ନିବେଶକ ଶିକ୍ଷା ଓ ସଚେତନତା ରାଜ୍ୟସ୍ତରୀୟ ସମ୍ମିଳନୀ: ମନଲୋଭା ସ୍କିମ୍ ଉପରେ ବିଶ୍ବାସ କରନ୍ତୁନି

ଲୋକଙ୍କ ସଚେତନତା ପାଇଁ ଆସିବ ଆପ୍ ଓ ପୋର୍ଟାଲ

ଭୁବନେଶ୍ବର,: ନିବେଶକ ଶିକ୍ଷା ଓ ସୁରକ୍ଷାନିଧି କର୍ତୃପକ୍ଷ ବା ଆଇଇପିଏଫ୍ଏ ଆନୁକୂଲ୍ୟରେ ଆଜି ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ନିବେଶକ ଶିକ୍ଷା ଓ ସଚେତନତା ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ପ୍ରଥମଥର ଲାଗି ହୋଇଥିବା ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ‌ ଆଇଇପିଏଫ୍‌ର ଅଧ୍ୟକ୍ଷ ଆଇ.ଶ୍ରୀନିବାସ ଯୋଗଦେଇ କହିଲେ, ଆଜିର ସମୟରେ ଅନେକ ହାଇଟେକ୍ ଠକାମି ହେଉଛି। କେବଳ ଯେ ଗ୍ରାମାଞ୍ଚଳ କି ଅଶିକ୍ଷିତ ବ୍ୟକ୍ତି ବିଭିନ୍ନ ଚିଟ୍‌ଫଣ୍ଡ କମ୍ପାନି ଦ୍ବାରା କ୍ଷତିଗ୍ରସ୍ତ ହେଉଛନ୍ତି ତା’ ନୁହେଁ, ଉଚ୍ଚଶିକ୍ଷିତ ବ୍ୟକ୍ତିମାନେ ମଧ୍ୟ ଏହି କମ୍ପାନି ଜାଲରେ ପଡ଼ୁଥିବା ନଜିର ରହିଛି। ଭାରତର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ନିବେଶର ଆବଶ୍ୟକତା ରହିଛି। କିନ୍ତୁ ଲୋକେ ଯେଉଁ କମ୍ପାନିରେ ନିବେଶ କରିବାକୁ ଚାହୁଁଛନ୍ତି, ତାହା ଠକ କି ନୁହେଁ, ଜାଣିପାରୁନାହାନ୍ତି। ଫଳରେ ଲୁଟ୍‌ର ଶିକାର ହେଉଛନ୍ତି। ତେଣୁ ଲୋକମାନଙ୍କୁ ଏ ସଂପର୍କରେ ସୂଚନା ଦେବା ପାଇଁ ଉଦ୍ୟମ କରାଯାଉଛି। ଆଇଇପିଏଫ୍‌ ପକ୍ଷରୁ ଏକ ଆପ୍ ଓ ପୋର୍ଟାଲ ପ୍ରସ୍ତୁତ କରାଯାଉଛି। ଏହାକୁ ଆର୍‌ବିଆଇ, ସେବି, ସମସ୍ତ ରାଜ୍ୟ ସରକାରଙ୍କ ସହ ଯୋଡ଼ି ଦିଆଯିବ। ଫଳରେ ନିବେଶକମାନେ ଏହା ଜରିଆରେ କମ୍ପାନିଗୁଡ଼ିକ ସଂପର୍କରେ ସୂଚନା ପାଇପାରିବେ। ଗ୍ରାମାଞ୍ଚଳର ଲୋକମାନଙ୍କ ନିକଟରେ ଉପଯୁକ୍ତ ସୂଚନା ମିଳିବା ଆବଶ୍ୟକ। ତେଣୁ ଏନ୍‌ଏସ୍‌ଏସ୍‌, ନେହରୁ ଯୁବ କେନ୍ଦ୍ର, ଡାକ ବିଭାଗ, ଅଙ୍ଗନବାଡ଼ି, ଆଶା, ଏସ୍‌ଏଚ୍‌ଜି ଓ ସାମାଜିକ ଗଣମାଧ୍ୟମ ଜରିଆରେ ସଚେତନତା କରାଯିବ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଲେ, କିଛି ବର୍ଷ ଧରି ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ହୋଇଛି। ରାଜ୍ୟର ଜିଡିପି ଦର ଜାତୀୟ ହାରଠାରୁ ଅଧିକ ରହିଛି। ଲୋକମାନଙ୍କ ପାଖରେ ଟଙ୍କା ଅଛି। ଏହାର ସୁଯୋଗ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗରେ କିଛି କମ୍ପାନି ଲୋଭନୀୟ ସ୍କିମ୍ ଜରିଆରେ ଲୋକଙ୍କ ଟଙ୍କା ହରିଲୁଟ୍‌ ପାଇଁ ଆଗେଇ ଆସିଛନ୍ତି। ଏସବୁ ସ୍କିମ୍ ଉପରେ ଲୋକମାନେ ବିଶ୍ବାସ କରନ୍ତୁ ନାହିଁ। କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ହେଁ ଏବେ ବି ଗ୍ରାମାଞ୍ଚଳରେ ଏସବୁ କମ୍ପାନି କାର୍ଯ୍ୟ କରୁଛନ୍ତି। ଏଭଳି ପରିସ୍ଥିତିରେ ଆର୍ଥିକ ଶିକ୍ଷା ଜରୁରୀ ହୋଇପଡ଼ିଛି। ଲୋକମାନେ କିଭଳି ଠିକ୍‌ ସ୍ଥାନରେ ନିବେଶ କରିବେ, ସେଥିପାଇଁ ସଚେତନତା ଆବଶ୍ୟକ। ରାଜ୍ୟବ୍ୟାପୀ ଚାର୍ଟାଡ୍ ଆକାଉଣ୍ଟାଣ୍ଟ ପ୍ରତିଷ୍ଠାନର କର୍ମକର୍ତା ରହିଥିବା ବେଳେ ସେମାନଙ୍କ ଜରିଆରେ ଲୋକମାନେ ସଚେତନ ହୋଇପାରିବେ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ଆଇଇପିଏଫ୍‌ଏର ସଦସ୍ୟ ରାଜୀବ ଶେଖର ସାହୁ କହିଲେ, ରାଜ୍ୟରେ ଚିଟ୍‌ଫଣ୍ଡର ସୁନାମି ଆସିବାରୁ ଲୋକଙ୍କ କଷ୍ଟ ଉପାର୍ଜିତ ୨୦ହଜାର କୋଟି ଟଙ୍କା ଲୁଟ୍‌ ହୋଇଛି। ବିଶେଷକରି ଗ୍ରାମାଞ୍ଚଳର ଲୋକମାନଙ୍କୁ ଆର୍ଥିକ ସଚେତନତାର ଆବଶ୍ୟକତା ରହିଛି। ସରପଞ୍ଚମାନେ ନିଜ ନିଜ ଅଞ୍ଚଳରେ ଏ ସଂପର୍କରେ ସଚେତନ କରିପାରିବେ। ଆଗାମୀ ଦିନରେ ସ୍କୁଲ ଓ କଲେଜରେ ଆର୍ଥିକ ସଚେତନତା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ସାହୁ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ, ଆଇସିଏଆଇର ସଭାପତି ପ୍ରଫୁଲ୍ଲ ‌ଛାଜେଡ୍, ଏମ୍‌ସିଏର ଯୁଗ୍ମ ସଚିବ ମନୋଜ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ। କ୍ୟାପିଟାଲ ମାର୍କେଟ୍‌ ଏବଂ ନିବେଶକ ସୁରକ୍ଷା କମିଟିର ଅଧ୍ୟକ୍ଷ ପ୍ରକାଶ ଶର୍ମା ଧନ୍ୟବାଦ ଦେଇଥିଲେ। ଏହି ସମ୍ମିଳନୀରେ ଏଫ୍‌ଆଇସିସିଆଇ, ସିଆଇଆଇ, ଆରବିଆଇ, ଚାମ୍ବର୍‌ ଅଫ କମର୍ସ, ପଞ୍ଚାୟତର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର