ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬ ଜଣ ସଂକ୍ରମିତଙ୍କ ପ୍ରାଣହାନି: କରୋନାଜନିତ ମୃତ୍ୟୁ ସଂଖ୍ୟା ୬୮୨୩କୁ ବୃଦ୍ଧି

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୬ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୮୨୩କୁ ବୃଦ୍ଧି ପାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ୬୬ ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୧୫ ଜଣ ଥିବା ବେଳେ ନୟାଗଡ଼ ଜିଲ୍ଲାରୁ ୧୨ ଜଣ ଅଛନ୍ତି।ଏହାଛଡ଼ା କେନ୍ଦ୍ରାପଡ଼ା ଜିଲ୍ଲାରୁ ୯ ଜଣ, ଅନୁଗୁଳ ଜିଲ୍ଲାରୁ ୫ ଜଣ ଓ ନବରଙ୍ଗପୁର ଜିଲ୍ଲାରୁ ୪ ଜଣ ମୃତକ ରହିଛନ୍ତି। ଏଣେ ଯାଜପୁର, ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।
ତେଣେ ବାଲେଶ୍ବର, ଜଗତସିଂହପୁର, ପୁରୀ, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରୁ ୨ ଜଣ ଲେଖାଏଁ ମୃତକ ରହିଛନ୍ତି। ଅପରପକ୍ଷରେ କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୫୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୭୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯, ୯୨, ୩୭୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯, ୭୪, ୭୫୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୦, ୮୦୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର