ଚାନ୍ଦବାଲି : ଧାମରା ଆଦାନୀ ବନ୍ଦରର ଅଭିବୃଦ୍ଧିକୁ ନଜରରେ ରଖି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ରାଜ୍ୟ ସରକାରଙ୍କ ଅନୁରୋଧରେ ଧାମରାଠାରେ ଏକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ସ୍ଥାନ ଚୟନ କରିବା ପାଇଁ ଆଦେଶ ହୋଇଛି। ଏଭଳି ଆଦେଶ ପାଇବା ପରେ ଭଦ୍ରକ ଜିଲ୍ଲାପାଳ ଚାନ୍ଦବାଲି ତହସିଲଦାର ଏବଂ ବାସୁଦେବପୁର ତହସିଲଦାରଙ୍କୁ ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଧାମରା ଅତିରିକ୍ତ ତହସିଲଦାରଙ୍କ ଅଧୀନରେ ଥିବା କଇଥଖୋଲା ପଞ୍ଚାୟତର ହୃଦୟପ୍ରସାଦ ମୌଜାରେ ଥିବା ୩ ଶହରୁ ଊର୍ଦ୍ଧ୍ବ ଏକର ଜମି ଚିହ୍ନଟ ହୋଇଥିଲା। ସେହି ଜମି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସିଆର୍‌ଜେଡ୍‌ ଜୋନ୍‌ର ଅନ୍ତର୍ଭୁକ୍ତ। ଏହି ଜମିରେ ବିମାନବନ୍ଦର କରିବାକୁ ହେଲେ ସିଆର୍‌ଜେଡ୍‌ ଜୋନ୍‌ର ପୁନଃ ସୀମା ନିର୍ଧାରଣ ହେବା ଜରୁରୀ ବୋଲି ରାଜ୍ୟ ସରକାରଙ୍କୁ ଅବଗତ କରାଇବା ପରେ ଜିଲ୍ଲାପାଳ କେନ୍ଦ୍ର ସରକାରଙ୍କୁ ଚିଠି କରିଥିଲେ।

Advertisment

ଏହି ପଡ଼ିଆ ପାଇଁ ପ୍ରାଥମିକ ସ୍ତରରେ ଯାତାୟତ ରାସ୍ତା ପାଇଁ ଓସାର ୪ ଶହ ମିଟର ହେବା ଜରୁରୀ ହୋଇଥିବା ବେଳେ ଅତି କମରେ ୩ କିମି ଲମ୍ବ ଏବଂ ଜମିର ପରିମାଣ ୩ ଶହ ଏକର ହେବା ଜରୁରୀ ବୋଲି ଜଣାଯାଇଛି। କଇଥଖୋଲା ପଞ୍ଚାୟତରେ ସମୁଦାୟ ୩ ଶହ ଏକର ସରକାରୀ ଜମି ଉପଲବ୍ଧ। ସେହିପରି ଧାମରା ଅତିରିକ୍ତ ତହସିଲଦାରଙ୍କ ଅଧୀନରେ ଥିବା କରଣପଲ୍ଲୀ ପଞ୍ଚାୟତରେ କରଣପଲ୍ଲୀ, ବିଜୟପାଟଣା, କୁଆମରା ମୌଜାରେ ୧୭୫ ଏକର ଜମି ରହିଥିବା ବେଳେ ଆବଶ୍ୟକ ପଡୁଥିବା ଅବଶିଷ୍ଟ ଜମି ବାସୁଦେବପୁର ତହସିଲ ଅଧୀନ ତଥା ନାୟକାଣିଡିହି ଆର୍‌ଆଇ ସର୍କଳ ଅନ୍ତର୍ଗତ ନନ୍ଦପାଟଣା, ବାଲିମୁଣ୍ତା ଏବଂ ବଡ଼ହବାଳିସାହିରେ ୨୨୫ ଏକର ଜମି ଅଛି ବୋଲି ଚାନ୍ଦବାଲି ଓ ବାସୁଦେବପୁର ତହସିଲ ପକ୍ଷରୁ ସର୍ଭେ ହୋଇଛି। ଏହି ୨ ତହସିଲ ଅଧୀନରେ ୪ ଶହ ଏକର ଜମି କିସମ ଲୁଣାପଟା ଏବଂ ବାଲିଚର ବୋଲି ଜଣାଯାଇଛି। ଏହି ଜମିରେ ମଧ୍ୟ ବିମାନବନ୍ଦର ନିର୍ମାଣ ସମ୍ଭବ ବୋଲି ଜଣାଯାଇଛି। ତେବେ କଇଥଖୋଲା ପଞ୍ଚାୟତରେ ଗୋଟିଏ ସ୍ଥାନରେ ୩ ଶହ ଏକର ଜମି ଥିବା ବେଳେ ଯାତାୟତ ପାଇଁ ୪ ଶହ ମିଟର ରାସ୍ତା ଏବଂ ପରିସୀମା ୩ କିମି ରହିଛି। ସେହିପରି ନନ୍ଦପାଟଣା, ବିଜୟପାଟଣା, କରଣପଲ୍ଲୀ ଏବଂ କୁଆମରା ଠାରେ ୪ ଶହ ଏକର ଜମି ଉପଲବ୍ଧ। ମାତ୍ର ଏହି ସ୍ଥାନରେ ଯାତାୟତ ପାଇଁ ଓସାର ୩ ଶହ ମିଟର ଏବଂ ପରିସୀମା ୩ କିମିରୁ କମ୍‌ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ ଯେ, ଏହି ସମସ୍ତ ଜମି ଉଡ଼ାଜାହଜ ପଡ଼ିଆ ପାଇଁ ଉପଯୁକ୍ତ ହୋଇଥିବା ବେଳେ ଏହି ସମସ୍ତ ଜମି ସିଆର୍‌ଜେଡ୍‌ ଜୋନ୍‌ର ଅନ୍ତର୍ଭୁକ୍ତ। ଏହି ଜୋନ୍‌ର ୫ ଶହ ମିଟର ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ ସମ୍ଭବ ନୁହେଁ। ଜୋନ୍‌ର ସୀମା ନିର୍ଦ୍ଧାରଣ କରାଗଲେ ଏହି ୨ଟି ସ୍ଥାନ ମଧ୍ୟରୁ କଇଥଖୋଲା ପଞ୍ଚାୟତରେ ଥିବା ହୃଦୟପ୍ରସାଦ ମୌଜା ସର୍ବୋତ୍ତମ ଓ ଧାମରା ବନ୍ଦରର ପାର୍ଶ୍ବବର୍ତୀ ସ୍ଥାନ ହେବ। ତେବେ ଏହି ସମସ୍ତ ସିଆର୍‌ଜେଡ‌୍ ଜମିର ପୁନଃ ସୀମା ନିର୍ଧାରଣ ପାଇଁ ଭଦ୍ରକ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଜଣାଇବା ସହ କେନ୍ଦ୍ର ସରକାରଙ୍କୁ ଚିଠି କରିଥିଲେ। ଆଜି ଭଦ୍ରକ ଜିଲ୍ଲାପାଳଙ୍କ ଆଦେଶରେ ଭଦ୍ରକ ଉପ-ଜିଲ୍ଲାପାଳ, ଚାନ୍ଦବାଲି ତହସିଲଦାର, ବାସୁଦେବପୁର ତହସିଲଦାର, ଧାମରା ରାଜସ୍ବ ସୁପରଭାଇଜର ପ୍ରମୁଖ ଏହି ୨ଟି ସ୍ଥାନର କ୍ଷେତ୍ରୀୟ ପରିଦର୍ଶନ କରିଛନ୍ତି। ସିଆର୍‌ଜେଡ୍‌ ଜୋନ୍‌ର ସୀମା ପୁନଃନିର୍ଦ୍ଧାରଣ ପରେ ଉଭୟସ୍ଥାନରେ ବିମାନ ବନ୍ଦର ନିର୍ମାଣ ହୋଇପାରିବ ବୋଲି ପ୍ରଶାସନ କହିଛି।