କଟକ: ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ଅପରିଣାମଦର୍ଶୀ ତରବରିଆ ନିଷ୍ପତ୍ତିର ପରିଣାମ ଯେ କଣ ହୋଇପାରେ, ତାହା ଏବେ କଟକ ସହରରେ ଦେଖିବାକୁ ମିଳିଛି। ଯେଉଁ ଆଖି ଝଲସା ନିର୍ମାଣ କାର୍ଯ୍ୟର ଉଦ୍ଘାଟନକୁ ସବୁ ମହଲରେ ସ୍ବାଗତ କରାଯିବା କଥା, ତାହାକୁ ଆଜି ବିରୋଧ କରିବାକୁ ବିଭିନ୍ନ ସଂଘ, ନିଯୁକ୍ତି ଆଶାୟୀମାନେ ରାଜରାସ୍ତାକୁ ଓହ୍ଲାଇବା ଆରମ୍ଭ କରିଛନ୍ତି। ଏଭଳି ସ୍ଥିତି ସୃଷ୍ଟି ହୋଇଛି ୮୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ କଟକ ନେତାଜୀ ବସ୍ ଟର୍ମିନାଲ୍ (ସିଏନବିଟି)କୁ ନେଇ। ଘୋଷଣା ଅନୁଯାୟୀ ସେପ୍ଟେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ। କିନ୍ତୁ ବିନା ଭିତ୍ତିଭୂମି ପ୍ରସ୍ତୁତିରେ ସିଏନବିଟିରୁ ଯୋଜନା ଅନୁଯାୟୀ ବସ ଚଳାଚଳ ଦ୍ବାର ଯେଉଁ ବ୍ୟାପକ ଅବ୍ୟବସ୍ଥା ସୃଷ୍ଟି ହେବ ତାହାକୁ ନେଇ ସବୁ ମହଲରେ ଆଶଙ୍କା ପ୍ରକାଶ ପାଇଥିଲେ ବି ଅଧିକାରୀଙ୍କ ଜିଦ୍ ଆଗରେ ସମସ୍ତେ ମୁଣ୍ଡ ନୁଆଁଇ ରହିଛନ୍ତି।
ତାମିଲନାଡୁର ସଂସ୍ଥା ବସ୍ ଷ୍ଟାଣ୍ଡ ନିର୍ମାଣ କରିବା ପରେ ବସ୍ ଷ୍ଟାଣ୍ଡର ପରିଚାଳନା ଦାୟିତ୍ବ ନେଇଛି ମହାରାଷ୍ଟର ବିଭିଜି ନାମକ ସଂସ୍ଥା। କିନ୍ତୁ ଏଥିରେ କଟକ ସହରବାସୀଙ୍କୁ ନିଯୁକ୍ତି ସୁଯୋଗ ମିଳି ନଥିବାରୁ ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇ ବିରୋଧ କରିବା ସହିତ ନେତାଙ୍କୁ ଘେରିଛନ୍ତି। କିନ୍ତୁ ବିଧାୟକ, ମେୟରଙ୍କ ଠାରୁ ଆରମ୍ଭ କରି ଅନ୍ୟ ଲୋକପ୍ରତିନିଧି ଏଥିରେ କେବଳ ନିଜର ଅସହାୟତା ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ ବାଦାମବାଡି ବସଷ୍ଟାଣ୍ଡ (ଓଏସଆରଟିସି) ବ୍ୟବସାୟୀ ମହାସଂଘ ଆସନ୍ତାକାଲିଠାରୁ ପୁରୁଣା ବସଷ୍ଟାଣ୍ଡ ପରିସରରେ ଗଣଧାରଣା ଆରମ୍ଭ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛି। ସିଏନବିଟିରେ ବାଦାମବାଡି