ସୁନ୍ଦରଗଡ଼: ଭତ୍ତା ହେଉ କି ପିଡିଏସ୍‌ ଚାଉଳ, ବାୟୋମେଟ୍ରିକ୍‌ ଉପସ୍ଥାନ ବ୍ୟବସ୍ଥାରେ ହିତାଧିକାରୀଙ୍କ ବୃଦ୍ଧାଙ୍ଗୁଳି ଓ ଆଖି ସ୍କାନ୍‌ କରାଯିବା ବାଧ୍ୟତାମୂଳକ। ଯୋଜନାର ସ୍ବଚ୍ଛତା ପାଇଁ ଏ ବ୍ୟବସ୍ଥା କରିଛନ୍ତି ସରକାର। କିନ୍ତୁ, ଏ ବ୍ୟବସ୍ଥା ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତରେ ଥିବା ବଡ଼ଗାଁ ବ୍ଲକ୍‌ ବାମଡେରା ପଞ୍ଚାୟତ ପାଇଁ ଦୁଃଖ ଆଣି ଦେଇଛି। କାରଣ ବାୟୋମେଟ୍ରିକ୍‌ ଉପସ୍ଥାନ ପାଇଁ ବୃଦ୍ଧ, ଭିନ୍ନକ୍ଷମ ସହ ସମସ୍ତ ହିତାଧିକାରୀଙ୍କୁ ପଞ୍ଚାୟତଠାରୁ ୪ କିଲୋମିଟର ଦୂର ଏକମା ପଞ୍ଚାୟତକୁ ଆସୁଛନ୍ତି। ଅନ୍‌ଲାଇନ୍‌ ଉପସ୍ଥାନ ପଡ଼ିବାପରେ ପୁଣି ୪ କିଲୋମିଟର ବାମଡେରା ପଞ୍ଚାୟତକୁ ଯାଇ ଚାଉଳ, ଭତ୍ତା ନେଉଛନ୍ତି। ବାମଡେରା ପଞ୍ଚାୟତରେ ନେଟ୍‌ୱର୍କ ନ ଥିବାରୁ ବହୁବର୍ଷ ହେଲା ଏ ଦଶା ଭୋଗି ଆସୁଛନ୍ତି ହିତାଧିକାରୀ।

Advertisment

ଝାଡ଼ଖଣ୍ଡ ସୀମାନ୍ତରେ ଥିବା ୫ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତରେ ବାମଡେରା ସହ ରାଜଛପଲା, ବାଦୁଲପାନି, ବନଶିକାର ଗାଁ ରହିଛି। କିନ୍ତୁ, ପଞ୍ଚାୟତରେ ମୋବାଇଲ୍‌ ଟାୱାର ନଥିବା ଏବଂ ଅଞ୍ଚଳରେ କୌଣସି ନେଟ୍‌ୱର୍କ ପହଞ୍ଚୁ ନଥିବାରୁ ହିତାଧିକାରୀଙ୍କଠାରୁ କାର୍ଯ୍ୟ ସମ୍ପାଦନ କରୁଥିବା କର୍ମଚାରୀ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। କେବଳ ଭତ୍ତା କି ପିଡିଏସ୍‌ ହିତାଧିକାରୀ ନୁହନ୍ତି, ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାର ଅନ୍‌ଲାଇନ୍‌ ବ୍ୟବସ୍ଥା ମଧ୍ୟ ନିଜ କାର୍ଯ୍ୟାଳୟରେ ସମ୍ପାଦନ ହୋଇପାରୁନାହିଁ। ପଞ୍ଚାୟତରେ ଥିବା ବିଦ୍ୟାଳୟ, ଅଙ୍ଗନବାଡ଼ି, ଡାକଘର, ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ ସମଦଶା ଭୋଗି ଆସୁଛନ୍ତି। ସବୁଠାରୁ ବଡ଼କଥା ହେଲା, ରାତିରେ କୌଣସି ବିପଦଆପଦ ଘଟିଲେ ପୁଲିସ କି ଆମ୍ବୁଲାନ୍ସ ଡାକିବାକୁ ଲୋକଙ୍କୁ ୨ କିଲୋମିଟର ଦୂ‌ରରେ ଥିବା ପାହାଡ଼ ଚଢ଼ିବାକୁ ପଡ଼ୁଛି। ଏ ଦୁର୍ଦ୍ଦଶାରେ ଅତିଷ୍ଠ ପଞ୍ଚାୟତ‌‌ବାସୀ ଶେଷକୁ ୨୦୨୪ ସାଧାରଣ ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ସୋମବାର ସରପଞ୍ଚ ଶ୍ୟାମସୁନ୍ଦର ଲାକ୍ରା, ସମିତିସଭ୍ୟ ଆନନ୍ଦମାସୀ ହାସା, ଜେରମ ମିଞ୍ଜ, ପରମାନନ୍ଦ ମହାକୁଡ଼ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ପଞ୍ଚାୟତ ମୁଖ୍ୟାଳୟରେ ନିର୍ବାଚନ ପୂର୍ବରୁ ମୋବାଇଲ୍‌ ଟାୱାର ପ୍ରତିଷ୍ଠା କରିବାକୁ ଦାବି କରିଥିଲେ।