କେନ୍ଦୁଝର: ଝାଡ଼ଖଣ୍ଡର ଧାନବାଦରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଫୋର୍ଡ କାର୍। ଏହି କାର୍କୁ ଓଡ଼ିଶା ଫେରାଇ ଆଣିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ସରକାରୀ ଉଦାସୀନତାରୁ ଏହା ସମ୍ଭବ ହୋଇପାରି ନାହିଁ। ନେତାଜୀ ବ୍ୟବହାର କରୁଥିବା ଏହି କାର୍ ଫେରିଆସିଲେ ଏହା ସହ ଜଡ଼ିତ ଥିବା ଅନେକ ସ୍ମୃତି ଓଡ଼ିଶାବାସୀ ଜାଣିବାର ସୁଯୋଗ ପାଆନ୍ତେ।
ଭାରତ କୁକିଂ କୋଲ୍ ଲିମିଟେଡର ସ୍ବାଧୀନ ନିର୍ଦ୍ଦେଶକ ଥିବା ବରିଷ୍ଠ ବିଜେପି ନେତା ସତ୍ୟବ୍ରତ ପଣ୍ଡା ଧାନବାଦ କାର୍ଯ୍ୟାଳୟ ପରିସରରେ ଏକ ପରିତ୍ୟକ୍ତ କାର୍ ଦେଖିବାକୁ ପାଇଥିଲେ। ଏ ସଂପର୍କରେ ତଥ୍ୟ ସଂଗ୍ରହ କରିବାରୁ ତାହା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ କାର୍ ବୋଲି ସୂଚନା ମିଳିଲା। ତଥ୍ୟ ଅନୁସାରେ, ନେତାଜୀ ଫୋର୍ଡ କମ୍ପାନି ଦ୍ବାରା ନିର୍ମିତ ସୁପର ଡିଲକ୍ସ କାର୍ଟିକୁ ବ୍ୟବହାର କରୁଥିଲେ। ଯାହାର ରେଜିଷ୍ଟ୍ରେସନ ନମ୍ବର ଥିଲା ବିଆର୍ଆର୍-୩୨୦୧, ଇଞ୍ଜିନ ନମ୍ବର ଏସ୍ଡି-୧୦୮୪୫୯-ଏଫ୍ ଏବଂ ଚେଚିସ୍ ନମ୍ବର ଥିଲା ୨୬୧୭-ଏସ୍ଡିଏଏନ୍ଟି-ଏମ୍-୧୩୨୨୦। ଉକ୍ତ କାରର୍ ପ୍ରକୃତ ମାଲିକ ହେଉଛନ୍ତି ନେତାଜୀଙ୍କ ମାମୁ ଅଶୋକ ବୋଷ। ତାଙ୍କ ମାମୁ ସେ ସମୟରେ ସେଠାକାର ଏକ ସ୍ଥାନୀୟ କୋକ୍ ପ୍ଲାଣ୍ଟରେ କେମିକାଲ ଇଞ୍ଜିନିୟର ଭାବେ କାମ କରୁଥିଲେ। ନେତାଜୀ ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବାପରେ ୧୯୩୦ରୁ ୧୧ ବର୍ଷ ଧରି ଏହି କାର୍କୁ ବ୍ୟବହାର କରୁଥିଲେ। ଟାଟା ଶ୍ରମିକ ସଂଗଠନର ସଭାପତି ଦାୟିତ୍ୱ ତୁଲାଉଥିବା ନେତାଜୀ ଧାନବାଦକୁ ଅନେକ ସମୟରେ ସଂଗଠନ କାମରେ ଆସିବାବେଳେ ଏହି ଫୋର୍ଡ କାର୍କୁ ବ୍ୟବହାର କରୁଥିଲେ। ଏମିତିକି ଇଂରେଜଙ୍କ ଆଖିରେ ଧୂଳି ଦେଇ ସେ ଦେଶ ଛାଡ଼ିବା ସମୟରେ ମଧ୍ୟ ଏହି ଗାଡ଼ିକୁ ବ୍ୟବହାର କରିଥିଲେ ବୋଲି କୁହାଯାଉଛି।
ତେବେ,ଏହି କାର୍ ଅକାମୀ ହୋଇଯିବାରୁ ନେତାଜୀଙ୍କ ମାମୁ ତାହାକୁ ଏକ କବାଡ଼ିବାଲାକୁ ବିକ୍ରି କରିଦେଇଥିଲେ। ୨୦୧୪ ମସିହାରେ ଏହି କାର୍କୁ କୁକିଂ କୋଲ୍ ମୁଖ୍ୟ ଶ୍ରୀ ଲାହୋରୀ ଠାବ କରିଥିଲେ। ପୁଟ୍କି ବଲ୍ଲିହାରୀଠାରେ ଥିବା କବାଡ଼ିବାଲାଠାରୁ ସେ ଏହି କାର୍କୁ କିଣି ଆଣି କୋକ୍ ପ୍ଲାଣ୍ଟର ଅତିଥିଭବନରେ ରଖିଥିଲେ। ସେବେଠାରୁ ଖୋଲାଆକାଶ ତଳେ କାର୍ଟି ପଡ଼ିରହିଛି। ଏବେ ତାହା ନଷ୍ଟ ହେବାକୁ ବସିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏହି କାର୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡା ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରିଥିଲେ। ଏହି ଗାଡ଼ିକୁ ସଂଗ୍ରହାଳୟରେ ରଖାଗଲେ, ପରବର୍ତ୍ତୀ ପିଢ଼ି ଅନେକ କଥା ଜାଣିପାରିବେ। କିନ୍ତୁ ବାରମ୍ବାର ରାଜ୍ୟ ସରକାରଙ୍କୁ ଚିଠି ଲେଖିବା ସତ୍ତ୍ବେ କୌଣସି ଉତ୍ତର ମିଳୁନି ବୋଲି ଶ୍ରୀ ପଣ୍ଡା କହିଛନ୍ତି।