ବିଧାନସଭାରେ ଉପସ୍ଥାପନ ହେବ ନୂଆ ଆପର୍ଟମେଣ୍ଟ ମାଲିକାନା ଆଇନ

କଟକ : ଖୁବଶୀଘ୍ର ନୂଆ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ଆସିବ। ବୁଧବାର ଦିନ ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଉପସ୍ଥାପନ କରାଯାଇଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତଥ୍ୟରେ ଉଲ୍ଲେଖ କରାଯାଇଥିଲା ଯେ ନୂଆ ଆଇନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିସାରିଛି। ବିଧାନସଭାରେ ଆପର୍ଟମେଣ୍ଟ ମାଲିକାନା ସଂପର୍କିତ ନୂଆ ଓଡ଼ିଶା ଆପାର୍ଟମେଣ୍ଟ (ଓନର୍‌ସିପ୍‌ ଆଣ୍ଡ ମ୍ୟାନେଜମେଣ୍ଟ) ବିଲ୍‌, ୨୦୨୩କୁ ଉପସ୍ଥାପନ ପାଇଁ ନୋଟିସ୍ କରାଯାଇଛି। ଚଳିତ ବିଧାନସଭା ଅଧିବେଶନରେ ଏହି ବିଲ ଉପସ୍ଥାପନ ପାଇଁ ଆଇନ ବିଭାଗ ପଦକ୍ଷେପ ଗ୍ରହଣ କରୁଛି। ସରକାରଙ୍କ ତଥ୍ୟକୁ ବିଚାରକୁ ନେଇ ହାଇକୋର୍ଟ ବିମଳେନ୍ଦୁ ପ୍ରଧାନ ଓ ଅନ୍ୟମାନଙ୍କ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୦କୁ ଧାର୍ଯ୍ୟ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ରେରା ଆଇନ ଆସିବା ପରେ ଆପାର୍ଟମେଣ୍ଟ ସଂପୂର୍ଣ୍ଣ ସଂପର୍କିତ ପ୍ରମାଣପତ୍ର ଜାରି ସଂକ୍ରାନ୍ତରେ ଓରେରାକୁ ସାନି ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରେରା ଆଇନ ୨୦୧୭, ମେ ୧ରେ ଆସିଥିବା ବେଳେ ଏହାପରେ ନିର୍ଦ୍ଦିଷ୍ଟ ଆପାର୍ଟମେଣ୍ଟ ପ୍ରକଳ୍ପର ପ୍ରମାଣପତ୍ର ପାଇଁ ଆବେଦନ କରାଯାଇଥିଲା। ଏଭଳି ସ୍ଥିତିରେ ସଂପୃକ୍ତ ପ୍ରକଳ୍ପକୁ କେମିତି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ସେ ନେଇ ରେରା ସାନି ସତ୍ୟପାଠ ଦାଖଲ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ମୋହିତ ଅଗ୍ରୱାଲ ଓ ଓରେରା ପକ୍ଷରୁ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର