟନ୍ତ ଯେଉଁ ରାସ୍ତା ସଂପ୍ରସାରଣ କଥା କୁହାଯାଉଛି, ସେହି ରାସ୍ତାରେ ଦୁଇଟି ରେଳ ପୋଲ ରହିଛି। ସେହି ପୋଲର ଖୁମ୍ବ ନିକଟରେ ରାସ୍ତା ସଂପ୍ରସାରଣ କେମିତି ହେବ? ବର୍ତ୍ତମାନ ରିଂ ବନ୍ଧ ପାର୍ଶ୍ବରେ ବି ରେଳବାଇର ଜମି ରହିଛି। ସେଠି ରାସ୍ତା କେମିତି ହେବ? ଆଗକୁ ରେଳଲାଇନକୁ ୩ ଅଥବା ୪ ଲେନ୍ ବି କରାଯାଇପାରେ। ଏସବୁ ଦୃଷ୍ଟିରୁ ବସ୍ ଷ୍ଟାଣ୍ଡ କେମିତି ହେବ ସେ ଯୋଜନା ସଂପର୍କରେ ସେ କିଛି ଜାଣି ନାହାନ୍ତି ବୋଲି ଭର୍ତ୍ତୃହରି କହିବା ସହିତ ଏ ସଂପର୍କରେ ଆଲୋଚନା କରି ନିଷ୍ପତ୍ତି ନେବାର ଥିଲା ବୋଲି ମତ ଦେଇଛନ୍ତି। ଜାନୁଆରି ୨୩ରେ ଭର୍ତ୍ତୃହରି ମୁଖ୍ୟମନ୍ତ୍ରୀଙ୍କ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ଉପସ୍ଥିତ ଥିଲେ ବି ଠିକ୍‌ ତା ପରେ ପରେ ଆୟୋଜିତ ବସ୍ ଟର୍ମିନାଲ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଆସି ନଥିଲେ।

ଭର୍ତ୍ତୃହରିଙ୍କ ଏଭଳି ମତାମତ ଉପରେ କିନ୍ତୁ କଡ଼ା ପ୍ରତିକ୍ରିୟା ରଖିଛନ୍ତି କଟକ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ। ଶ୍ରୀ ସାମନ୍ତରାୟ ସାଂସଦଙ୍କ ଏଭଳି ବୟାନକୁ ବିଶୃଙ୍ଖଳା ବୋଲି କହିଛନ୍ତି। ସାଂସଦ ଏଭଳି କହିବା ଠିକ ହୋଇନାହିଁ। ଏହା ନିଶ୍ଚିତ ଭାବେ ଦୁଃଖଦାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶକୁ ଆଗେଇ ନେଇଛନ୍ତି। ସେ ଯେଉଁଭଳି ଭାବେ ବିଭିନ୍ନ ପ୍ରକଳ୍ପକୁ ବାସ୍ତବ ରୂପ ଦେଇ ଆସିଛନ୍ତି, ସେଥିପାଇଁ ତ ସେ ଲଗାତାର ୫ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଗକୁ ୬ ଥର ବି ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ତାଙ୍କ ଦ୍ବାରା ଶିଳାନ୍ୟାସ ପ୍ରକଳ୍ପକୁ ଏଭଳି ବିରୋଧ କରିବା ଦୁଃଖଦାୟକ। ବିଜେଡି ପାଇଁ ସେ ସାଂସଦ ହୋଇଛନ୍ତି, ତାହା ଭୁଲିବା ଅନୁଚିତ ବୋଲି ଦେବାଶିଷ ଭର୍ତ୍ତୃହରିଙ୍କୁ କଟାକ୍ଷ କରି କହିଛନ୍ତି।

ଅନ୍ୟପଟେ ରାଜ୍ୟସଭା ସାଂସଦ ସୁବାସ ସିଂହ କହିଛନ୍ତି ଯେ ଏହା କଟକ ପାଇଁ ଅତ୍ୟନ୍ତ ଗୌରବର କଥା। ଏହି ପ୍ରକଳ୍ପ ପାଇଁ ଦେଢ ବର୍ଷ ପୂର୍ବରୁ ସର୍ଭେ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା, ପର୍ଯ୍ୟାଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି। ଏହା କଟକର ବିକାଶ ଦିଗରେ ତଥା କଟକକୁ ନୂଆ ରୂପ ଦେବାରେ ସହାୟକ ହେବ। ସେହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ‌ବିଧାୟକ ସୌଭିକ ବିଶ୍ବାଳ ବି ଏହି ପ୍ରକଳ୍ପକୁ ସବୁ ମହଲରେ ସ୍ବାଗତ କରାଯାଉଛି ବୋଲି କହିଥିଲେ। ଭର୍ତ୍ତୃହରିଙ୍କ ବକ୍ତବ୍ୟ ଆଉ ତାହାକୁ ଅନ୍ୟ ବରିଷ୍ଠ ନେତାଙ୍କ ଖୋଲା ବିରୋଧ ଆଗକୁ କଟକ ରାଜନୀତିରେ ବଡ ଧରଣର ହଟଚମଟ ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର