କଟକ : କୋଭିଡ୍‌ ପରୀକ୍ଷା ନାଁରେ ଚାଲିଥିବା ସାଂଘାତିକ କେଳେଙ୍କାରୀର ନୂଆ ନୂଆ ଦିଗ ସାମ୍ନାକୁ ଆସୁଛି। ସ୍ୱାବ୍‌ ପରୀକ୍ଷା ପାଇଁ ଦେଇ ନଥିବା ଲୋକଙ୍କୁ ବି ରେକର୍ଡରେ କୋଭିଡ୍ ସଂକ୍ରମିତ ଦର୍ଶାଇ ଦିଆଯାଉଛି। ସେମାନଙ୍କ ମୋବାଇଲ ଫୋନ୍‌କୁ ମେସେଜ୍‌ ଯାଉଛି। ‘ଆପଣଙ୍କ ସ୍ୱାବ୍‌ ଯାଇଛି, ପରୀକ୍ଷା ରିପୋର୍ଟ ଆସିବା ପର୍ଯ୍ୟନ୍ତ ସଙ୍ଗରୋଧରେ ରୁହନ୍ତୁ। ପରେପରେ ସେମାନେ ସଂକ୍ରମିତ ବୋଲି ବି ମେସେଜ୍ ଆସି ଯାଉଛି। ଏଭଳି ଅଭିଯୋଗ ନେଇ ଲୋକେ କେଉଁଠିକୁ ଯିବେ, ତାହା ଜାଣି ପାରୁ ନଥିବା ବେଳେ ଏହାକୁ ତ୍ରୁଟିପୂର୍ଣ୍ଣ ମେସେଜ୍ ଭାବେ ରହି ଯାଉଛନ୍ତି। କିନ୍ତୁ ବାସ୍ତବରେ ସେମାନଙ୍କ ଫୋନ୍ ନମ୍ବରକୁ ବ୍ୟବହାର କରାଯାଇ ମିଛ ସଂକ୍ରମିତଙ୍କ ତାଲିକା ପ୍ରସ୍ତୁତ କରି ଦିଆଯାଉଛି।

Advertisment

publive-image First Care Medical Clinic

କୋଭିଡ ପରୀକ୍ଷ କେଳେଙ୍କାରୀ ଘଟଣା ସାମନାକୁ ଆସିବା ପରେ ଏବେ ଏଭଳି ମାଳମାଳ ଅଭିଯୋଗ କଟକ ଜିଲ୍ଲାର ମାହାଙ୍ଗା, ନିଶ୍ଚିନ୍ତକୋଇଲି, ଟାଙ୍କୀ ଓ ବ୍ରହ୍ମପୁରା ଅଞ୍ଚଳରେ ଆସିବାରେ ଲାଗିଛି। କୋଭିଡ ପରୀକ୍ଷା ନାଁରେ ସରକାରୀ ତହବିଲରୁ ମିଛ ବିଲ୍‌ କରିବା ଓ ମିଛ କୋଭିଡ୍‌ ପରୀକ୍ଷା ରିପୋର୍ଟ ପ୍ରସ୍ତୁତ କରି ଅଧିକ ସଂକ୍ରମିତ ସଂଖ୍ୟା ଦର୍ଶାଇବା ଯୋଜନାରେ ଏଭଳି ଚାଲିଥିବା ବେଳେ ଏଥିରେ ତଳୁ ଉପର ପର୍ଯ୍ୟନ୍ତ ଅନେକ କର୍ମଚାରୀ ଓ ଅଧିକାରୀ ସାମିଲ ଥିବା ଅଭିଯୋଗ ହେଉଛି। କରୋନା ପ୍ରଥମ, ଦ୍ବିତୀୟ ଲହର ସମୟରେ ଯେଉଁ ବ୍ୟକ୍ତିମାନେ ସ୍ବାବ ଦେଇଥିଲେ ଅଥବା ସଂକ୍ରମିତ ଚିହ୍ନଟ ହୋଇଥିଲେ, ସେମାନଙ୍କ ନାମ, ଫୋନ୍ ନମ୍ବର ଇତ୍ୟାଦି କଂପ୍ୟୁଟର ରେକର୍ଡରେ ରହିଥିବା ବେଳେ ସେହି ନମ୍ବର ଗୁଡିକୁ ଜାଲ୍ ରିପୋର୍ଟ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଉଛି। କିନ୍ତୁ ଏହି ଜାଲିଆତିରେ କଟକର ଲୋକଙ୍କୁ ବାଙ୍କୀ, ଆଠଗଡ଼ର ଲୋକଙ୍କୁ ବଡ଼ମ୍ବା ଅଞ୍ଚଳର ଦର୍ଶାଯାଇ ମିଛ ରିପୋର୍ଟ ପ୍ରସ୍ତୁତ କରାଯାଉଛି।

publive-image mentawaisurfcharters.com

‘ସମ୍ବାଦରେ ଏଭଳି କେଳେଙ୍କାରୀ ସଂପର୍କରେ ପ୍ରକାଶ ପାଇବା ପରେ କଟକରୁ ସ୍ବାସ୍ଥ୍ୟ ବିଭାଗର ଆର୍‌ଆରଟି ଟିମ୍‌ ଗତକାଲି ତିଗିରିଆ ବ୍ଲକ୍‌ ବିନ୍ଧାଣିମା ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ତଥ୍ୟ ଓ ସେମାନଙ୍କ କଣ୍ଟାକ୍ଟ୍‌ ଟ୍ରେସିଂ କରିବାକୁ ପଦକ୍ଷେପ ନେଇଥିଲେ। କିନ୍ତୁ ଜଣେ ବି ସଂକ୍ରମିତ ବ୍ୟକ୍ତିଙ୍କ ସଂପର୍କରେ ସୂଚନା ନମିଳିବାରୁ ସେହି ଲୋକଙ୍କୁ ଖୋଜି ବାହାର କରିବାକୁ ସ୍ଥାନୀୟ ଅଞ୍ଚଳର ଏଏନ୍‌ଏମ୍‌, ଆଶା କର୍ମୀଙ୍କୁ ଧରାଇ ଦେଇ ଆସିଥିଲେ। ହେଲେ ଆଶା କର୍ମୀ ଓ ‌ଏଏନ୍‌ଏମ୍‌ ବି ନିଜନିଜ ଅଞ୍ଚଳରେ ସେଭଳି ଲୋକଙ୍କୁ ଖୋଜି ପାଉ ନାହାନ୍ତି। ଏଭଳି ବଡ଼ ଧରଣର କେଳେଙ୍କାରୀ ସତ୍ତ୍ବେ ଉପରସ୍ଥ ଅଧିକାରୀ ଚୁପ୍‌ ବସିବା ଘଟଣା ଅଧିକ ସନ୍ଦେହର କାରଣ ହୋଇଛି। କେଳେଙ୍କାରୀ କରିଥିବା କର୍ମଚାରୀଙ୍କୁ ଧରିବା ବା ଏହାର କାରଣ ଖୋଜିବା ପରିବର୍ତ୍ତେ ସେମାନେ କର୍ମଚାରୀଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଛି। ଏଭଳି ଦୁର୍ନୀତିରେ କୋଟି କୋଟି ଟଙ୍କା ହଡ଼ପ ହୋଇ ଚାଲିଥିବା ବେଳେ ସରକାରୀ ନିଷ୍କ୍ରିୟତା ଉଦ୍‌ବେଗର କାରଣ ହୋଇଛି।