ରାଜ୍ୟରେ ଆଉ ୩୯୪ ପଜିଟିଭ୍, ସୀମାବର୍ତୀ ଜିଲ୍ଲାଗୁଡ଼ିକରେ ଶଯ୍ୟା ସଂଖ୍ୟା ବଢ଼ାଇବାକୁ ନିର୍ଦେଶ

ଭୁବନେଶ୍ବର : ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ଆରମ୍ଭ ହୋଇଛି। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ କରୋନା ଭୂତାଣୁର କୌଣସି ବିଦେଶୀ ଷ୍ଟ୍ରେନ୍‌ କିମ୍ବା ଦେଶର ଅନ୍ୟ ରାଜ୍ୟରେ ଦେଖିବାକୁ ମିଳିଥିବା ଭାରିଏଣ୍ଟ ଚିହ୍ନଟ ହୋଇ ନ ଥିଲେ ହେଁ ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୯୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନର ବ୍ୟବଧାନରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ବଢ଼ିଯାଇଛି। ୧୧ ଜିଲ୍ଲାରୁ ଦୁଇ ଅଙ୍କରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଧାରୁ ସର୍ବାଧିକ ୭୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କିଛିମାସର ବ୍ୟବଧାନ ପରେ ରାଜ୍ୟରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଛି। ଗତ କିଛିଦିନ ହେବ ଛତିଶଗଡ଼କୁ ଲାଗିଥିବା ଜିଲ୍ଲା ଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏବେ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ରାଜ୍ୟରେ ଗତ ୨୪ଘଣ୍ଟାରେ ୨୯,୨୬୦ କୋଭିଡ୍‌ ନମୁନା ପରୀକ୍ଷା ହୋଇଛି। ଏଥିରେ ଉଭୟ ଆର୍‌ଟି-ପିସିଆର ଓ ରାପିଡ ଆଣ୍ଟିଜେନ୍ ପରୀକ୍ଷା ରହିଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ରାଜ୍ୟର ଟିପିଆର ୧.୩୪ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ସପ୍ତାହରେ ରାଜ୍ୟର ଟିପିଆର ୧ ତଳେ ରହିଥିଲା। ଖୋର୍ଧାକୁ ବାଦ୍ ଦେଲେ କଳାହାଣ୍ଡି ୪୩, ନୂଆପଡ଼ା ୪୦, ବରଗଡ଼ ୩୪, ସୁନ୍ଦରଗଡ଼ ୩୧, କଟକ ୨୭ ଓ ଅନୁଗୁଳରୁ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୧ହଜାର ୩୧୧କୁ ବୃଦ୍ଧି ପାଇଛି।

ଅପରପକ୍ଷରେ ରାଜ୍ୟରେ ଆଜି ୧୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମାତ୍ର ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୧୨୫କୁ ବୃଦ୍ଧି ପାଇଛି। ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୦.୬୨ ପ୍ରତିଶତ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ତେବେ ୩ଲକ୍ଷ ୩୭ହଜାର ୨୧୨ଜଣ ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ମାତ୍ର ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସତ୍ବେ ମୃତ୍ୟୁ ସଂଖ୍ୟା ୧୯୨୧ରେ ସ୍ଥିର ରହିଛି। ଦୁଇଦିନ ତଳେ ଜଣେ ବ୍ୟକ୍ତି ରାଜ୍ୟରେ କରୋନାରେ ପ୍ରାଣ ହରାଇଥିଲେ।

କରୋନା ସଂକ୍ରମଣ ବଢ଼ୁଥିବା ନଜରରେ ରଖି ରାଜ୍ୟ ସରକାର ସୀମାବର୍ତୀ ଜିଲ୍ଲାଗୁଡ଼ିକରେ ଶଯ୍ୟା ସଂଖ୍ୟା ବଢ଼ାଇବା ଲାଗି ନିର୍ଦେଶ ଦେଇଛନ୍ତି। ଏସବୁ ଜିଲ୍ଲାରେ ସରକାରୀ କୋଭିଡ୍‌ ଚିକିତ୍ସା ବ୍ୟବସ୍ଥାରେ ସାଧାରଣ ଶଯ୍ୟା ସହିତ ଅକ୍ସିଜେନ୍‌ ବ୍ୟବସ୍ଥା ରଖିବା ଲାଗି କୁହାଯାଇଛି। ଏସ୍‌ସିବି ମେଡିକାଲ କଲେଜରେ ୨୫୦ଶଯ୍ୟା ସଂରକ୍ଷିତ ରଖାଯାଇଥିବା ବେଳେ ଭୁବନେଶ୍ବରରେ ଶଯ୍ୟା ସଂଖ୍ୟା ବୃଦ୍ଧି ନେଇ ଏ ଯାଏ କୌଣସି ନିଷ୍ପତ୍ତି ହୋଇନାହିଁ। ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ପରବର୍ତୀ ନିଷ୍ପତ୍ତି ନେବେ ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର