କଟକ : ଶନିବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପରିପ୍ରେକ୍ଷୀରେ ନେତାଜୀଙ୍କ ଜନ୍ମସ୍ଥାନ ଓଡିଆ ବଜାରସ୍ଥିତ ଜାନକୀନାଥ ଭବନରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

Advertisment

ସକାଳ ୮ଟାରେ ଧର୍ମେନ୍ଦ୍ରଙ୍କ କାର୍ଯ୍ୟକ୍ରମ ରହିଥିବା ବେଳେ ଦିନ ୧୧ଟାର ନବୀନଙ୍କ କାର୍ଯ୍ୟକ୍ରମ ରହିଛି । ନେତାଜୀଙ୍କ ଜନ୍ମସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ମୁଖ୍ୟମନ୍ତ୍ରୀ ନେତାଜୀଙ୍କ ନାମରେ ଖାନନଗରଠା‌ରେ ପ୍ରସ୍ତାବିତ ଅତ୍ୟାଧୁନିକ ବସ୍‌ଟର୍ମିନାଲର ଶିଳାନ୍ୟାସ କରିବେ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ରାଜ୍ୟ ପଂଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଖାନନଗରଠାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ଶ୍ରୀ ଜେନା କହିଛନ୍ତି ଯେ କଟକବାସୀଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି। କଟକ ମୁଖ୍ୟମନ୍ତ୍ରୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସେ ସବୁବେଳେ କଟକକୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆସିଛନ୍ତି। ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲ ପାଇଁ କଟକ ନୂଆ ରୂପ ପାଇବ। କେବଳ ବସ୍‌ଷ୍ଟାଣ୍ଡ ନୁହେଁ ଏଠାରେ ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି ସେ କହିଛନ୍ତି ।

କାର୍ଯ୍ୟକ୍ରମ ଅନୁଯାୟୀ ଭୁବନେଶ୍ବରରୁ ହେଲିକପ୍ଟରରେ ଆସି ମୁଖ୍ୟମନ୍ତ୍ରୀ ସନ୍‌ସାଇନ୍‌ ପଡିଆରେ ଓହ୍ଲାଇବା ପରେ ପ୍ରଥମେ ଓଡିଆବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନକୁ ଯିବେ। ସେଠାରେ ପତାକା ଉତ୍ତୋଳନ କରିବା ପରେ ଖାନନଗରଠାରେ ହେବାକୁ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବସ୍‌ଟର୍ମିନାଲର ଶିଳାନ୍ୟାସ କରିବେ। ବର୍ତ୍ତମାନ ସେଠାରେ ଥିବା ବିଶ୍ବନାଥ ପାଠାଗାର ସମ୍ମୁଖରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।