ପୁରୁଣା ବସଷ୍ଟାଣ୍ଡ, ଅନୁଗୁଳ, ପୁରୀ, ଭୁବନେଶ୍ବର, ପାରାଦୀପ ବସଷ୍ଟାଣ୍ଡକୁ ମିଶାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। କିନ୍ତୁ ଏହି ସବୁ ବସଷ୍ଟାଣ୍ଡରେ ବର୍ଷ ବର୍ଷ ଧରି ବ୍ୟବସାୟ କରି ଆସୁଥିବା ସାଧାରଣଲୋକଙ୍କୁ ସିଏନବିଟିରେ ଥଇଥାନ କରିବାକୁ ସରକାର ସଂପୂର୍ଣ୍ଣ ଭୁଲି ଯାଇଛନ୍ତି। ଶହଶହ ସାଧାରଣ ବ୍ୟବସାୟୀଙ୍କ ପେଟପାଟଣାରେ ଲାତ ମାରି ସିଏନବିଟିରେ କାହ ସ୍ବାର୍ଥ ପୂରଣ ହେବାକୁ ଯାଉଛି ବୋଲି ଆଜି ମହାସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି। ସିଏନବିଟି ଉଦଘାଟନ ପୂର୍ବରୁ ପ୍ରଥମେ ଏହି ବ୍ୟବସାୟୀଙ୍କୁ ଥଇଥାନ କରାଯାଉ ବୋଲି ମହାସଂଘର ଆବାହକ ମହମ୍ମଦ ସକିଲଙ୍କ ନେତୃତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି ରଖାଯାଇଛି। ମହାସଂଘର ସଭାପତି ଶ୍ରୀନିଧି ରାଉତ, କାର୍ଯ୍ୟକାରୀ ସଭାପତି ଧନଞ୍ଜୟ ତ୍ରିପାଠୀ, ଉପଦେଷ୍ଟା ପ୍ରମୋଦ ପାତ୍ର, ମାନସରଂଜନ ପଟ୍ଟନାୟକ, ରମାନାଥ ସ୍ବାଇଁ, କୃଷ୍ଣଚନ୍ଦ୍ର ପରିଡ଼ା, ସନ୍ତୋଷ ବାରିକ, ନିମାଇଁ ଚରଣ ବିଶ୍ବାଳଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଆଜି ଏଭଳି ଦାବି କରିବା ସହିତ ଆସନ୍ତାକାଲିଠାରୁ ଆନ୍ଦୋଳନ ଘୋଷଣା କରିଛନ୍ତି।
ଅସହାୟ ଖାନ୍ନଗର ପୂଜା କମିଟି କର୍ମକର୍ତ୍ତା ଦୌଡ଼ୁଛନ୍ତି ଅଫିସ୍ରୁ ଅଫିସ୍
ମୋଟର ଯାନ କର୍ମଚାରୀ ସଂଘ ବି ଚିନ୍ତାରେ; ଉଦ୍ଘାଟନ ପର ସ୍ଥିତିକୁ ଅପେକ୍ଷା
ଅନ୍ୟପଟେ କଟକ ମୋଟରଯାନ କର୍ମଚାରୀ ସଂଘ ସିଏନବିଟିରେ ହେବାକୁ ଯାଉଥିବା ଅବ୍ୟବସ୍ଥାକୁ ନେଇ ଆଶଙ୍କା ପ୍ରକାଶ କରି ପ୍ରଥମେ ଏହାର ସମାଧାନ କରିବାକୁ ଦାବି କରିଛି। କିନ୍ତୁ ଏଯାଏ ସେ ସବୁ ସମସ୍ୟାର ସମାଧାନ ହୋଇ ପାରି ନଥିବା ବେଳେ ସଂଘ ଉଦଘାଟନ ପର ସ୍ଥିତିକୁ ଅପେକ୍ଷା କରିଛି। ସମସ୍ୟା ସମାଧାନ ନ କରି ସିଏନବିଟିରେ ବସ୍ ଚଳାଚଳ କଲେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ସିଏନବିଟିରୁ ବସ୍ ଚଳାଚଳ ଦ୍ବାରା ସବୁଠୁ ଅଧିକ ପ୍ରଭାବିତ ହେବାକୁ ଯାଉଥିବା ଖାନନଗର ଅଞ୍ଚଳବାସୀଙ୍କ ପକ୍ଷରୁ ପୂଜା କମିଟିର କର୍ମକର୍ତ୍ତାମାନେ ଅସହାୟ ଅବସ୍ଥାରେ ଗୋଟିଏ ଅଫିସରୁ ଅନ୍ୟ ଅଫିସକୁ ଦୌଡ଼ୁଛନ୍ତି। ମେୟର, ଡିସିପି, ପୁଲିସ କମିସନରଙ୍କୁ ଭେଟି ସମସ୍ୟା ସମାଧାନର ବାଟ ଖୋଜୁଛନ୍ତି। କାଠଯୋଡ଼ି ରିଂ ବନ୍ଧ ରାସ୍ତା ସଂପ୍ରସାରଣ ନ କରି ବସ୍ ଚଳାଚଳ ପାଇଁ ଜିଦ୍ କରାଯାଉଛି। ଏଥିରେ ଖାନନଗର ବାସିନ୍ଦାଙ୍କ ପ୍ରତି ବିପଦ ବଢୁଛି।
ଅନ୍ୟପଟେ ମାସକ ପରେ କଟକର ଗଣପର୍ବ ଦଶହରା ଓ ପରେପରେ କାଳୀ ପୂଜା ହେବାକୁ ଯାଉଥିବା ବେଳେ କାଠଯୋଡ଼ି ରିଂ ବନ୍ଧରେ ବସ୍ ଚଳାଚଳ ଦ୍ବାରା ଅତ୍ୟନ୍ତ ଆକର୍ଷଣୀୟ ଢଙ୍ଗରେ ବର୍ଷ ବର୍ଷ ଧରି ପୂଜା ଆୟୋଜନ କରି ଆସୁଥିବା ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟିର ପୂଜା ଆୟୋଜନ ବି ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ଏସଂପର୍କରେ ପୂଜା କମିଟିର ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ସାହୁଙ୍କ କହିବା କଥା ହେଲା ଯେ ସେ ଅଧିକାରୀ ମାନଙ୍କୁ ଭେଟି ଦଶହରା ପୂଜା ଆୟୋଜନ ପୂର୍ବରୁ ୧୫ ଦିନ ଖାନନଗର କାଠଯୋଡ଼ି ରିଂ ବନ୍ଧ ଦେଇ ବସ୍ ଚଳାଚଳ ନ କରାଇବାକୁ ଅନୁରୋଧ କରିଛନ୍ତି। କିନ୍ତୁ ପୂଜା କମିଟି ତାର ପୂଜା ପ୍ରସ୍ତୁତି ଆରମ୍ଭ କରି ଦେଇଛି। କୌଣସି ଠୋସ୍ ପ୍ରତିଶ୍ରୁତି ମିଳି ନଥିଲେ ବି ପୁଲିସ ପ୍ରଶାସନ କଟକର ପରଂପରାକୁ ଦୃଷ୍ଟିରେ ରଖି ସହଯୋଗ କରିବ ବୋଲି ସେ ଆଶା ରଖିଛନ୍ତି। ଗୋଟିଏ ପଟେ ସୃଷ୍ଟି ହେବାକୁ ଯାଉଥିବା ଟ୍ରାଫିକ ସମସ୍ୟା, ଅନ୍ୟପଟେ ସାଧାରଣ ଲୋକଙ୍କ ନିଯୁକ୍ତି, ବ୍ୟବସାୟୀଙ୍କ ଗୁଜୁରାଣ ଓ ବସ୍ ମାଲିକ ଓ କର୍ମଚାରୀଙ୍କ ସମସ୍ୟାକୁ ସଂପୂର୍ଣ୍ଣ ଅଣଦେଖା କରି ସିଏନ୍ବିଟିକୁ ଉଦଘାଟନ କରାଇ ନେବାର ପ୍ରଶାସନିକ ଜିଦ୍କୁ ନେଇ ସବୁ ମହଲରେ ପ୍ରତିକ୍ରିୟା ବଢିବାରେ ଲାଗିଛି।