ଆଇନ ପ୍ରତ୍ୟାହାର ନ ହେଲେ କୃଷକ ଆନ୍ଦୋଳନ ତୀବ୍ରତର ହେବ

ଭୁବନେଶ୍ବର : ମୋଦୀ ସରକାର ଯେଉଁ ୩ଟି କୃଷି ଆଇନ ପ୍ରଣୟନ କରିଛନ୍ତି ସେସବୁ କଳା ଆଇନ। ପ୍ରଥମ ଆଇନରେ ମଣ୍ଡି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ସରକାରୀ ବ୍ୟବସ୍ଥାରୁ କାଟି ଦିଆଯାଇ ଘରୋଇ କର୍ପୋରେଟ୍‌ ଜଗତ ହାତକୁ ଟେକି ଦିଆଯାଇଛି। କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥାକୁ ଜାଣିଶୁଣି ପୁଞ୍ଜିପତି ଓ ଉଦ୍ୟୋଗପତିଙ୍କୁ ସୁହାଇବା ପାଇଁ ରଖାଯାଇନାହିଁ। ଫଳରେ ଘରୋଇ ମଣ୍ଡି ଜରିଆରେ ଚାଷୀ ଶୋଷିତ ହେବ। କୃଷିଜାତ ଦ୍ରବ୍ୟର ନିୟନ୍ତ୍ରିତ ବଜାର କମିଟି (ଏପିଏମ୍‌ସି) ବ୍ୟବସ୍ଥା ଆଉ ରହିବ ନାହିଁ। ଦ୍ବିତୀୟରେ ଦେଶରେ ୮୬% କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭାଗଚାଷୀ ଅଛନ୍ତି। ଓଡ଼ିଶାରେ ଏମାନଙ୍କ ସଂଖ୍ୟା ୯୨%। ପାରମ୍ପରିକ ଚାଷ କରି ସେମାନେ ନିଜର ଗୁଜରାଣ ମେଣ୍ଟାଇଥାନ୍ତି। ନୂତନ ଚୁକ୍ତିଭିତ୍ତିକ କୃଷି ଆଇନ ପ୍ରଣୟନ ଦ୍ବାରା ଏସବୁ ଚାଷୀମାନେ ସେମାନଙ୍କ ଜୀବିକା ହରାଇବେ। ଏହା ବଦଳରେ କୃଷି ଉତ୍ପାଦର ସମ୍ପୂର୍ଣ୍ଣ କମ୍ପାନିକରଣ ହୋଇଯିବ।

ତୃତୀୟରେ ୧୯୫୫ ମସିହାରେ ଅତ୍ୟାବଶ୍ୟକ ଆଇନ ପ୍ରଣୟନ କରାଯାଇଥିଲା। ଅତ୍ୟାବଶ୍ୟକ ଆଇନ ମହଜୁଦକାରୀ ଓ କଳାବଜାରୀଙ୍କ ଲାଭଖୋର ମନୋବୃତ୍ତି ଉପରେ ଅଙ୍କୁଶ ଲଗାଇବେ ସଫଳ ହୋଇଥିଲା। ଏବେ ସେହି ବ୍ୟବସ୍ଥାକୁ ଉଚ୍ଛେଦ କରିବା ଦ୍ବାରା ଡାଲି, ତେଲ, ଆଳୁ ଓ ପିଆଜ ପରି ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ମହଜୁଦକାରୀଙ୍କ କବଳରେ ଆସିଯାଇଛି। ତେଣୁ ଏହି ୩ଟି କଳା ଆଇନ ରଦ୍ଦ ଆମର ଦାବି। କେନ୍ଦ୍ରରେ ମୋଦୀ ସରକାର ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନିଠାରୁ ଭୟଙ୍କର। ସାରା ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଚପାଇ ଦେବାକୁ ବହୁ ଷଡ଼ଯନ୍ତ୍ର କରାଯାଉଛି। ସେମାନଙ୍କ ନ୍ୟାଯ୍ୟ ଦାବିକୁ ଦେଶଦ୍ରୋହର ଆଖ୍ୟା ଦିଆଯାଉଛି। ଯେ ପର୍ଯ୍ୟନ୍ତ ଏହି କଳା କୃଷି ଆଇନଗୁଡ଼ିକ ରଦ୍ଦ ନ ହୋଇଛି ସେ ପର୍ଯ୍ୟନ୍ତ ଦିଲ୍ଲୀ ଚଲୋ କୃଷକ ଆନ୍ଦୋଳନ ଦେଶବ୍ୟାପୀ ତୀବ୍ରତର ହେବ।

ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ, ଅଖିଳ ଭାରତ କୃଷକ ସଭା

ସମ୍ବନ୍ଧିତ ଖବର