ପୁରୀ: ପୁନରୁଦ୍ଧାର ହେବ ନେତାଜୀ ସଂଗ୍ରହାଳୟ। ୧୦୭ ବର୍ଷ ତଳର ଏହି ଐତିହ୍ୟ କୋଠାର ସୌନ୍ଦର୍ଯ୍ୟୀକରଣ ପାଇଁ ସଂସ୍କୃତି ବିଭାଗର ବ୍ୟୟବରାଦକୁ ରାଜ୍ୟ ସରକାର ଅନୁମୋଦନ କରିବା ପରେ ପୂର୍ତ୍ତ ବିଭାଗ ବିଧିବଦ୍ଧ ଭାବେ କାମ ଆରମ୍ଭ କରିଛି। ନେତାଜୀ ସୁଭାଷ ବୋଷଙ୍କ ବାପା ଜାନକୀନାଥ ବୋଷ କଟକରେ ଓକିଲାତି କରୁଥିବା ବେଳେ ୧୯୧୬ ମସିହାରେ ପୁରୀ ଶାରଦା ଦେବୀ ରୋଡ୍ରେ ଲିଜ୍ ସୂତ୍ରରେ ୦.୪୩୪ ଏକର ଜମି ପାଇଥିଲେ। ଏଠାରେ ମଧ୍ୟ କଟକ ସଦୃଶ ଦୁଇମହଲା କୋଠା ନିର୍ମାଣ କରାଯାଇଥିଲା। ପୁରୀ ଆସିଲେ ଜାନକୀନାଥଙ୍କ ସମଗ୍ର ପରିବାର ଏହି କୋଠାରେ ଅବସ୍ଥାନ କରୁଥିଲେ। ୧୯୩୮ରେ ଜାନକୀନାଥଙ୍କ ମୃତ୍ୟୁ ପରେ ନେତାଜୀ ସୁଭାଷଙ୍କ ନାମରେ ୧୯୪୬ ମସିହାରେ ଏହାକୁ ଲିଜ୍ ଦିଆଯାଇଥିଲା। ନେତାଜୀ ପୁରୀ ଆସିଲେ ଏହି କୋଠାରେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ଫରୱାର୍ଡ ବ୍ଲକ୍ର ଗୁପ୍ତ ବୈଠକ କରାଉଥିଲେ। ତେବେ କାଳକ୍ରମେ ଏହା ବିଶାଳ କୋଠା ଭୂତକୋଠି ପାଲଟିଯାଇଥିଲା।
ରକ୍ଷଣାବେକ୍ଷଣ ଅଭାବରୁ କୋଠା ଭାଙ୍ଗିରୁଜି ଯିବା ସହ ଚାରିଆଡ଼େ ଗଛଲତା ମାଡ଼ି ଯାଇଥିଲା। ପରେ ଇଣ୍ଡିଆନ୍ ନ୍ୟାସନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ୍ କଲ୍ଚରାଲ୍ ହେରିଟେଜ୍ (ଇନ୍ଟାକ୍)କୁ ଏହାର ପୁନରୁଦ୍ଧାର ଦାୟିତ୍ବ ଦିଆଯାଇଥିଲା। ସେତେବେଳେ ୩.୯ କୋଟି ଟଙ୍କା ବ୍ୟୟରେ ଐତିହ୍ୟ କୋଠାକୁ ସଂଗ୍ରହାଳୟର ରୂପ ଦିଆଯିବା ସହ ଗ୍ୟାଲେରି ନିର୍ମାଣ ହୋଇଥିଲା। ଯେଉଁଥିରେ ନେତାଜୀଙ୍କ ବାଲ୍ୟ ଜୀବନରୁ ଆରମ୍ଭ କରି ଫରୱାର୍ଡ ବ୍ଲକ୍ର ବୈଠକ ଏବଂ ବହୁ ବିରଳ ଫଟୋଚିତ୍ର ଶୋଭା ପାଉଛି।
ନବୀକରଣ ପାଇଁ ୬ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର
ପୁରୀ ଆସିଲେ ଫରୱାର୍ଡ ବ୍ଲକ୍ର ବୈଠକ କରୁଥିଲେ ନେତାଜୀ
ପର୍ଯ୍ୟଟକଙ୍କ ପାଇଁ ଏବେ ସଂଗ୍ରହାଳୟ ପରିଦର୍ଶନ ବନ୍ଦ
ବିପଦସଂକୁଳ ଏହି କୋଠାର ମରାମତି ଓ ନବୀକରଣ ସହ କର୍ପସ୍ ଫାଣ୍ଠି ନିମନ୍ତେ ଜିଲ୍ଲା ସଂସ୍କୃତି ଦପ୍ତର ପକ୍ଷରୁ ୬କୋଟି ୭୪ଲକ୍ଷ ୭୭ ହଜାର ଟଙ୍କାର ଏକ ପ୍ରାକ୍ ଆକଳନ ରିପୋର୍ଟ ଦିଆଯାଇଥିଲା। ଏହି ଅର୍ଥର ଏକ ବଡ଼ ଅଂଶ କୋଠାର ମରାମତି ସହ ଉନ୍ନତୀକରଣ ପାଇଁ ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ବାକି ଅର୍ଥ ସଂଗ୍ରହାଳୟର ରକ୍ଷଣାବେକ୍ଷଣ ନିମନ୍ତେ ଏକ କର୍ପସ୍ ପାଣ୍ଠିରେ ରହିବ ବୋଲି ଯୋଜନା ଥିଲା। ସେଇ ଅନୁଯାୟୀ ଗତ ୫ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂଗ୍ରହାଳୟ ବନ୍ଦ ରହିଛି। ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ପର୍ଯ୍ୟଟକ ତଥା ସର୍ବସାଧାରଣଙ୍କ ପରିଦର୍ଶନ ବନ୍ଦ ରଖାଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା କହିଛନ୍ତି, ଏହା ଏକ ଐତିହ୍ୟ ସ୍ମାରକୀ। ମରାମତି ଆବଶ୍ୟକ କରୁଥିବାରୁ ଏହାକୁ ଗୁରୁତ୍ବ ଦିଆଯାଇ କାମ ଆରମ୍ଭ ହୋଇଛି। ଏହାବ୍ୟତୀତ ପରିସର ମଧ୍ୟରେ ଜଳଫୁଆରା ସମେତ ଆଲୋକ ବ୍ୟବସ୍ଥା ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ। ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଶୀଘ୍ର ସାରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି।