ମୟୂରଭଞ୍ଜ ଜିଲ୍ଲାରୁ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୨୦ କରୋନା ଆକ୍ରାନ୍ତ ଚିହ୍ନଟ

ପଞ୍ଚାୟତସ୍ତରରେ ହେବ କରୋନା ପରୀକ୍ଷା ବ୍ୟବସ୍ଥା
ଜିଲ୍ଲାରେ କମିଛି ଆକ୍ରାନ୍ତ ହାର, ସ୍ଥିତି ନିୟନ୍ତ୍ରଣାଧୀନ: ଜିଲ୍ଲାପାଳ
ଗତ ସପ୍ତାହରେ ୮ହଜାରରୁ ଊର୍ଧ୍ବ ନମୁନା ପରୀକ୍ଷା

ବାରିପଦା : ଆଜି ମୟୂରଭଞ୍ଜ ଜିଲ୍ଲାରୁ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଆଜିସୁଦ୍ଧା ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ। ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧୫୩କୁ ବୃଦ୍ଧି ପାଇଛି। ତେବେ ଏନେଇ କିଛି ଚିନ୍ତା କରିବାର କାରଣ ନାହିଁ ବୋଲି ଜିଲ୍ଲାପାଳ ବିନୀତ ଭରଦ୍ୱାଜ କହିଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଗତ ତିନି ଦିନର ସମଷ୍ଟି ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାରେ ପୂର୍ବାପେକ୍ଷା ପରୀକ୍ଷା ସଂଖ୍ୟା ପ୍ରାୟ ୧୦ଗୁଣା ବଢ଼ାଇ ଦିଆଯାଇଛି। ପ୍ରତି ଶହେ ନମୁନା ପରୀକ୍ଷାରେ ଜିଲ୍ଲାରେ ପଜିଟିଭ୍ ହାର ପ୍ରାୟ ଅଢ଼େଇ ପ୍ରତିଶତ ରହିଛି। ବର୍ତ୍ତମାନ ଦିନକୁ ପ୍ରାୟ ଅଢ଼େଇରୁ ୩ହଜାର ନମୁନା ପରୀକ୍ଷା କରାଯାଉଛି। ଚଳିତ ମାସ ୭ରୁ ୧୩ ମଧ୍ୟରେ (ଗୋଟିଏ ସପ୍ତାହରେ) ଜିଲ୍ଲାରୁ ୮ହଜାର ୧୮୧ ନମୁନା ପରୀକ୍ଷା କରାଯାଇଛି। ବର୍ତ୍ତମାନ ସମୟରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା ବ୍ୟବସ୍ଥା କରାଯାଇଛି। ଆଉ ଅଳ୍ପ କିଛିଦିନ ମଧ୍ୟରେ ପଞ୍ଚାୟତସ୍ତରରେ ହେବ କରୋନା ପରୀକ୍ଷା ବ୍ୟବସ୍ଥା। ପଞ୍ଚାୟତରେ ଥିବା କୋଭିଡ୍ କେୟାର୍ ହୋମ୍ ଗୁଡ଼ିକରେ ଏହି ସେବା ଉପଲବ୍ଧ କରାଯିବ। ସେହିପରି ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଯାଉଛି। ଏନେଇ ପ୍ରଶାସନ ଆରମ୍ଭରୁ ସତର୍କ ରହିଛି।

ଜିଲ୍ଲାରେ କରୋନା ରୋଗୀଙ୍କ ପାଇଁ ୧୪ଶହ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଯେଉଁମାନଙ୍କର ସାମାନ୍ୟ ଲକ୍ଷଣ ରହିଛି ସେମାନଙ୍କୁ ତୁରନ୍ତ ପରୀକ୍ଷା କରାଯାଉଛି। କିଛି ଲୋକଙ୍କୁ ହୋମ୍ ଆଇସୋଲେସନ୍ ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। ଯିଏ ବି ଲକ୍ଷଣ ଥାଉ କିମ୍ବା ନଥାଉ ନିଜର କରୋନା ପରୀକ୍ଷା କରିବାକୁ ଚାହିଁବେ ସେମାନେ ସ୍ଥାନୀୟ ସରପଞ୍ଚଙ୍କ ସହିତ ଯୋଗାଯୋଗ କରି ପରୀକ୍ଷା କରାଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ଭରଦ୍ବାଜ ପ୍ରକାଶ କରିଛନ୍ତି। ତେବେ ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବାରିପଦା ପୌରପରିଷଦରୁ ଜଣଙ୍କୁ ମିଶାଇ ଜିଲ୍ଲାରେ ୮ ଜଣ କୋଭିଡ୍ ଯୋଦ୍ଧା କରୋନା ସଂକ୍ରମିତ ହୋଇଛନ୍ତି । ଏଥି ସହିତ ଗତକାଲି ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୭୪୫ ରହିଥିବା ସମୟରେ ସକ୍ରିୟ ସଂଖ୍ୟା ୪୦୨ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର