ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି

ଯୁବପିଢ଼ି ନେତାଜୀଙ୍କ ଭଳି ସାହସୀ ହୁଅନ୍ତୁ: ସୌମ୍ୟରଞ୍ଜନ

କଟକ: ଓଡ଼ିଶା ମାଟିରେ ଭୂମିଷ୍ଠ ହୋଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜଣେ ଅସାଧାରଣ ବ୍ୟକ୍ତିତ୍ୱ ଓ ପ୍ରତିଭାର ଅଧିକାରୀ ଥିଲେ। ତାଙ୍କ ଅଦମ୍ୟ ସାହସ, ଗଭୀର ଆତ୍ମବିଶ୍ୱାସ ଓ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ବିଶ୍ୱରେ ଅଦ୍ୱିତୀୟ ନେତୃତ୍ୱର ଅଧିକାରୀ କରିପାରିଥିଲା ବୋଲି ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ନେତାଜୀଙ୍କ ୧୨୧ତମ ଜୟନ୍ତୀ ଉତ୍ସବରେ କଟକ ଓଡ଼ିଆବଜାର ସ୍ଥିତ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରରେ ଥିବା ନେତାଜୀଙ୍କ ପ୍ରତିମୂର୍ତିରେ ଶ୍ରୀ ପଟ୍ଟନାୟକ ପୁଷ୍ପମାଲ୍ୟ ପ୍ରଦାନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ଆତ୍ମବିଶ୍ୱାସ ଅଭାବ ପାଇଁ ଓଡ଼ିଶାର ଯୁବପିଢ଼ି ନିଜ ଗୋଡ଼ରେ ଠିଆ ହେବା ବଦଳରେ ଗୋଡାଣିଆ ହୋଇ ରହୁଛନ୍ତି। ଓଡ଼ିଶାର ଯୁବପିଢ଼ି ନେତାଜୀଙ୍କ ଭଳି ସାହସୀ ହେବାକୁ ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଥିଲେ। ଏହି ଉତ୍ସବରେ ନେତାଜୀ ସଂଗ୍ରାହାଳୟ ମୁଖ୍ୟ ତତ୍ତ୍ୱାବଧାରକ ଜ୍ୟୋତି ପ୍ରକାଶ ଦାସ ଶ୍ରୀ ପଟ୍ଟନାୟକଙ୍କୁ ନେତାଜୀଙ୍କ ସଂପର୍କିତ ଦୁଇଟି ପୁସ୍ତକ ଉପହାର ସୂରୂପ ପ୍ରଦାନ କରିଥିଲେ। ‘ଆମ ଓଡ଼ିଶା’ର ସଂପାଦକ ସ୍ୱରାଜ ମିଶ୍ର ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ କଟକ ସଂସ୍କରଣ ଶାଖା ପରିଚାଳକ ସୁଶିିଲ କୁମାର ପ୍ରଧାନ, ପ୍ରସାର ପରିଚାଳକ ସୁଶାନ୍ତ କୁମାର ବିଶ୍ୱାଳ, ଜିଲ୍ଲା ପ୍ରତିନିଧି ସୀମନ୍ତକା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ଜନ୍ମଦିବସକୁ ଦେଶପ୍ରେମ ଦିବସ ପାଳନ ପାଇଁ ପ୍ରସ୍ତାବ

କଟକ: ଭାରତମାତାର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀକୁ ଦେଶପ୍ରେମ ଦିବସ ରୂପେ ପାଳନ ପାଇଁ ରାଜ୍ୟ ସରକାର କେନ୍ଦ୍ରଙ୍କୁ ପ୍ରସ୍ତାବ ଦେବେ। ଏଥିସହିତ ନେତାଜୀଙ୍କ କଟକସ୍ଥିତ ଜନ୍ମସ୍ଥାନର ଉନ୍ନତିକରଣ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହେବ ବୋଲି ନେତାଜୀଙ୍କ ୧୨୧ତମ ଜୟନ୍ତୀ ଅବସରରେ ଏପରି ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ଆଜି କଟକ ଓଡିଆବଜାରସ୍ଥିତ ନେତାଜୀ ସଦନରେ ଅନୁଷ୍ଠିତ ନେତାଜୀଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସଂଗ୍ରହାଳୟ ପରିଦର୍ଶନ କରିଥିଲେ।

ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ୩୫ ମିନିଟରେ ମୁଖ୍ୟମନ୍ତ୍ରୀ ଓଡିଆବଜାରସ୍ଥିତ ନେତାଜୀ ସଦନରେ ପହଞ୍ଚି ସେଠାରେ ସେ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରିସରରେ ଥିବା ନେତାଜୀଙ୍କ ଅବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ସଂଗ୍ରହାଳୟର ୯ ନଂ କୋଠରୀରେ ଥିବା ନେତାଜୀଙ୍କ ଜନ୍ମପ୍ରକୋଷ୍ଠ ପରିଦର୍ଶନ କରିଥିଲେ। ଏହାପରେ ସେ ଲଳିତକଳା ଏକାଡେମୀ ପକ୍ଷରୁ ଆୟୋଜିତ ନେତାଜୀଙ୍କ ସ୍ମୃତିରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏଠାରେ ନେତାଜୀଙ୍କ ଉପରେ ୧୩ଟି ଚିତ୍ରକଳା ସ୍ଥାନ ପାଇଥିବା ବେଳେ ଏହାକୁ ଆଙ୍କିଥିବା ରାଜ୍ୟର ବିଶିଷ୍ଟ ଚିତ୍ରଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ମତ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନେତାଜୀ ସୁଭାଷ ବୋଷ ଜଣେ ମହାନ ଦେଶ ଭକ୍ତ। ତାଙ୍କ ୍ମଜୟନ୍ତୀରେ ଯୋଗ ଦେଇ ସେ ଅତ୍ୟନ୍ତ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସୂଚନା ଓ ସଂସ୍କୃତିମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ କହିଲେ ଯେ ନେତାଜୀଙ୍କ ସଂଗ୍ରହାଳୟର ଉନ୍ନତି ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବେ। ସେହିପରି ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ଯୋଗଦେଇ ନେତାଜୀଙ୍କ ଜୟନ୍ତୀକୁ ଦେଶପ୍ରେମ ଦିବସ ରୂପେ ପାଳନ ପାଇଁ କେନ୍ଦ୍ରଙ୍କୁ ପ୍ରସ୍ତାବ ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବେ ବୋଲି କହିଥିଲେ। ଏଥିସହିତ ନେତାଜୀ ସଂଗ୍ରହାଳୟକୁ ଅଧିକ ଆକର୍ଷିତ କରିବା ପାଇଁ ସେଠାରେ ବୋଟିଂ ବ୍ୟବସ୍ଥା, ପାର୍କ ନିର୍ମାଣ ସହ ନେତାଜୀଙ୍କ ବ୍ୟବହୃତ ଜିନିଷକୁ ସଂଗ୍ରହ କରି ରଖାଯିବା ପାଇଁ ସ୍ୱତନ୍ତ୍ର କୋଠରି ନିର୍ମାଣ କରିବାକୁ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଶ୍ରୀ ସାମନ୍ତରାୟ କହିଥିଲେ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ପ୍ରଯୁକ୍ତି ଏବଂ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ମେୟର ଅନୀତା ବେହେରା, ଡେପୁଟୀ ମେୟର ଅଜୟ ବାରିକ, ନିର୍ମାଣ ଶ୍ରମିକ ନିଗମ ଅଧ୍ୟକ୍ଷ ସୁବାଷ ସିଂ, କର୍ପୋରେଟର ରମଜାନ ଖାଁ, ରଞ୍ଜନ ବିଶ୍ୱାଳ, ପ୍ରଳୟା ବେଉରା, ଜୟଦେବ ଜେନା, ବରିଷ୍ଠ ବିଜେଡି ନେତା ତଥା କଟକ ନଗର ବିଜେଡି ସଭାପତି ମଧୁସୂଦନ ସାହୁ, ପ୍ରଫୁଲ୍ଲ ସିଂ, ପ୍ରକାଶ ଦାସ, ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ ରାଜ୍ୟ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର, ଉପଜିଲ୍ଲାପାଳ ସୁକାନ୍ତ ମହାପାତ୍ର, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ରଘୁରାମ ଆୟାର, ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ, କଟକ ଡିସିପି ଅଖିଳେଶ୍ୱର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଲୋକସଭା ସାଂସଦ ଭର୍ତ୍ତୃହରି ମହାତାବ ଆଜି ମୁଖ୍ୟମନ୍ତ୍ରୀଙ୍କ ସଙ୍ଗରେ ନ ଆସି ପୃଥକ ଭାବେ ମାଲ୍ୟାର୍ପଣ କରିଥିଲେ, ଯାହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର