ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଜ୍ଞାନଙ୍କ ନୂଆ ଆପ୍‌ : ପ୍ରସ୍ତୁତ କଲେ ବିଦ୍ୟୁତ୍‌ ବଣ୍ଟନ ମାନଚିତ୍ର, ସହଜ ଓ ସୁବିଧାରେ ଉପଲବ୍ଧ ହୋଇପାରିବ ବିଦ୍ୟୁତ୍‌ ସେବା

ପେସାରେ ସେସୁ କର୍ମଚାରୀ, ନିଶାରେ ପରିବେଶପ୍ରେମୀ

ଓଡ଼ଗାଁ : ବିଦ୍ୟୁତ୍ କାଟ୍‌ ହେଉ କିମ୍ବା ବିଲ୍ ପୈଠ, ସବୁବେଳେ ବିଦ୍ୟୁତ୍ ସମସ୍ୟାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ପ୍ରବଳ ଜନ ଅସନ୍ତୋଷ ରହିଥାଏ। ଏଥି ସହିତ ବୈଦ୍ୟୁତିକ ଦୁର୍ଘଟଣା ଓ ତ୍ରୁଟିକୁ ନେଇ କର୍ମଚାରୀମାନେ ନାନା ହଇରାଣ ହରକତ ହୋଇଥାନ୍ତି। ଏ ସବୁକୁ ଲକ୍ଷ୍ୟ କରି ଓଡ଼ଗାଁ ବ୍ଲକ୍ ଶରଣକୁଳ ସେସୁ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କର୍ମଚାରୀ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ସେବା ଯୋଗାଇବା ପାଇଁ ଅଭିନବ କ‌ୌଶଳ ଆପଣାଇଥିବା ଦେଖିବାକୁ ମିଳିଛି। କଟକ ଜିଲ୍ଲା କିଶୋର ନଗର ଥାନା ଅନ୍ତର୍ଗତ ବାଲିଶକ୍ରୀ ଗାଁର ଯୁବ ପ୍ରତିଭା ଜ୍ଞାନରଞ୍ଜନ ପଣ୍ଡା (୩୧) ଆଧୁନିକ ଜ୍ଞାନ କୌଶଳ ପ୍ର‌ୟୋଗ କରି ଏକ ମୋବାଇଲ୍ ଆପ୍‌ ବିକଶିତ କରିଛନ୍ତି; ଯେଉଁ ଆପ୍‌ର ବିଦ୍ୟୁତ୍‌ ବଣ୍ଟନ ମାନଚିତ୍ର ମାଧ୍ୟମରେ ସହଜ ଓ ସୁବିଧାରେ ସେବା ଉପଲବ୍ଧ ହୋଇପାରିବ। ଏହା ମାଧ୍ୟମରେ କର୍ମଚାରୀ ହୁଅନ୍ତୁ ବା ଉପଭୋକ୍ତା ନିଜର ତଥା ନିଜ ଅଞ୍ଚଳର ବିଦ୍ୟୁତ୍ ସମସ୍ୟା ସମ୍ପର୍କରେ ଜାଣିବା ସହ ଅଭିଯୋଗ କରିପାରିବେ ଏବଂ ବିଦ୍ୟୁତ୍ ସମସ୍ୟା କେଉଁ ସ୍ଥାନରେ ହୋଇଛି, ତାହା ସହଜରେ ଜାଣିପାରିବେ। ତାଙ୍କର ଏଭଳି ଉଦ୍ୟମକୁ ବିଭାଗୀୟ ଅଧିକାରୀଙ୍କ ସହ ସାଧାରଣରେ ପ୍ରଶଂସା କରାଯାଇଛି।

ଜ୍ଞାନରଞ୍ଜନଙ୍କ କହିବା କଥା ହେଲା, ଯେପରି ଜମିବାଡ଼ି, ଗାଁ, ସହର, ଦେଶ ବିଦେଶ, ଦର୍ଶନୀୟ ସ୍ଥାନ, ନଦୀ, ପୋଖରୀ ଆଦି ସବୁ ସ୍ଥାନର ମାନଚିତ୍ର ରହିଛି, ସେପରି ବିଭିନ୍ନ ସରକାରୀ ବିଭାଗର ମାନଚିତ୍ର ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍‌ ବିଭାଗର କୌଣସି ମାନଚିତ୍ର ନାହିଁ। ତେଣୁ ସେ କିଛିଦିନ ହେବ ଏ ଦିଗରେ ଚିନ୍ତା କରି କାର୍ଯ୍ୟ ଆରମ୍ଭ କରିଥିଲେ। ଆଙ୍ଗିସିଙ୍ଗି ଫ୍ୟୁଜ୍‌ କଲ ଅଞ୍ଚଳର ବିଦ୍ୟୁତ୍‌ ଉପଭୋକ୍ତାମାନଙ୍କୁ ଶୀଘ୍ର ଏଭଳି ଅଭିନବ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ସେ କାମ କରୁଥିବା ଅଞ୍ଚଳରେ ୧୪୦୦ ବିଦ୍ୟୁତ୍‌ ଉପଭୋକ୍ତା, ୫୫୦ ଖୁମ୍ବ ଓ ୪୨ଟି ଟ୍ରାନ୍ସଫର୍ମର୍‌ ରହିଛି। ବିଦ୍ୟୁତ୍‌ ବଣ୍ଟନ ମାନଚିତ୍ର ଦ୍ବାରା ପ୍ରତ୍ୟେକ ବିଦ୍ୟୁତ୍‌ ଖୁମ୍ବ, କଟ୍‌ ପଏଣ୍ଟ୍‌, ଲାଇନ୍‌ ଏବି ସୁଇଚ୍‌, ଟ୍ରାନ୍ସଫର୍ମର, ସବ୍‌ଷ୍ଟେସନ୍‌ ଓ ଉପଭୋକ୍ତାଙ୍କ ସଠିକ୍ ଲୋକେସନ୍‌ ଜାଣି ହେବ। ବୈଦ୍ୟୁତିକ ଦୁର୍ଘଟଣା ବା ତ୍ରୁଟି ଥିବା ସ୍ଥାନରେ କର୍ମଚାରୀଟି ଶୀଘ୍ର ପହଞ୍ଚିପାରିବ। ବିଦ୍ୟୁତ୍‌ ବିଲ୍‌ ପୈଠ କରୁନଥିବା ଓ ବିଲ୍ ବକେୟା ସଂପର୍କରେ ସହଜରେ ଜାଣି ହେବ। ଫଳରେ କର୍ମଚାରୀ ଓ ଭିଜିଲାନ୍ସ୍‌ ଗ୍ରୁପ୍ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ପଦକ୍ଷେପ ନେଇପାରିବେ ଏବଂ ନୂତନ ସବ୍‌ଷ୍ଟେସନ୍‌ ନିର୍ମାଣ ପାଇଁ ଠିକ୍ ବ୍ୟୟ ଅଟକଳ ହୋଇପାରିବ। ତେଣୁ ଏହି ଆପ୍‌ ମାନଚିତ୍ର ସବୁ କର୍ମଚାରୀ ଓ ଉପଭୋକ୍ତାଙ୍କୁ ସହାୟକ ହେବା ସହିତ ବିଦ୍ୟୁତ୍ ବିଭାଗରେ ଏକ ପ୍ରକାର ସ୍ବଚ୍ଛତା ଆଣିପାରିବ ବୋଲି ଜ୍ଞାନ ବିଶ୍ବାସ ରଖିଛନ୍ତି। ଆହୁରି ମଧ୍ୟ ତାଙ୍କର ଏହି ପ୍ରୟାସ ଅନ୍ୟ କର୍ମରୀମାନଙ୍କୁ ନିଜ ନିଜ ଅଞ୍ଚଳର ମାନଚିତ୍ର ପ୍ରସ୍ତୁତ କରି ଲୋକଙ୍କୁ ସେବା ଯୋଗାଇବାରେ ପ୍ରେରଣା ଦେଇପାରିବ। ଜ୍ଞାନ ୨୦୧୨ ମସିହାରୁ ସେସୁ ବିଭାଗରେ ଯୋଗ ଦେଇ ଏବେ ଓଡ଼ଗାଁ ବ୍ଲକ୍‌ ଶରଣକୁଳ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରି ଆସୁଛନ୍ତି।

ପେସାରେ ସେସୁ କର୍ମଚାରୀ, ନିଶାରେ ପରିବେଶପ୍ରେମୀ

ଜ୍ଞାନ ବୃତ୍ତିରେ ଜଣେ ସେସୁ କର୍ମଚାରୀ ହୋଇଥିଲେ ମଧ୍ୟ ନିଶାରେ ଜଣେ ପରିବେଶପ୍ରେମୀ ଭାବେ ଅଞ୍ଚଳରେ ବେଶ୍ ଜଣାଶୁଣା। ପରିବେଶ ସୁରକ୍ଷା ଦିଗରେ ସେ ନିୟମିତ କାର୍ଯ୍ୟ କରୁଛନ୍ତି। ଗତ ଫାଇଲିନ୍‌ ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହେବା ପରେ ସେ ଲଣ୍ଡା ପାହାଡ଼ରେ ସବୁଜିମା ସୃଷ୍ଟି କରିବା ପାଇଁ ଚିନ୍ତା କରି ଅହରହ ଉଦ୍ୟମ ଜାରି ରଖିଛନ୍ତି। ନିଜର କିଛି ସାଙ୍ଗମାନଙ୍କୁ ନେଇ ଏକ ଫ୍ରେଣ୍ତସ୍‌ ହେଲ୍ପ୍‌ ଗ୍ରୁପ ଗଠନ କରି ବିଭିନ୍ନ ଗାଁ, ରାସ୍ତା ପାର୍ଶ୍ବ, ଶ୍ମଶାନ, ମନ୍ଦିର, ବିଦ୍ୟାଳୟ ପରିସର ଆଦି ସ୍ଥାନମାନଙ୍କରେ ବୃକ୍ଷରୋପଣ କାର୍ଯ୍ୟ କରୁଛନ୍ତି। ଓଡ଼ଗାଁ-ନୟାଗଡ଼ ୨୧ନଂ ରାଜ୍ୟ ରାଜପଥର ପାର୍ଶ୍ବରେ ନିଜସ୍ବ ଉଦ୍ୟମରେ ଗଛ ଲଗାଇ ସୁରକ୍ଷା ବାଡ଼ ଦେଇଥିବା ଦେଖିବାକୁ ମିଳିଛି। ପ୍ରତିଦିନ ସେ ଓଡ଼ଗାଁର ଯେ କୈାଣସି ଗାଁର ନଦୀକୂଳ ଓ ଖୋଲାସ୍ଥାନରେ ବୃକ୍ଷରୋପଣ କରି ଆସୁଛନ୍ତି। ଏଥି ସହିତ ଗାଁର ଯୁବଗୋଷ୍ଠୀଙ୍କୁ ସଚେତନ କରିବା ସହ ସିଡ୍‌ବଲ୍‌ ଜରିଆରେ ସବୁଜ ବଳୟ କିପରି ସୃଷ୍ଟି କରାଯାଇପାରିବ ସେ ନେଇ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟକ୍ରମମାନ କରି ଛାତ୍ରଛାତ୍ରୀମାନଙ୍କୁ ସଚେତନ କରୁଛନ୍ତି। ଏପରିକି ସେ ନିଜେ ରହୁଥିବା ଅଞ୍ଚଳରେ ଥିବା ଲଣ୍ତା ପାହାଡ଼କୁ କିପରି ପୁଣି ଥରେ ସବୁଜିମାମୟ କରିହେବ ସେ ନେଇ ଲୋକଙ୍କୁ ବୁଝାଉଛନ୍ତି। ପିଲାଟି ବେଳୁ ମୋ ଗାଁର ସବୁଜିମା, ସୁସ୍ଥ ନିର୍ମଳ ବାୟୁ ମୋତେ ଅନେକ କିଛି ଶିକ୍ଷା ଦେଇଥିବା ଜ୍ଞାନ ତାଙ୍କ ବକ୍ତବ୍ୟରେ କହିଥାନ୍ତି। ପ୍ରଥମେ ସମସ୍ତେ ନିଜ ଗାଁକୁ ସବୁଜିମାମୟ କଲେ ସବୁଜ ପୃଥିବୀ ଗଠନ ସମ୍ଭବ ହୋଇପାରିବ ବୋଲି ସେ ବିଶ୍ବାସ ରଖିଛନ୍ତି। ଗଛରେ କଣ୍ଟା ବାଡ଼େଇ ଗଛକୁ ଯନ୍ତଣା ସେଥିରେ କୈାଣସି ବ୍ୟାନର୍‌, ବୋର୍ଡ୍‌ ଆଦି ନ ଲଗାଇବା ପାଇଁ ସେ ଲୋକଙ୍କୁ ଅନୁରୋଧ କରୁଛନ୍ତି। ଏଥି ସହିତ ଜ୍ଞାନ ଗରିବ ଅସହାୟଙ୍କୁ ଆର୍ଥିକ ସହାୟତା, ରକ୍ତଦାନ ଭଳି ବିଭିନ୍ନ ସେବା କଲେ ଜ୍ଞାନଙ୍କୁ ଅନେକ ଆତ୍ମତୃପ୍ତି ମିଳେ ବୋଲି ସେ କହିଛନ୍ତି। ତାଙ୍କର ପରିବେଶ ସୁରକ୍ଷାପାଇଁ ବନବିଭାଗ କର୍ମଚାରୀମାନେ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର