ରାଜ୍ୟର ଆଉ ଶହେ ବ୍ଲକ୍‌ରେ ଖୋଲିବ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ବରରେ ହେବ ମଡେଲ୍‌ ଆଦର୍ଶ ବିଦ୍ୟାଳୟ
୩୦ ବିଦ୍ୟାଳୟରେ ଖୋଲିବ ଧନ୍ଦାମୂଳକ ପାଠ୍ୟକ୍ରମ
ନିଯୁକ୍ତ ହେଲେ ୪୮୯ ଶିକ୍ଷକ ଓ ୮ ଜଣ ଅଧ୍ୟକ୍ଷ

ଭୁବନେଶ୍ବର : ଶିକ୍ଷାଦାନ ଏକ ମହାନ ବୃତ୍ତି। ‌ଶ୍ରେଣୀ କକ୍ଷରେ ହିଁ ଦେଶର ଭବିଷ୍ୟତ ଗଠନ କରାଯାଇଥାଏ। ତେଣୁ କେବଳ ପୁସ୍ତକଗତ ଶିକ୍ଷାଦାନ ଉପରେ ସୀମିତ ନରହି ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ଓ ସେମାନଙ୍କ ନୈତିକ ମୂଲ୍ୟବୋଧର ବିକାଶ ଉପରେ ଶିକ୍ଷକମାନେ ଗୁରୁତ୍ବ ଦେବା ଦରକାର ବୋଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଓ ନବନିଯୁକ୍ତ ଶିକ୍ଷକଙ୍କ ପାଇଁ ମାର୍ଗଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରବୀନ୍ଦ୍ରମଣ୍ଡପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ ଗୁଣାତ୍ମକ ଶିକ୍ଷା ପ୍ରତି ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ସିବିଏସ୍‌ଇ ଅଧୀନରେ ପରୀକ୍ଷା ହେଉଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ୧୦ମ ଶ୍ରେଣୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଛନ୍ତି। ଏବେ ସୁଦ୍ଧା ରାଜ୍ୟର ୨୧୪ଟି ବ୍ଲକ୍‌ରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇସାରିଛି। ଯେଉଁଠାରେ ୬୦ ପ୍ରତିଶତ ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟର ଆଉ ୧୦୦ଟି ବ୍ଲକ୍‌ରେ ଆଦର୍ଶ ବିଦ୍ୟାଳୟ ଖୋଲାଯିବ। ଏହା ଉତ୍ତମ ଶିକ୍ଷାଦାନ ସହ ପିଲାଙ୍କ ସ୍ବପ୍ନ ସାକାର କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଆଦର୍ଶ ବିଦ୍ୟାଳୟରେ ସ୍କୁଲିଂ, ଲର୍ଣ୍ଣିଂ ଓ ୟର୍ଣ୍ଣିଂ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ତାହାକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ଏକ ମଡେଲ୍‌ ଆଦର୍ଶ ବିଦ୍ୟାଳୟ ଖୋଲାଯିବ। ଏଥିପାଇଁ ଖଣ୍ଡଗିରି ଅଞ୍ଚଳରେ ଜାଗା ଚିହ୍ନଟ ସରିଛି। ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ହେବ। ଏହି ବିଦ୍ୟାଳୟରେ ସାରା ରାଜ୍ୟରୁ ପ୍ରାୟ ୫ ହଜାର ଛାତ୍ରଛାତ୍ରୀଙ୍କ ପଢ଼ିବା ଲାଗି ସୁବିଧା କରାଯିବ। ଅନ୍ୟ ଆଦର୍ଶ ବିଦ୍ୟାଳୟ ପରି ଏଠାରେ ସମସ୍ତ ପାଠ୍ୟକ୍ରମ ସହ ଧନ୍ଦାମୂଳକ ଶିକ୍ଷାରେ ବି ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ। ରାଜ୍ୟର ୩୦ଟି ଜିଲ୍ଲାର ଗୋଟିଏ ଲେଖାଏ ଆଦର୍ଶ ବିଦ୍ୟାଳୟକୁ ଚିହ୍ନଟ କରାଯାଇ ମଡେଲ୍‌ କରାଯିବ। ସେଠାରେ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଖୋଲିବ। ଏଥିସହ ରାଜ୍ୟରେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦ ପୂରଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୮୩ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ବିଜ୍ଞାନ ବିଷୟରେ ୯୦୦ ଶିକ୍ଷକ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ହେବାକୁ ଯାଉଛି। ତେବେ କୋର୍ଟରେ କେସ୍‌ ରହିଥିବାରୁ ବିଳମ୍ବ ହେଉଥିବା ସେ ସୂଚନା ଦେଇଛନ୍ତି।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ବିଜୟ କୁମାର ସାହୁ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିବେ। ବର୍ତମାନ ସମୟରେ ଇଂରାଜୀ ମାଧ୍ୟମରେ ପାଠପଢ଼ା ଓ ମାଗଣା ଶିକ୍ଷାକୁ ସବୁଆଡ଼େ ଗୁରୁତ୍ବ ଦିଆଯାଉଛି। ତାହାକୁ ଦୃଷ୍ଟିରେ ରଖି ପଛୁଆ ଜିଲ୍ଲାର ଯେଉଁ ପିଲାମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ିପାରୁ ନଥିଲେ ସେମାନଙ୍କ ପାଇଁ ରାଜ୍ୟ ସରକାର ଆଦର୍ଶ ବିଦ୍ୟାଳୟ ଖୋଲିଛନ୍ତି। ସମସ୍ତ ବ୍ଲକ୍‌ରେ ଗୋଟିଏ ଲେଖାଏ ଆଦର୍ଶ ବିଦ୍ୟାଳୟ ଖୋଲାଯିବ ବୋଲି ୨୦୧୫ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେହି ଅନୁଯାୟୀ ଏବେ ସୁଦ୍ଧା ୨୧୪ଟି କାର୍ଯ୍ୟକ୍ଷମ ହୋଇଛି। ଯେଉଁଠାରେ ୭୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରେ ୬୦ ପ୍ରତିଶତ ଛାତ୍ରୀ ରହିଥିବାରୁ ଛାତ୍ରୀନିବାସ ପ୍ରତିଷ୍ଠା କରାଯାଉଛି। ଏବେ ସୁଦ୍ଧା ୮୩ଟି ଛାତ୍ରୀନିବାସ କରାଯାଇଛି। ଆଗକୁ ଆହୁରି ନିର୍ମାଣ ହେବ। ଏହାଦ୍ବାରା ଓଡ଼ିଶା ଦେଶର ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଆଦର୍ଶ ପାଲଟିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିସନର ତଥା ଶାସନ ସଚିବ ଚିତ୍ରା ଆରୁମୁଗମ୍‌ ସ୍ବାଗତ ଭାଷଣ ଦେଇ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ରଘୁରାମ ଆର୍‌ ଆୟାର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ୱେବସାଇଟ୍‌ ଉନ୍ମୋଚିତ ହେବା ସହ ୪୮୯ ଶିକ୍ଷକ, ୮ ଜଣ ଅଧ୍ୟକ୍ଷଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିଲା। ୨୦୧୯ ସିବିଏସ୍‌ଇ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ୯ ଜଣ ଛାତ୍ରଛାତ୍ରୀ, ୧୦୦ ପ୍ରତିଶତ ପାସ୍‌ କରିଥିବା ୯ଟି ଆଦର୍ଶ ବିଦ୍ୟାଳୟ ଓ ୬ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର