ଭୁବନେଶ୍ବର : ୨୦୨୧-୨୨ ଶିକ୍ଷାବର୍ଷରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସିଲାବସ୍‌ରେ କୌଣସି ପରିବର୍ତ୍ତନ ହେବ ନାହିଁ। ଯେଉଁ ସିଲାବସ୍‌ ପ୍ରଚଳିତ ରହିଛି, ସେହି ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯିବ। ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ପୂର୍ବ ସିଲାବସ୍‌ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ। ପାଠ୍ୟପୁସ୍ତକ ଏଥର ବଦଳିବ ନାହିଁ। ତେବେ କରୋନା ସଂକ୍ରମଣ ଲାଗି ୨୦୨୦-୨୧ ଶିକ୍ଷାବର୍ଷରେ ଯେଉଁ ୩୦% ପାଠ୍ୟକ୍ରମ କମାଯାଇଛି, ତାହାକୁ ପୁଣିଥରେ ସଂଯୋଗ କରାଯିବ କି ନାହିଁ; ସେନେଇ ନିଷ୍ପତ୍ତି ହୋଇନାହିଁ। ଏପ୍ରିଲରୁ ହିଁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ।

Advertisment

ପ୍ରତିଥର ପରି ୨୦୨୧-୨୨ ଶିକ୍ଷାବର୍ଷ ମଧ୍ୟ ଏପ୍ରିଲରୁ ଆରମ୍ଭ କରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରସ୍ତୁତି ଚଲାଇଛନ୍ତି। ଘନଘନ ବୈଠକ କରାଯାଇ ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ସବୁଠାରୁ ବଡ଼ ନିଷ୍ପତ୍ତି କ୍ରମେ, ୨୦୨୧-୨୨ ଶିକ୍ଷାବର୍ଷରେ ପାଠ୍ୟକ୍ରମରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ପାଠ୍ୟପୁସ୍ତକ ବି ବଦଳିବ ନାହିଁ। ଯେଉଁ ପାଠ୍ୟକ୍ରମ ପ୍ରଚଳିତ ରହିଛି, ତାହା ହିଁ ରହିବ। କିଛି ପରିବର୍ତନ ହେବନି। ନୂତନ ଶିକ୍ଷା ନୀତି ଆଧାରରେ ୨୦୨୧-୨୨ ଶିକ୍ଷାବର୍ଷରୁ ନୂତନ ସିଲାବସ୍‌ ପ୍ରସ୍ତୁତ କରିବା ସହ ତାହାକୁ ଲାଗୁ କରିବାକୁ ଏନ୍‌ସିଇଆରଟି (ନ୍ୟାସନାଲ କାଉନସିଲ୍‌ ଅଫ୍‌ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ) ଯୋଜନା ପ୍ରସ୍ତୁତ କରିଥିଲା। ତେବେ ତାହା ଏବେ ସମ୍ଭବପର ନୁହେଁ। କୋଭିଡ୍‌-୧୯ ଯୋଗୁଁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଥିବାରୁ ନୂତନ ସିଲାବସ୍‌ ପ୍ରସ୍ତୁତିରେ ମଧ୍ୟ ବିଳମ୍ବ ହୋଇଛି। ଯେଉଁଥିପାଇଁ ଆସନ୍ତା ଶିକ୍ଷାବର୍ଷରେ ସିଲାବସ୍‌ରେ କୌଣସି ପରିବର୍ତନ ହେବ ନାହିଁ। ଏନ୍‌ସିଇଆର୍‌ଟି ଏଭଳି ନିଷ୍ପତ୍ତି ନେଇଥିବାରୁ ରାଜ୍ୟ ସରକାର ମଧ୍ୟ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ କୌଣସି ପରିବର୍ତ୍ତନ ନ କରିବାକୁ ସ୍ଥିର କରିଛନ୍ତି।

ଏନ୍‌ସିଇଆରଟିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରଥମେ କରିକୁଲମ୍‌ ଫ୍ରେମ୍‌ୱାର୍କ ହେବା ପରେ ଯାଇ ଯାହା ହେବ। ଏବେ ଯାହା ଚାଲିଛି ତାହା ଜାରି ରହିବ। ୨୦୨୨-୨୩ରେ ବି ପରିବର୍ତ୍ତନ ହେବାର ସମ୍ଭାବନା କ୍ଷୀଣ। କାରଣ ଏହା ଏକ ଲମ୍ବା ପ୍ରକ୍ରିୟା। ପ୍ରଥମେ କରିକୁଲମ୍‌ ଫ୍ରେମ୍‌ୱାର୍କ କରାଯିବ। ଏଥିପାଇଁ ଗୋଟିଏ ବର୍ଷ ଲାଗିବ। ଏପର୍ଯ୍ୟନ୍ତ କରିକୁଲମ୍‌ ଫ୍ରେମ୍‌ୱାର୍କ ଲାଗି କମିଟି ଗଠନ ହୋଇନାହିଁ। କମିଟି ଗଠନ ହୋଇ ସିଲାବସ୍‌ ପ୍ରସ୍ତୁତ ହେଲା ବେଳକୁ ୨୦୨୨ ହୋଇଯାଇଥିବ। ଏହା ପରେ ଯାଇ ଟେକ୍ସଟ୍‌ ବୁକ୍‌ ପ୍ରସ୍ତୁତ କରାଯିବ। କରିକୁଲମ୍‌ ଫ୍ରେମ୍‌ୱାର୍କ ପରିବର୍ତନ ହେବା ପରେ ଯାଇ ତାହାକୁ ରାଜ୍ୟଗୁଡ଼ିକୁ ପଠାଯିବ ଏବଂ ସେମାନେ ସେହି ଅନୁଯାୟୀ ସିଲାବସ୍‌ ପ୍ରସ୍ତୁତ କରିବେ। ୨୦୧୭-୧୮ ଓ ୨୦୧୮-୧୯ ଶିକ୍ଷାବର୍ଷରେ ଟେକ୍ସଟ୍‌ ବୁକ୍‌ ରିଭ୍ୟୁ ହୋଇଥିବାରୁ ଏବେ କିଛି କରିବାର ଯୋଜନା ହିଁ ନାହିଁ।

ଅନ୍ୟପକ୍ଷରେ ୨୦୨୧-୨୨ ଶିକ୍ଷାବର୍ଷ ପୂର୍ବଭଳି ଏପ୍ରିଲ ମାସରୁ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। କ୍ଲାସରୁମ୍‌ ପାଠପଢ଼ା ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇ ନ ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପୂର୍ବଭଳି ନିର୍ଦ୍ଧାରିତ ସମୟରେ ନୂତନ ଶିକ୍ଷାବର୍ଷ ଆରମ୍ଭ କରିବାକୁ ପ୍ରାରମ୍ଭିକ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ବର୍ତମାନ ସମୟରେ ନବମ ଓ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଏବଂ ୨୦୨୧-୨୨ ଶିକ୍ଷାବର୍ଷରେ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏପ୍ରିଲ ମାସରୁ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ୨୦୨୧-୨୨ ଶିକ୍ଷାବର୍ଷର ସମୟ ପରିବର୍ତନ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ପୂର୍ବରୁ ଯେଉଁଭଳି ଶିକ୍ଷାବର୍ଷ ଆରମ୍ଭ ହେଉଥିଲା, ଏଥର ବି ସେମିତି କରିବାକୁ ଯୋଜନା ରଖାଯାଇଛି। ତେବେ କେନ୍ଦ୍ର ସରକାର ତଥା ଅନ୍ୟାନ୍ୟ ବୋର୍ଡଗୁଡ଼ିକ କିଭଳି ଶିକ୍ଷାବର୍ଷ ପ୍ରସ୍ତୁତ କରୁଛନ୍ତି, ତାହାକୁ ଆଧାର କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।