କଟକ: ନେତାଜୀ ଜୟନ୍ତୀ ପାଇଁ ପୁଣି ଆରମ୍ଭ ହୋଇଛି ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ, ଜାନକୀନାଥ ଭବନର ସାଜସଜ୍ଜା। ଚଳିତ ବର୍ଷ ନୂଆକରି ସଂଗ୍ରହାଳୟର ସ୍ଥାୟୀ ଆଲୋକୀକରଣ (ଆର୍କିଟେକ୍‌ଚରାଲ୍‌ ଇଲୁମିନେସନ୍‌) କରାଯାଉଛି। ଦୁଇଟି ପର୍ଯ୍ୟାୟରେ ୧ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ସଂଗ୍ରହାଳୟର ସମ୍ମୁଖ ଭାଗର ଆଲୋକୀକରଣ କାମ ଶେଷ ହୋଇଥିବା ବେଳେ ଆସନ୍ତା ଦିନରେ ଏହାର ପଛ(ଓଡ଼ିଆ ବଜାର) ପାର୍ଶ୍ବର କାମ କରାଯିବ। ଅନ୍ୟପଟେ ସଂଗ୍ରହାଳୟ ନିକଟରେ ୮ବର୍ଷ ପୂର୍ବେ ୧ କୋଟି ୪୦ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ନେତାଜୀ ବ୍ୟାଖ୍ୟାନ କେନ୍ଦ୍ରର ମରାମତି କାମ ଶେଷ ହେଉ ନାହିଁ। ଆରମ୍ଭରୁ ବ୍ୟାଖ୍ୟାନ କେନ୍ଦ୍ରଟି ବ୍ୟବହାର ନହୋଇ ନଷ୍ଟ ହୋଇଯାଇଥିବା ବେଳେ ଏବେ ଏହାକୁ ୨ କୋଟି ଟଙ୍କାରେ ମରାମତି କରାଯାଉଛି। ୨ବର୍ଷ ଧରି ଏହାର ମରାମତି କାମ ଚାଲିଥିବା ବେଳେ ଏହା ଆଜି ସୁଦ୍ଧା ଶେଷ ହୋଇପାରିଲା ନାହିଁ। ୧ କୋଟି ୪୦ ଲକ୍ଷରେ ୮ବର୍ଷ ପୂର୍ବେ ଏହାକୁ ନିର୍ମାଣ କରାଯିବା ଓ ଏହାର ମରାମତି ପାଇଁ ୨ କୋଟି ଟଙ୍କା ବ୍ୟୟ ‌ହେବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

Advertisment

ଜାନୁଆରି ୨୩ରେ ନେତାଜୀ ଜୟନ୍ତୀ ପାଇଁ ଚଳିତ ବର୍ଷ ଜନ୍ମସ୍ଥାନ ସଂଗ୍ରହାଳୟର ସ୍ଥାୟୀ ଆଲୋକୀକରଣ ବା ଆର୍କିଟେକ୍‌ଚରାଲ୍‌ ଇଲୁମିନେସନ୍‌ କରାଯାଉଛି। ଏହା ଦ୍ବାରା ରାତି ସମୟରେ ସଂଗ୍ରହାଳୟ ଏକ ନୂଆ ରୂପରେ ଝଲସିବ। ୨ଟି ପର୍ଯ୍ୟାୟରେ ୧ କୋଟି ୧୮ ଲକ୍ଷ ଟଙ୍କାରେ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ଏହି କାମ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ସଂଗ୍ରହାଳୟର ସମ୍ମୁଖ ଭାଗକୁ ଆଲୋକୀକରଣ କରାଯାଇଛି। ରାତି ସମୟରେ ସଂଗ୍ରହାଳୟଟି ବିଭିନ୍ନ ରଙ୍ଗର ଆଲୋକରେ ଆଲୋକିତ ହେବ। ଏଭଳି ନୂଆ କଥା କରି ଦେଖାଇବା ପାଇଁ ଗୋଟିଏ ପଟେ ଯୋଜନା ଚାଲିଥିବା ବେଳେ କୋଟି କୋଟି ଟଙ୍କା ବ୍ୟୟରେ ପୂର୍ବରୁ ନିର୍ମିତ ପ୍ରକଳ୍ପର ଶୋଚନୀୟ ସ୍ଥିତି ନୂଆ ପ୍ରକଳ୍ପର ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।

ସଂଗ୍ରହାଳୟ ନିକଟରେ ୨୦୧୬ରେ ପର୍ଯ୍ୟଟନ ପ୍ରକଳ୍ପ ଯୋଜନାରେ ୧ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ଓଟିଡ଼ିିସି (ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ) ପକ୍ଷରୁ ନେତାଜୀ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ କରାଯାଇଥିଲା। ୧୫ଟି ରୁମ୍ ବିଶିଷ୍ଟ ବ୍ୟାଖ୍ୟାନ କେନ୍ଦ୍ରରେ ଏକ ଗମ୍ବୁଜ ଆକୃତିର ହଲ୍‌ ରହିଛି। ହଲ୍‌କୁ ସିଲିଂ କରାଯିବା ସହିତ ଏଥିରେ ୬ଟି ଏସି ଲଗାଯାଇଥିଲା। କିନ୍ତୁ ଆରମ୍ଭରୁ ଏହା ବ୍ୟବହାର ନହୋଇ ମାତ୍ର ଦୁଇ ବର୍ଷ ଭିତରେ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଭାଙ୍ଗିରୁଜି ଗଲା। ଓଟିଡିସି ପକ୍ଷରୁ ଏହାକୁ ପ୍ରଥମେ କଟକ ପୌର ନିଗମକୁ ହସ୍ତାନ୍ତର କରିବାକୁ ଯୋଜନା ହୋଇଥିଲା। ମାତ୍ର ପରେ ୨୦୧୮ ଜାନୁଆରିରେ ଏହାକୁ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଟ୍ରଷ୍ଟକୁ ହସ୍ତାନ୍ତର କରାଯାଇଥିଲା। ୧ କୋଟି ୪୦ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ବ୍ୟାଖ୍ୟାନ କେନ୍ଦ୍ରର ମରାମତି କାମ ୨ କୋଟି ଟଙ୍କା ବ୍ୟୟରେ ୨୦୨୨ରେ ଆରମ୍ଭ ହୋଇଥିଲା। ହେଲେ ୨ ବର୍ଷ ମଧ୍ୟରେ ଏହାର ମରାମତି କାମ ଶେଷ ହୋଇ ପାରିଲା ନାହିଁ। ନେତାଜୀ ସଂଗ୍ରହାଳୟକୁ ନୂଆ ରୂପ ଦେବା ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଭିନ୍ନ ଯୋଜନା ହାତକୁ ନିଆଯାଉ ଥିବା ବେଳେ ବିଭିନ୍ନ ପ୍ରକଳ୍ପର ଏଭଳି ସ୍ଥିତି ଉଦବେଗର କାରଣ ହୋଇଛି।