ନିମୋକୋକାଲ ଟିକାର ଶୁଭାରମ୍ଭ, ଉପକୃତ ହେବେ ୮ଲକ୍ଷରୁ ଅଧିକ ଶିଶୁ

ପ୍ରତ୍ୟେକ ଶିଶୁଙ୍କୁ ଦିଆଯିବ ୩ଟି ଡୋଜ୍‌

ଭୁବନେଶ୍ବର : ଶିଶୁମାନଙ୍କୁ ନିମୋନିଆରୁ ସୁରକ୍ଷା ଦେବା ପାଇଁ ରାଜ୍ୟରେ ଆଜି ନିମୋକୋକାଲ କଞ୍ଜୁଗେଟ ଟିକା(ପିସିଭି)ର ଶୁଭାରମ୍ଭ କରାଯାଇଛି। ଏହାଦ୍ବାରା ରାଜ୍ୟରେ ୮ ଲକ୍ଷ ଶିଶୁ ଉପକୃତ ହୋଇପାରିବେ। ପ୍ରତ୍ୟେକ ଶିଶୁଙ୍କୁ ଏହି ଟିକାର ୩ଟି ଲେଖାଏଁ ଡୋଜ୍‌ ଦଆଯିବ।

ଷ୍ଟ୍ରୋପ୍ଟୋକେକସ ନିମୋନିଆ ନାମକ ଜୀବାଣୁ ଦ୍ବାରା ଜାତ ରୋଗ ସମୂହକୁ ନିମୋକୋକାଲ ରୋଗ କୁହାଯାଏ। ଏହି ଜୀବାଣୁ ଶରୀରର ବିଭିନ୍ନ ଅଂଶରେ ପ୍ରବେଶ କରି ଅନେକ ରୋଗ ସୃଷ୍ଟି କରିଥାଏ। ବିଶେଷକରି ୫ ବର୍ଷରୁ କମ ବୟସର ଶିଶୁମାନଙ୍କଠାରେ ନିମୋନିଆ ଦେଖାଦେବାର ଏହା ହେଉଛି ପ୍ରମୁଖ କାରଣ। ନିମୋନିଆ ହେଉଛି ଏକ ଉତ୍କଟ ଶ୍ବାସତନ୍ତ୍ର ଜନିତ ସଂକ୍ରମଣ ଓ ଏହାଦ୍ବାରା ଫୁସ୍‌ଫୁସ୍‌ରେ ପାଣି ଜମିବା ଭଳି ସମସ୍ୟା ଦେଖାଯାଇଥାଏ। ଜନ୍ମରୁ ୨୪ ମାସ ପର୍ଯ୍ୟନ୍ତ ଶିଶୁ ନିମୋକୋକାଲ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ। ଜନ୍ମରୁ ୬ ସପ୍ତାହ ମଧ୍ୟରେ ପ୍ରଥମ ଡୋଜ୍‌, ୧୪ ସପ୍ତାହରେ ଦ୍ବିତୀୟ ଓ ୯ ମାସରେ ବୁଷ୍ଟର ‌ଡୋଜ୍‌ ଦିଆଯିବ। ଯାହାଫଳରେ ଶିଶୁମାନଙ୍କୁ ନିମୋନିଆରୁ ରକ୍ଷା ମିଳିପାରିବ।

ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଥିଲେ ଶିଶୁ ମୃତ୍ୟୁହାର ରୋକିବା ଦିଗରେ ଟିକାକରଣ ଏକ ବଳିଷ୍ଠ ପଦକ୍ଷେପ। ନିମୟିତ ଟିକାକରଣ ଅଭିଯାନରେ ପିସିଭି ଟିକା ଦିଆଯିବ। ଏହାଫଳରେ ଶିଶୁମାନେ ନିମୋନିଆ ଓ ମେନିଙ୍ଗିଟସ୍‌ରୁ ରକ୍ଷା ପାଇପାରିବେ। ଚଳିତ ମହାମାରୀରେ ବି ରାଜ୍ୟରେ ନିୟମିତ ଟିକାକରଣ, ମାତୃ ଓ ଶିଶୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଥିଲେ। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ ମହାମାରୀ ସମୟରେ ରାଜ୍ୟରେ ୮୫ ପ୍ରତିଶତ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟିକାକରଣ ହୋଇପାରିଛି। ଶିଶୁଙ୍କ ପାଇଁ ଚାଲିଥିବା ନିୟମିତ ଟିକାକରଣ ଓ ପିସିଭି ଟିକା ସାମିଲ ହେବା ପରେ ରାଜ୍ୟ ଶିଶୁମାନଙ୍କୁ ୧୨ ପ୍ରକାର ରୋଗରୁ ସୁରକ୍ଷା ମିଳିପାରିବ। ଏଥିପାଇଁ କୋଲ୍ଡ ଚେନ୍‌ର ନିରୀକ୍ଷଣ ସହିତ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।

ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ କହିଥିଲେ, ରାଜ୍ୟରେ ଶୈଶବ ନିମୋନିଆ ପରିଚାଳନା କାର୍ଯ୍ୟକ୍ରମ (ଏସଏଏଏନଏସ) ଓ ନିମୋନିଆ ଓ ଡାଇରିଆ ନିରାକରଣ ଆକ୍ସନ ପ୍ଲାନ କାର୍ଯ୍ୟ କରୁଛି। ରାଜ୍ୟରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀମାନେ ପିସିଭି ଟିକା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି। ତେଣୁ ରାଜ୍ୟରେ ଏହି ଟିକାକରଣ ଠିକ ‌ଭାବେ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ ପାଣିଗ୍ରାହୀ, ୟୁନିସେଫ ଓଡ଼ିଶାର ମୁଖ୍ୟ ମୋନିକା ନିଲସେନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର