ଭୁବନେଶ୍ବର : ପୁଲିସ୍ ଡିଜି ପଦରୁ ଶୁକ୍ରବାର ଦିନ ଅବସର ନେବା ପରେ ଅଭୟଙ୍କୁ ରାଜ୍ୟ ସରକାର ସଙ୍ଗେ ସଙ୍ଗେ ନୂଆ ନିଯୁକ୍ତି ଦେଇଛନ୍ତି। ନାର୍କୋଟିକ୍ ଡ୍ରଗ୍ସ୍ ସମ୍ପର୍କିତ ପ୍ରସଙ୍ଗ ଉପରେ ଗଠିତ ରାଜ୍ୟ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ଏହି ପଦବିରେ ତାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଏହି ବିଜ୍ଞପ୍ତି ଜାରି କରାଯାଇଛି।
ପ୍ରଥମ ଥର ରାଜ୍ୟ ସରକାର ଏପରି ଏକ ପଦବି ସୃଷ୍ଟି କରିଛନ୍ତି। ପୂର୍ବରୁ ନାର୍କୋଟିକ୍ ଡ୍ରଗ୍ସ୍ ସମ୍ପର୍କିତ ପ୍ରସଙ୍ଗ ଉପରେ କୌଣସି ରାଜ୍ୟ ଟାସ୍କ ଫୋର୍ସ ଗଠନ କରାଯାଇ ନ ଥିଲା। କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ଅଧୀନରେ ଏକ ନାର୍କୋଟିକ୍ସ ୟୁନିଟ୍ କାମ କରୁଥିଲା। ଅବସର ପରେ ଅଭୟଙ୍କୁ ଥଇଥାନ କରିବା ପାଇଁ ସରକାର ଏହି ନୂଆ ପଦବି ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି। ଏହି ଟାସ୍କ ଫୋର୍ସର ରୂପରେଖ କ’ଣ ହେବ ଓ ତାହାର କାର୍ଯ୍ୟ ପରିସର କ’ଣ ରହିବ, ତାହା ପରେ ସ୍ପଷ୍ଟ ହେବ। ୧୯୮୬ ବ୍ୟାଚ୍ର
ଆଇପିଏସ୍ ଅଧିକାରୀ ଶ୍ରୀ ଅଭୟ ସିବିଆଇ, ସିଆର୍ପିଏଫ୍ ଓ ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଏଣ୍ଡ ଡ଼େଭଲପ୍ମେଣ୍ଟର ବିଭିନ୍ନ ଉଚ୍ଚ ପଦରେ କାର୍ଯ୍ୟ କରିଛନ୍ତି। ଏହାବ୍ୟତୀତ ସେ ନାର୍କେଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)ର ନିର୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ଦିଲ୍ଲୀ, ହରିଆଣା, ପଞ୍ଜାବ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ନିଶା କାରବାର ବୃଦ୍ଧି ପରେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବାର ଆଶଙ୍କା ସୃ୍ଷ୍ଟି ହୋଇଛି। ତେଣୁ ପ୍ରତିଷେଧାତ୍ମକ ବ୍ୟବସ୍ଥା ସ୍ୱରୂପ ରାଜ୍ୟରେ ନାର୍କୋଟିକ୍ସ ଓ ଡ଼୍ରଗ୍ସ କାରବାର ଉପରେ ଅଙ୍କୁଶ ଲଗାଇବା ନିମନ୍ତେ ଶ୍ରୀ ଅଭୟଙ୍କୁ ଟାସ୍କ ଫୋର୍ସ ଅଧ୍ୟକ୍ଷ ଭାବରେ ଅବସ୍ଥାପିତ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/dg-1.jpg)