ନେତାଜୀ ଓଡ଼ିଶାର ନୁହନ୍ତି ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁଛି କେନ୍ଦ୍ର: କଂଗ୍ରେସ

ନେତାଜୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପ୍ରସଙ୍ଗ

ଭୁବନେଶ୍ବର : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳନ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ୮୫ ଜଣିଆ ଜାତୀୟ କମିଟି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଲକ୍ଷ୍ୟରେ ରଖି ଗଠନ କରାଯାଇଛି। ଏପରି କରି ନେତାଜୀ ଓଡ଼ିଶାର ନୁହଁନ୍ତି ବୋଲି ପ୍ରମାଣତି କରିବାକୁ କେନ୍ଦ୍ର ସରକାର ଚେଷ୍ଟା କରିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଏପରି ଅଭିଯୋଗ କରିଛି। ଏହି କମିଟିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟରୁ ମାତ୍ର ୩ ଜଣ ସଦସ୍ୟ ସ୍ଥାନ ପାଇଛନ୍ତି। କମିଟିରେ ସମନ୍ବୟ ରଖିବା ପାଇଁ ଆଉ କଣ କେହି ଯୋଗ୍ୟ ବ୍ୟକ୍ତି ନାହାନ୍ତି ବୋଲି ଦଳ ପ୍ରଶ୍ନ କରିଛି। ଏ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କୁ ଜଣାନ୍ତୁ ଓ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ କମିଟିରେ ସ୍ଥାନ ଦେବାକୁ କଂଗ୍ରେସ ଦାବି କରିଛି।

ଦଳୀୟ ନେତା ନିଶିକାନ୍ତ ମିଶ୍ର କହିଛନ୍ତି, ନେତାଜୀ ଓଡ଼ିଶା ମାଟିରେ କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ କଟକ ସାଂସଦ ଭର୍ତ୍ତୃହରି ମହତାବ ସ୍ବାଭାବିକ ଭାବେ କମିଟିରେ ସ୍ଥାନ ପାଇବେ। କମିଟିରେ ସମନ୍ବୟକାରୀ ଭୂମିକା ତୁଲାଇବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କୁ ସ୍ଥାନ ଦେଇଛନ୍ତି। ଏହି କମିଟିରେ ମଣିପୁର ରାଜ୍ୟପାଳ ନଜମା ହେପତୁଲ୍ଲାଙ୍କୁ ନିଆଗଲା ଅଥଚ ଓଡ଼ିଶାର ରାଜ୍ୟପାଳଙ୍କୁ ନିଆଗଲାନାହିଁ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ କମିଟିରେ ସ୍ଥାନ ମିଳିଥିବା ସ୍ଥଳେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଓ ଗିରିଧର ଗମାଙ୍ଗଙ୍କୁ ସାମିଲ କରାଯାଇନି। ଏଥିରୁ ଗୋଟିଏ କଥା ସଷ୍ଟ ହେଉଛି, ଚଳିତ ବର୍ଷ ପଶ୍ଚିମବଙ୍ଗରେ ନିର୍ବାଚନ ଥିବାରୁ ରାଜନୈତିକ ଉଦ୍ଦେଶ୍ୟ ରଖି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ କମିଟିରେ ସ୍ଥାନ ଦିଆଯାଇଛି।

ସେ ଆହୁରି ଅଭିଯୋଗ କରି କହିଛନ୍ତି, କମିଟିରେ ଦଶଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଥାନ ମିଳିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ପଶ୍ଚିମବଙ୍ଗର। ଓଡ଼ିଶାର ଦୁଇଜଣ କେନ୍ଦ୍ରମନ୍ତ୍ରୀଙ୍କୁ ବି ଏହି କମିଟିରେ ସ୍ଥାନ ମିଳିନି। କମିଟିରେ ସଦସ୍ୟ ଥିବା ୧୬ ଜଣ ସାଂସଦଙ୍କ ଭିତରୁ କେବଳ ପଶ୍ଚିମବଙ୍ଗର ୧୧ ଜଣ ଅଛନ୍ତି।

ନେତାଜୀଙ୍କ ଜନ୍ମସ୍ଥାନ କଟକ ସହର ହୋଇଥିବାରୁ ବାଧ୍ୟ ହୋଇ କେନ୍ଦ୍ର ସରକାର ସ୍ଥାନୀୟ ସାଂସଦ ଭର୍ତ୍ତୃହରି ମହତାବକୁ ସଦସ୍ୟ ଭାବେ ରଖିଛନ୍ତି। ସେହିପରି ପଶ୍ଚିମବଙ୍ଗର ଜଣେ ପୂର୍ବତନ ସାଂସଦଙ୍କୁ ସଦସ୍ୟ ଭାବେ ନିଆଯାଇଛି। ଓଡ଼ିଶାର କେହି ପୂର୍ବତନ ସାଂସଦଙ୍କୁ ସ୍ଥାନ ମିଳିଲାନି। ସେହିପରି ସେହି ରାଜ୍ୟର ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ସ୍ଥାନ ମିଳିଥିବାବେଳେ ଓଡ଼ିଶାର ୧୪୬ ବିଧାୟକଙ୍କ ଭିତରୁ କାହାରିକୁ ବିଚାରକୁ ନିଆଗଲାନାହିଁ। ଖାଲିସେତିକି ନୁହେଁ ନେତାଜୀଙ୍କ ପାଇଁ ଗଠିତ କମିଟିରେ ଯେତେଜଣ ଚଳିଚ୍ଚିତ୍ର ତାରକା, କ୍ରିକେଟ ତାରକା, ଫୁଟବଲ ତାରକା, ଐତିହାସିକ, ଗବେଷକ, ଶିକ୍ଷାବିତ୍ତ ଓ ବୁଦ୍ଧିଜୀବୀଙ୍କୁ ସଦସ୍ୟ ଭାବେ ନିଆଯାଇଛି, ସେମାନେ ସମସ୍ତେ ପଶ୍ଚିମବଙ୍ଗର। ଗୁଜୁରାଟ ସୁରତ ଜିଲ୍ଲାର ସରପଞ୍ଚଙ୍କୁ ସଦସ୍ୟ ଭାବେ ନିଆଯାଇଛି। ନେତାତୀଙ୍କ ପ୍ରତି ଏହି ବ୍ୟକ୍ତିଙ୍କର ଅବଦାନ କଣ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି।

କେନ୍ଦ୍ର ସରକାର ଏପରି କରି ଗୌରବମୟ ଇତିହାସକୁ କୁଠାରଘାତ କରିବା ସହିତ ଓଡ଼ିଶାର ରାଜନେତା, ବୁଦ୍ଧିଜୀବୀ ଏବଂ ବିଭିନ୍ନ ବର୍ଗରେ ପାରିଦର୍ଶିତା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ଅପମାନିତ କରିଛନ୍ତି। ଏ ନେଇ ତୁରନ୍ତ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଜଣାନ୍ତୁ ବୋଲି ସେ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର