ନେତାଜୀ ବସ୍‌ ଟର୍ମିନାଲ କେବଳ ନିର୍ବାଚନ ଭେଳିକି : ବିଜେପି

କଟକର ଗୋପାଳପୁର-ବାଲିକୁଦାରେ ପ୍ରସ୍ତାବିତ ବସ ଟର୍ମିନାଲର ୧୩ ଏକର ଗଲା କୁଆଡେ?

ଭୁବନେଶ୍ୱର : ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀଙ୍କ ଫଳକ ଲଗା ରାଜନୀତି ଆରମ୍ଭ ହୁଏ । ବିଗତ ଅନେକ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅନେକ ଫଳକ ଲଗାଇ ଭୁଲିଯାଇଛନ୍ତି। ଶନିବାର ପବିତ୍ର ନେତାଜୀ ଜୟନ୍ତୀ ତଥା ପରାକ୍ରମ ଦିବସରେ ମୁଖ୍ୟମନ୍ତ୍ରୀ ପୁଣି ଏକ ଫଳକ ଲଗାଇ କଟକବାସୀଙ୍କୁ ଭ୍ରମିତ କରିଛନ୍ତି । ନେତାଜୀ ବସ ଟର୍ମିନାଲ କେବଳ ନିର୍ବାଚନ ଭେଳିକି ବୋଲି ବିଜେପିର କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ଅଭିଯୋଗ କରିଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରା କହିଛନ୍ତି ଯେ, ୧୦ ବର୍ଷ ପୂର୍ବେ କଟକରେ ନେତାଜୀ ଜୟନ୍ତୀ ଅବସରରେ ଖୋଦ୍ ମୁଖ୍ୟମନ୍ତ୍ରୀ ଐତିହାସିକ ପୁରୁଣା ଜେଲ୍‌ର ନୂଆ ରୂପର ଏକ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଜେଲ୍‌ର କିଛି ଅଂଶକୁ ମ୍ୟୁଜିୟମ କରିବା, ସ୍ୱାଧୀନତା ସଂଗ୍ରାମର ସ୍ମୃତି ସବୁକୁ ବ୍ୟାଖ୍ୟାନ କେନ୍ଦ୍ରରେ ସ୍ଥାନିତ କରିବା, ପାଇକ ବିଦ୍ରୋହ ଠାରୁ ଓଡ଼ିଶାର ଲମ୍ବା ବ୍ରିଟିସ୍‌ ବିରୋଧୀ ଲଢ଼େଇକୁ ଉଜ୍ଜୀବିତ କରିବାର ଅନେକ ସ୍ୱପ୍ନ କଟକିଆ ଓ ଓଡ଼ିଶାବାସୀଙ୍କୁ ଦେଖାଯାଇଥିଲା। ୧୦ ବର୍ଷ ପରେ ବି ଆଜି ସେହି ପୁରୁଣା ଜେଲ ବୁଲା ଗୋରୁ ଏବଂ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସେହିପରି ୨୦୧୩ ମସିହାରେ ୪୩ ଏକରରେ କଟକର ଗୋପାଳପୁର-ବାଲିକୁଦାରେ ପ୍ରସ୍ତାବିତ ବସ ଟର୍ମିନାଲ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ । ଏହି ଟର୍ମିନାଲ ନେଇ କଟକ ଜିଲ୍ଲାପାଳ ଆଜି ୩୦ ଏକର ଜାଗା ସମ୍ପର୍କରେ ସୂଚନା ଦେଲେ। ଏଠି ପ୍ରଶ୍ନ ଉଠୁଛି ବାକି ୧୩ ଏକର ଗଲା କୁଆଡ଼େ? ୧୩ ଏକର ସରକାରୀ ଜମି ହଡ଼ପ କରିଥିବା ଜବରଦଖଲକାରୀଙ୍କୁ ସୁରକ୍ଷା ଦେବା ପାଇଁ ଖାନ ନଗର ବସ ଟର୍ମିନାଲ ଭିତ୍ତିପ୍ରସ୍ତର କରାଯାଇନି ତ ? ବିଗତ ୭ ବର୍ଷ ତଳେ ଶୁଭ ଦିଆଯାଇ କାର୍ଯ୍ୟ ଆରମ୍ଭ ପରେ ଆଉ ଏକ ଛୋଟ ସ୍ଥାନକୁ ବସ ଟର୍ମିନାଲ ସ୍ଥାନନ୍ତର କରିବା ଓ ଆଜି ଭିତ୍ତିପ୍ରସ୍ତର କରିବା ପଛରେ ଭିତିରି ଉଦ୍ଦେଶ୍ୟ କଣ ରହିଛି? ପୂର୍ବରୁ ହୋଇଥିବା ବସ ଟର୍ମିନାଲର ଭବିଷ୍ୟତ ନେଇ ଏବେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

ଏହି ଦୁଇ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କଟକବାସୀଙ୍କ ଆଗରେ ସନ୍ତୋଷଜନକ ସ୍ପଷ୍ଟୀକରଣ ରଖନ୍ତୁ। ନଚେତ ଆଗାମୀ ଦିନରେ କଟକବାସୀ ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ବେହେରା ଚେତାବାନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ମଲ୍ଲିକ, ରାଜ୍ୟ ସମ୍ପାଦକ ତଥା କଟକ ଜିଲ୍ଲା ପ୍ରଭାରୀ ଅମର ନାୟକ ଏବଂ କଟକ ନଗର ସଭାପତି ଲଲାଟେନ୍ଦୁ ବଡ଼ୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର