କଟକ ମାଟିର ପୁଅ ନେତାଜୀ ସୁଭାଷ ଚନ୍ଦ୍ର ବୋଷ

କେବଳ ଭାରତ ନୁହେଁ, ଜାପାନ, ଜର୍ମାନୀ, ବ୍ରିଟେନ ଭଳି ଅନେକ ଦେଶରେ ଦିନେ ଛାଇ ଯାଇଥିଲେ ସେହି ମହାନ ବ୍ୟକ୍ତିତ୍ବ। ନେତାଜୀ… ଗୋଟିଏ ଶବ୍ଦ ହିଁ ଥିଲା ସେହି ମହାନ ବ୍ୟକ୍ତିଙ୍କ ପରିଚୟ। ଗୋଟିଏ ସମୟରେ ସମଗ୍ର ବିଶ୍ବର ଶ୍ରଦ୍ଧା ଆଉ ସମ୍ମାନ ସାଉଁଟି ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ଓଡ଼ିଶା ଆଉ କଟକ ମାଟିର ପୁଅ। ଜୀବନର ପ୍ରଥମ ତଥା ଗୁରୁତ୍ବପୂର୍ଣ୍ଣ ୧୬ ବର୍ଷ ବିତାଇଥିଲେ ଏହି କଟକର ମାଟି, ପାଣି, ପବନରେ। ୧୮୯୭, ଜାନୁଆରି ୨୩ରେ କଟକ ଓଡ଼ିଆବଜାର ଜାନକୀନାଥ ଭବନରେ ଭୂମିଷ୍ଠ ସୁଭାଷଙ୍କ ଶୈଶବ ଓ କିଶୋର ଅବସ୍ଥାର ମୂକସାକ୍ଷୀ ଏହି ସହର। ଷ୍ଟିୱାର୍ଟ ସ୍କୁଲ (ପ୍ରୋଟେଷ୍ଟାଣ୍ଟ ୟୁରୋପିୟାନ୍ ସ୍କୁଲ), ରେଭେନ୍‌ସା କଲିଜିଏଟ୍ ସ୍କୁଲ ରହିଛି ନେତାଜୀଙ୍କ ମେଧା ଆଉ ପ୍ରତିଭାର ସାକ୍ଷୀ। ବଙ୍ଗାଳୀସାହି ରାମକୃଷ୍ଣ କୁଟୀର, ପୁରୀଘାଟ ରହାସବିହାରୀ ମଠ, ଓଡ଼ିଆବଜାର ସଚ୍ଚିଦାନନ୍ଦ ମଠ, ଯାଜପୁର ମହାମାରୀ ସମୟରେ ସେବା ନେତାଜୀଙ୍କ ସେବାପରାୟଣତା ଭଳି ଅନେକ ଘଟଣାର ସ୍ମୃତି ସଜାଡି ରଖିଛି କଟକ ଆଉ ଓଡ଼ିଶା ମାଟି। ୧୨୩ତମ ଜୟନ୍ତୀ ଅବସରରେ ନେତାଜୀଙ୍କୁ ଶତ ‌କୋଟି ପ୍ରଣାମ….।

ଷ୍ଟିୱାର୍ଟ ସ୍କୁଲରୁ ଶିଖିଥିଲେ ଶୃଙ୍ଖଳା
ସୁଭାଷ ବୋଷ ୧୯୦୨, ଜାନୁଆରି ୮ରେ ଷ୍ଟିୱାର୍ଟ ସ୍କୁଲରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିଲେ। ୧୯୦୮ ଡିସେମ୍ବରରେ ସେଠାରୁ ସପ୍ତମ ପାସ୍ କରିଥ‌ିଲେ। ଶୃଙ୍ଖଳା ଓ କଠିନ ଶ୍ରମ ଷ୍ଟିୱାର୍ଟ ସ୍କୁଲର ମୂଳମନ୍ତ୍ର ଥିଲା। ସୁଭାଷ ଉଭୟ ସ୍କୁଲକୁ ଓ ପାଠକୁ ଭଲ ପାଉଥିଲେ। ପାଠ ପ୍ରତି ସୁଭାଷଙ୍କ ଆଗ୍ରହ ଦେଖି ଶିକ୍ଷିକା ସାରା ଲରେନ୍‌ସ୍ ତାଙ୍କୁ ଖୁବ୍ ଭଲ ପାଉଥିଲେ। ନେତାଜୀ ଏଭଳି ଇଂରାଜୀ ପଢ଼ୁଥିଲେ ଓ କହୁଥିଲେ ଯେ, ସେ ଭାରତୀୟ ବୋଲି ଜଣା ପଡ଼ୁନଥିଲେ।

ସହିଦ ଖୁଦିରାମ ବୋଷଙ୍କ ଶ୍ରାଦ୍ଧବାର୍ଷିକୀରେ ଛାତ୍ର ସୁଭାଷ କରିଥିଲେ ଉପବାସ
୧୯୦୯ରୁ ୧୯୧୩ ପର୍ଯ୍ୟନ୍ତ ନେତାଜୀ ସୁଭାଷ ରେଭେନ୍‌ସା କଲିଜିଏଟ୍ ସ୍କୁଲରେ ପାଠ ପଢ଼ିବା ସହ ସେଠାରୁ ମାଟ୍ରିକ୍ ପାସ୍ କରିଥିଲେ। ଏହି ୪ବର୍ଷ ତାଙ୍କ ଜୀବନର ଗୁରୁତ୍ବପୂ୍ର୍ଣ୍ଣ ସମୟ ଥିଲା। ତତ୍କାଳୀନ ପ୍ରଧାନଶିକ୍ଷକ ବେଣୀମାଧବ ଦାସ ସୁଭାଷଙ୍କ ଦେଶପ୍ରେମର ଅନ୍ୟତମ ପ୍ରେରଣା ଥିଲେ। ସୁଭାଷ ମଧ୍ୟ ପ୍ରଧାନଶିକ୍ଷକଙ୍କୁ ନିଜ ଆଦର୍ଶ ଭାବେ ବାଛି ନେଇଥିଲେ। ଘର ଓଡ଼ିଆ ବଜାର ହୋଇଥିଲେ ମଧ୍ୟ ସୁଭାଷ ସ୍କୁଲର ହଷ୍ଟେଲ ରୁମ୍-୧୧ରେ ରହୁଥିଲେ। କୁହାଯାଏ ଯେ ବେଣୀମାଧବ ଓ ସୁଭାଷ ଉଭୟ ଉଭୟଙ୍କ ଦ୍ବାରା ପ୍ରଭାବିତ ହୋଇଥିଲେ। ମିସନାରୀ ସ୍କୁଲରୁ ଅଭ୍ୟାସ କରିଥିବା ଟାଏ ପରିତ୍ୟାଗ କରି ସୁଭାଷ ରେଭେନ୍‌ସା କଲିଜିଏଟରେ ଧୋତି-କୁର୍ତ୍ତା ପିନ୍ଧିବା ତାଙ୍କ ପରିବାର ବର୍ଗଙ୍କୁ ବି ଚକିତ କରିଥିଲା। ୧୯୧୦ , ଅଗଷ୍ଟ ୧୧ରେ ସହିଦ ଖୁଦିରାମଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ସୁଭାଷ ଉପବାସ ପାଳିବା ସହ ସାହପାଠୀଙ୍କୁ ଏହା କରିବାକୁ ପ୍ରବର୍ତ୍ତାଇଥିଲେ। ଏଥିରେ ପ୍ରଭାବିତ ହୋଇ ପ୍ରଧାନଶିକ୍ଷକ ବେଣୀମାଧବ ମଧ୍ୟ ଉପବାସ କରିଥିଲେ। ସୁଭାଷ ମଧ୍ୟ ପରବର୍ତ୍ତୀ ପ୍ରଧାନଶିକ୍ଷକ ନାରାୟଣ ପ୍ରସାଦ ମହାନ୍ତିଙ୍କ ଦ୍ବାରା ପ୍ରଭାବିତ ହୋଇଥିଲେ।

ନେତାଜୀ କକ୍ଷରେ ଏବେ କେବଳ ଫଟୋ
ରେଭେନ୍‌ସା କଲିଜିଏଟ୍ ସ୍କୁଲରେ ପଢ଼ିଲା ବେଳେ ନେତାଜୀ ହଷ୍ଟେଲର ରୁମ୍ ନଂ-୧୧ରେ ରହୁଥିଲେ। ସେଇଠି ତାଙ୍କ ଜୀବନର ମୋଡ ବଦଳି ଥିଲା। ଏହା ନେତାଜୀ କକ୍ଷ ଭାବେ ଜଣାଶୁଣା। ପରବର୍ତ୍ତି ସମୟରେ ପ୍ରତି ବ୍ୟାଚ୍‌ର ମେଧାବୀ ଛାତ୍ରଙ୍କୁ ଏହି ରୁମରେ ରହିବାର ସୁଯୋଗ ଦିଆଯାଉଥିଲା। ଏବେ ହଷ୍ଟେଲ ଅଛି, କକ୍ଷ ରହିଛି। କିନ୍ତୁ କେହି ପିଲା ରହୁ ନାହାନ୍ତି। କେବଳ ନେତାଜୀଙ୍କ ଫଟୋଚିତ୍ର ସେଠି ଶୋଭା ପାଉଛି।

ରାମକୃଷ୍ଣ କୁଟୀର, ରାହାସବିହାରୀ ମଠ, ମହାମାୟା ସ୍କୁଲ ସହ ଥିଲା ସଂପର୍କ
ରାମକୃ‌ଷ୍ଣ ସେବକ ସଂପ୍ରଦାୟ ଦ୍ବାରା ପ୍ରତିଷ୍ଠିତ ବଙ୍ଗାଳିସାହି ରାମକୃଷ୍ଣ କୁଟୀରରେ ସେ ସମୟରେ ଗରିବ ଛାତ୍ରମାନେ ରହି ପାଠ ପଢ଼ୁଥିଲେ। ରେଭେନ୍‌ସା କଲିଜିଏଟରେ ପଢ଼ିବା ବେଳେ ସୁଭାଷ ବୋଷ ନିଜ ‌ପକେଟ୍ ମନିରୁ କିଛି କିଛି ସଂଗ୍ରହ କରି ରାମକୃ‌ଷ୍ଣ କୁଟୀରକୁ ଅର୍ଥ ସହାୟତା କରୁଥିଲେ। ଖାଲି ସେତିକି ନୁହେଁ, ଆଧାତ୍ମିକତା ପାଇଁ ପୁରୀଘାଟ ରାହାସବିହାରୀ ମଠ, ବାଉଁଶଗଳି ସଚିଦାନନ୍ଦ ମଠକୁ ନିୟମିତ ବ୍ୟବଧାନରେ ଯାଉଥିଲେ ସୁଭାଷ।

ଓଡ଼ିଆ ବଜାରରେ ଆରମ୍ଭ କରିଥିଲେ ଦୁର୍ଗା ପୂଜା
୧୯୧୫ରେ ଆଇଏ ପାସ୍ କରି କୋଲ୍‌କାତାର ପ୍ରେସିଡେନ୍‌ସି କ‌ଲେଜରେ ବି.ଏ ପଢ଼ୁଥିବା ବେଳେ ଆନ୍ଦୋଳନ କରି କଲେଜରୁ ବହିଷ୍କୃତ ହୋଇଥିଲେ ନେତାଜୀ। ସେହି ସମୟରେ କଟକ ଆସି ଜନସେବାରେ ମନ ଦେଇଥି‌ଲେ। ସେହି ସମୟରେ ଓଡ଼ିଆ ବଜାରର କିଛି ଯୁବକଙ୍କୁ ଏଠାକି କରି ଜାନକୀନାଥ ଭବନରେ ଦୁର୍ଗା ପୂଜା ଆରମ୍ଭ କରିଥିଲେ। ୧୯୧୭ରେ ଉଚ୍ଚଶିକ୍ଷା ପାଇଁ ସେ ପୁଣି କୋଲକାତା ଯାଇଥିଲେ। ତାଙ୍କ ପରାମର୍ଶରେ ସାଙ୍ଗମାନେ ଦୁର୍ଗା ପୂଜା ପ୍ରତିବର୍ଷ ପରିଚାଳନା କରୁଥିଲେ। ପରେ ଏହି ପୂଜା ସାର୍ବଜନିକ ପୂଜା ଭାବେ ଏବେ ବି ପ୍ରତ୍ୟେକ ବର୍ଷ ଆୟୋଜନ ହେଉଛି।

ଜପମାଳୀ, ଗୀତା, କାଳୀଙ୍କ ଫଟୋ ରଖୁଥିଲେ ପାଖରେ
ସୁଭାଷ କ୍ରୀଡ଼ା ପ୍ରିୟ ନଥିଲେ। ପ୍ରକୃତି ପ୍ରତି ତାଙ୍କର ଥିଲା ସ୍ବତନ୍ତ୍ର ଆକର୍ଷଣ। ଅବସର ମିଳିଲେ, ବଗିଚା କାର୍ଯ୍ୟ କରିବା ଓ ମହାନଦୀ କୂଳରେ ବସି ପ୍ରକୃତିରୁ ଅଫୁରନ୍ତ ଆନନ୍ଦ ପାଉଥିଲେ ସେ। ଏପରିକି ମହାନଦୀର ଜଳ ଓ ଯୋବ୍ରାସ୍ଥିତ ମହାନଦୀ ରେଳପୋଲକୁ ସେ ଦୀର୍ଘ ସମୟ ବସି ଚାହିଁ ରହୁଥିଲେ। ଆଧ୍ୟାତ୍ମିକତା ପ୍ରତି ଦୁର୍ବଳତା ଥିଲା। ସ୍ବାମୀ ବିବେକାନନ୍ଦ, ରାମକୃ‌ଷ୍ଣ ପରମହଂସ, ସଚ୍ଚିଦାନନ୍ଦ ମଠର ଗୁରୁ ଭକ୍ତିବେଦାନ୍ତ ସ୍ବରସ୍ବତୀ ଗୋସ୍ବାମୀ ଠାକୁର, ରାହାସବିହାରୀ ମଠ ରାମଦାସ ବାବାଜୀଙ୍କ ଦ୍ବାରା ସେ ଅନୁପ୍ରାଣିତ ହୋଇଥିଲେ। କେଉଁ ଆଡେ ଗଲେ ହାତରେ ଜପମାଳି, ଗୀତା, କାଳୀଙ୍କ ଫଟୋଚିତ୍ର ଆଦି ନେଉଥିଲେ ସୁଭାଷ।

ଉତ୍କଳମଣିଙ୍କ ସହ ଘନିଷ୍ଠତା ଥିଲା
ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ନେତାଜୀଙ୍କ ଘନିଷ୍ଠ ସଂପର୍କ ଥିଲା। ବାହାରେ ଥିବା ବେଳେ ସେ କଟକ ବିଷୟରେ ଜାଣିବା ପାଇଁ ଗୋପବନ୍ଧୁଙ୍କୁ ଚିଠି ଲେଖୁଥିଲେ। ସେବା କରିବା ପାଇଁ ଉତ୍କଳମଣିଙ୍କ ପରାମର୍ଶ ନେଉଥିଲେ।

ଏଥର ନୂଆ
ଗ୍ୟାଲେରି ୧, ୨ ଓ ୩ର ୧୫ଲକ୍ଷ ଟଙ୍କା ବ୍ୟୟରେ ନବୀକରଣ କରାଯାଇଛି। ଏହାର କାନ୍ଥକୁ ସ୍ବତନ୍ତ୍ର ଭାବେ ସଜା ଯାଇ ଏଠାରେ ଫଟୋଗ୍ରାଫ୍ ଲଗାଯାଇଛି। ଏହା ଦ୍ବାରା ବିରଳ ଉପକରଣ ନଷ୍ଟ ହେବ ନାହିଁ। ଗ୍ୟାଲେରି ନଂ-୨ରେ ନେତାଜୀଙ୍କ ଜୀବନ ସହିତ ସଂପୃକ୍ତି ରାମକୃ‌ଷ୍ଣ କୁଟୀର, ମହାମାୟ ସ୍କୁଲ, ରାହାସବିହାର ମଠ, ସଚ୍ଚିଦାନନ୍ଦ ମଠର ବିରଳ ଫଟୋଗ୍ରାଫ୍ ସ୍ଥାନିତ କରାଯାଇଛି। ସଂଗ୍ରହାଳୟ ପରିସରର ପାଚେରିରେ ତାଙ୍କ ଜୀବନ ସଂପର୍କିତ ବିଭିନ୍ନ ଚିତ୍ର ସ୍ଥାନିତ କରାଯିବା ସହିତ ଆଲୋକ ବ୍ୟବସ୍ଥା ହୋଇଛି। ଏଥି ସହିତ ଜନ୍ମସ୍ଥାନ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏକ ମଞ୍ଚ ମଧ୍ୟ ନିର୍ମିତ ‌ହୋଇଛି। ‌ବଗିଚାକୁ ଭଲ ପାଉଥିବା ନେତାଜୀଙ୍କ ସମ୍ମାନାର୍ଥେ ଜନ୍ମସ୍ଥାନ ପରିସର ବଗିଚାକୁ ସୁନ୍ଦର ପୁଷ୍ପ ଓ ବୃକ୍ଷରାଜୀରେ ପୂର୍ଣ୍ଣ କରାଯାଇଛି। ମୁଖ୍ୟ ଫାଟକ (ଭିତର ପାର୍ଶ୍ବ)ରେ ଶିଳ୍ପୀ ଲକ୍ଷ୍ମୀଧର ରଣାଙ୍କ ଦ୍ବାରା ନେତାଜୀଙ୍କ ପ୍ରତିମୂର୍ତ୍ତି ସମେତ ‘ଜୟ ହିନ୍ଦ୍‌’ ଦ୍ବାରା ସଜାଯାଇଛି।

ସମ୍ବନ୍ଧିତ ଖବର

Comments are closed.