ଭୁବନେଶ୍ୱରରୁ ପୁଣି ୨୫ କରୋନା ଆକ୍ରାନ୍ତ ଚିହ୍ନଟ; ୨୩ ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର: ସୋମବାର ଭୁବନେଶ୍ୱରରୁ ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୨୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩ଟି ସ୍ଥାନୀୟ ମାମଲା ରହିଥିବା ବେଳେ ୨ଜଣ ହୋମ କ୍ୱାରେଣ୍ଟିନ୍‌ରେ ଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୪ରେ ପହଞ୍ଚିଥିବା ବେଳେ ୧୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି।

୨୩ଟି ସ୍ଥାନୀୟ ମାମଲା ମଧ୍ୟରେ ମଞ୍ଚେଶ୍ୱର ପ୍ରତିଦିନ ଅଫିସ ଅଞ୍ଚଳରୁ ୫ଜଣ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ବୟସ ଯଥାକ୍ରମେ ୨୨ବର୍ଷ, ୨୬ବର୍ଷ, ୨୮ବର୍ଷ, ୪୫ବର୍ଷ ଓ ୨୩ବର୍ଷ ରହିଛି। ଏହି ୫ଜଣ ନିକଟରେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏଥିସହ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ମଞ୍ଚେଶ୍ୱର ହାଇସ୍କୁଲ ନିକଟସ୍ଥ ଚକେଇସିଆଣି ଅଞ୍ଚଳରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚକେଇସିଆଣି ହାଡବାଇ ବସ୍ତି ଅଞ୍ଚଳରୁ ମଧ୍ୟ ଦୁଇଟି କରୋନା ମାମଲା ସାମ୍ନାକୁ ଆସିଛି। ସେହିପରି ସାମନ୍ତରାପୁର ନୂଆଗାଁ ପେଟ୍ରୋଲ ପମ୍ପ ଅଞ୍ଚଳରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟିନ୍‌ ସେଣ୍ଟରର ସେବା ଯୋଗାଣକାରୀ ରହିଛନ୍ତି।

ଆଜି ପାର୍ସପୋର୍ଟ ଅଫିସ୍‌ ବାଲିତୋଟାସାହି ବସ୍ତି ଅଞ୍ଚଳରୁ ୪ଜଣ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଶିରିପୁର ଲକ୍ଷ୍ମୀବଜାର ବସ୍ତି ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଘରୋଇ ହସ୍‌ପିଟାଲ୍‌ର ଦୁଇଜଣ ମହିଳା କର୍ମଚାରୀଙ୍କ ଶରୀରରେ ବି କରୋନା ଭୂତାଣୁ ଚିହ୍ନଟ ହୋଇଛି।

ଏଥିସହିତ ଅଶୋକ ନଗର ଜନପଥ ଟାଓ୍ଵାର ଅଞ୍ଚଳରୁ ଜଣେ, ନୀଳାଦ୍ରିବିହାର ବୁଦ୍ଧ ପାର୍କ ଅଞ୍ଚଳରୁ ଜଣେ, ସରକାରୀ ହସ୍‌ପିଟାଲ୍‌ର ଜଣେ କର୍ମଚାରୀ, ଏମ୍‌-୩ ମାର୍କେଟ ନୟାପଲ୍ଲୀ ଅଞ୍ଚଳରୁ ଜଣେ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ମହିଳା ଆକ୍ରାନ୍ତ ଜଣକ ଏକ ଘରୋଇ ହସ୍‌ପିଟାଲ୍‌ର କର୍ମଚାରୀ ରହିଛନ୍ତି।

ହୋମ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ମହିଳା କରୋନା ଆକ୍ରାନ୍ତ ରହିଛନ୍ତି। ଏହି ଆକ୍ରାନ୍ତ ଜଣକ କିଛିଦିନ ତଳେ କୋଲକାତାରୁ ଫେରିଥିଲେ। ସେ ଏକ ଘରୋଇ ହସ୍‌ପିଟାଲ୍‌ର କର୍ମଚାରୀ ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ରେଳବାଇ କର୍ମଚାରୀ। ସେ କିଛିଦିନ ତଳେ ଦିଲ୍ଲୀରୁ ଫେରିଥିଲେ।

ଏହାରି ଭିତରେ ଆଶ୍ୱସ୍ତିର ଖବର ସାମ୍ନାକୁ ଆସିଛି। ରାଜଧାନୀର ଘରୋଇ ହସ୍‌ପିଟାଲ୍‌ରେ କାମ କରୁଥିବା ୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଣେ ପୁରୁଷ ରେଳକର୍ମଚାରୀ ବି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର