ରାଜ୍ୟରେ ଆଉ ୧୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଆଉ ୧୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ କହିଛନ୍ତି। ଆଜି ପ୍ରଶ୍ନକାଳରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ରାଜ୍ୟରେ ୬୨ହଜାର ୧୭୧ଟି ଅଙ୍ଗନବାଡ଼ି କେନ୍ଦ୍ର ଅଛି। ଏହାଛଡ଼ା ୧୦୪୧୬ଟି ମିନି ଅଙ୍ଗନବାଡ଼ି କେନ୍ଦ୍ର ରହିଛି । ୭୮୪୪ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ତେବେ କେନ୍ଦ୍ର ସରକାର ପୁନଃ ତର୍ଜମା କରି ପ୍ରସ୍ତାବ ଦେବା ପାଇଁ କହି ଆମ ପ୍ରସ୍ତାବ ଫେରାଇ ଦେଇଛନ୍ତି।

ଜନଜାତି ଓ ଅପପୃଷ୍ଟି ଦେଖା ଯାଉଥିବା ଅଞ୍ଚଳରେ ବର୍ତ୍ତମାନ ୧୫୬୭ ନୂଆ ଅଙ୍ଗନବାଡ଼ି ଖୋଲିବା ପାଇଁ ଜିଲ୍ଲାମାନଙ୍କୁ ମଞ୍ଜୁରୀ ଦିଆଯାଇଛି। ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ବର୍ତ୍ତମାନ ୭ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଉଛି। ମନରେଗାରେ ୫ ଲକ୍ଷ ଟଙ୍କା ଆଉ ୨ ଲକ୍ଷ ଟଙ୍କା ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । ସହରାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ଯେଉଁଠି ଜମି ସମସ୍ୟା ହେଉଛି, ସେଠି କମିଟି ଗଠନ କରି ଜାଗା ଚିହ୍ନଟ କରିବା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୁଷ୍ଟି ସାଧନ ପାଇଁ ଅଙ୍ଗନବାଡ଼ିରେ ୫ ଦିନ ଅଣ୍ଡା ଯୋଗାଇ ଦିଆଯାଉଛି ବୋଲି ବି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର