କଟକ: ନେତାଜୀ ବସ୍ ଟର୍ମିନାଲକୁ ବସ ପ୍ରବେଶ କରିବାକୁ ନେଇ ଧାର୍ଯ୍ୟ ହୋଇଥିବା ପ୍ରବେଶ ଦେୟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଘରୋଇ ବସ୍, ଓଏସଆରଟିସି ଓ ମୋ ବସ ପାଇଁ ତିନି ପ୍ରକାର ଦେୟ ଧାର୍ଯ୍ୟ ହୋଇଛି। ଏ ସଂକ୍ରାନ୍ତରେ ସିଡିଏ କର୍ତ୍ତୃପକ୍ଷ ଓଏସଆରଟିସି ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିକୁ କେନ୍ଦ୍ର କରି ଘରୋଇ ବସ୍ ମାଲିକ ସଂଘ ଗୁରୁବାର ସିଡିଏ କର୍ତ୍ତୃପକ୍ଷଙ୍କୁ ଭେଟି ଏହାକୁ ପ୍ରତ୍ୟାହାର ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଏଥିରେ ପରିବର୍ତ୍ତନ ନହେଲେ ନୂଆ ବସଷ୍ଟାଣ୍ଡରୁ ସମସ୍ତ ବସ୍ ଚଳାଚଳ ବନ୍ଦ କରିବାକୁ ମାଲିକ ସଂଘ ଚେତାବନୀ ଦେଇଛି।
ସୂଚନା ଅନୁଯାୟୀ, ବାଦାମବାଡ଼ି ବସଷ୍ଟାଣ୍ଡରେ ଓଏସଆରଟିସି ୨୪ ଘଣ୍ଟା ପାଇଁ ଘରୋଇ ବସ୍ ପିଛା ୧୫ ଟଙ୍କା ଲେଖାଏ ଦେୟ ଆଦାୟ କରାଯାଉଥିଲା। ଓଏସଆରଟିସିରୁ କୌଣସି ଦେୟ ଆଦାୟ କରାଯାଉନଥିଲା। ଏହି ଦେୟ ନିଜେ ଓଏସଆରଟିସି ଆଦାୟ କରୁଥିଲା। ପରବର୍ତ୍ତି ସମୟରେ ଟେଣ୍ଡର ମାଧ୍ୟମରେ ଏକ ଘରୋଇ ସଂସ୍ଥାକୁ ଏହି ଦାୟିତ୍ବ ଦିଆଯାଇଥିଲା। ବାଦାମବାଡ଼ି ଅଞ୍ଚଳର ଜଣେ ବ୍ୟକ୍ତି ଏହି ଦାୟିତ୍ବ ନେଇଥିଲେ। ପରେ ଓଏସଆରଟିସି ଏହି ଦାୟିତ୍ବ ନିଜ ହାତକୁ ନେଇଥିଲା। ଗଲା ରବିବାର ଯାଏ ଓଏସଆରଟିସି ବାଦାମବାଡ଼ି ବସଷ୍ଟାଣ୍ଡରୁ ଏହି ଦେୟ ଆଦାୟ କରୁଥିଲା।
ସିଡିଏ ପକ୍ଷରୁ ନେତାଜୀ ବସ୍ ଟର୍ମିନାଲରେ ପ୍ରବେଶ କରୁଥିବା ସମସ୍ତ ବସ୍ ପିଛା ୨୦୦ ଟଙ୍କା ଲେଖାଏ ପ୍ରବେଶ ଦେୟ ଆଦାୟ ସଂକ୍ରାନ୍ତରେ ଓଏସଆରଟିସିକୁ ଗଲା ୧୮ ତାରିଖରେ ଚିଠି(ନଂ ୧୦୫୮୫) ହୋଇଥିଲା। ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ଓଏସଆରଟିସିକୁ ଚିଠି ଲେଖାଯାଇଥିଲା। ଦ୍ବିତୀୟ ଥର ସିଡିଏ କର୍ତ୍ତୃପକ୍ଷ ଆଉ ଏକ ଚିଠି(ନଂ ୧୦୫୮୯) ଓଏସଆରଟିସିକୁ ଲେଖିଥିଲେ। ରାତି ୧୨ଟାରୁ ପରଦିନ ରାତି ୧୧ଟା ୫୯ ଯାଏ ପ୍ରବେଶ ଦେୟ ଲାଗୁ ହେବା ନେଇ ଏଥିରେ ଦର୍ଶାଯାଇଛି। ଘରୋଇ ବସ୍ ପାଇଁ ୨୦୦ ଟଙ୍କା, ଓଏସଆରଟିସି ବସ୍ ପାଇଁ ୨୦୦ ଟଙ୍କା, ମୋ ବସ୍ ପାଇଁ ୧୦୦ ଟଙ୍କା ଲେଖାଏ ପ୍ରବେଶ ଦେୟ ଲାଗୁ କରାଯାଇଥିବା ଏଥିରେ ଉଲ୍ଲେଖ ରହିଛି। ଆସନ୍ତା ୨୫ ତାରିଖରୁ ଏହାକୁ ଲାଗୁ କରିବାକୁ ଚିଠିରେ ଦର୍ଶାଯାଇଛି। ଏହି ଚିଠି ମିଳିବା ପରେ କଟକ ଘରୋଇ ବସ୍ ମାଲିକ ସଂଘ ଏହାକୁ ଦୃଢ଼ ବିରୋଧ କରିଛନ୍ତି।
କଟକ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଏକ ପ୍ରତିନିଧୀ ଦଳ ଏ ସମ୍ପର୍କରେ ସିଡିଏ କର୍ତ୍ତୃପକ୍ଷଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି। ସମାନ୍ତରାଳ ଭାବେ ଏଭଳି ପ୍ରବେଶ ଦେୟକୁ ଓଏସଆରଟିସି ଓ ମୋ ବସ୍ ବି ବିରୋଧ କରିଛି। ହଠାତ୍ ୧୫ ଟଙ୍କାରୁ ୨୦୦ ଟଙ୍କା ପ୍ରବେଶ ଦେୟ ବୃଦ୍ଧିକୁ ନେଇ ଘରୋଇ ବସ୍ ମାଲିକ ସଂଘ ପ୍ରତିକ୍ରିୟାଶୀଳ ହୋଇଛି। ୨୫ ତାରିଖରୁ ଦେୟ ଆଦାୟ ପାଇଁ ଚିଠି ଲେଖାଯାଇଥିବା ବେଳେ ବସ୍ ମାଲିକ ସଂଘ ଗାଡ଼ି ଚଳାଚଳ ବନ୍ଦ ପାଇଁ ଧମକ ଦେଇଛନ୍ତି। ତେବେ ପ୍ରଶାସନ ଏହା ଉପରେ ପୁନଃର୍ବିଚାର କରୁଛି କି ନାହିଁ, ତାହା ଉପରେ ବସ୍ ମାଲିକ ସଂଘର ନଜର ରହିଛି।