କରୋନା ଯୋଡ଼ିବ ସମ୍ପର୍କର ନୂଆ ସେତୁ, ଆପଣଙ୍କ ଛୋଟ ସାହାଯ୍ୟ ବୟସ୍କଙ୍କ ଓଠରେ ଦେବ ହସ

ଭୁବନେଶ୍ୱର: କରୋନା ୧୬୭ଟି ଦେଶରେ ନିଜର କାୟା ବିସ୍ତାର କରିଥିବାବେଳେ ଓଡିଶାରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ଆଉ କରୋନାକୁ ମୁକାବିଲା କରିବାକୁ ଏବେ ସରକାରଙ୍କ ସହ ସାଧାରଣ ଲୋକ ମଧ୍ୟ ଅଣ୍ଟା ଭିଡିଛନ୍ତି | ଏହି କ୍ରମରେ କିଛି ବୁଦ୍ଧିଜୀବୀ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି | ରାଜଧାନୀରେ ରହୁଥିବା ବରିଷ୍ଠ ନାଗରିକଙ୍କୁ ସହାୟତା କରିବା ପାଇଁ ସ୍ବେଛାସେବୀ ହେବା ପାଇଁ ଆହ୍ୱାନ ଜଣାଇଛନ୍ତି | ସିଲଭର ଏଜ ଫାଉଣ୍ଡେସନର ପ୍ରତିଷ୍ଠାତା ଅମରଜ୍ୟୋତି ମହାପାତ୍ର ଏହି ପ୍ରୟାସ ପାଇଁ ସାଧାରଣ ଜନତାଙ୍କ ସାହାଯ୍ୟ ମଧ୍ୟ ଚାହିଁଛନ୍ତି | ଅମରଜ୍ୟୋତିଙ୍କ କହିବା ମୁତାବକ କରୋନାର ଏଭଳି ସ୍ଥିତିରେ କେବଳ ସରକାର ନୁହେଁ ବରଂ ସାଧାରଣ ଲୋକଙ୍କର ଭୂମିକା ରହିଛି |

ବରିଷ୍ଠ ନାଗରିକଙ୍କ ସହ କୌଣସି ସ୍ପର୍ଶ ବା ନିକଟତର ନ ହୋଇ ବି ସ୍ବେଛାସେବୀ ଭାବେ ନିଜ ଭୂମିକା ତୁଲାଇହେବ | କରୋନା ଭୂତାଣୁ ଯୋଗୁଁ ଯେତିକି ଲୋକଙ୍କର ମୃତ୍ୟୁ ହେଉଛି ସେମାନଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଠ ନାଗରିକ ରହିଛନ୍ତି ଓ ବରିଷ୍ଠ ନାଗରିକଙ୍କ ସଂକ୍ରମିତ ସଂଖ୍ୟା ମଧ୍ୟ ଅଧିକ ବୋଲି ଚର୍ଚ୍ଚା ହୁଏ | ବିଶେଷ କରି ଯେଉଁ ବରିଷ୍ଠ ନାଗରିକମାନେ ଏକୁଟିଆ ରହୁଛନ୍ତି ବା ଯାହାଙ୍କର ପିଲାମାନେ ବାହାରେ ଚାକିରି କରୁଛନ୍ତି ସେମାନଙ୍କ ପାଇଁ କିଛି କରିବାର ଏକ ନୂଆ ପ୍ରୟାସ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି | ଏହି କାର୍ଯ୍ୟକ୍ରମ ଅଧୀନରେ ୩ଟି କାମ କରିବାକୁ ପଡିବ | ପ୍ରଥମ କାମ ହେଉଛି ସଚେତନ କରିବା, ଦ୍ଵିତୀୟ କାର୍ଯ୍ୟ ହେଉଛି ଔଷଧ ଓ ଖାଦ୍ୟ ସାମଗ୍ରୀ ଭଳି ଜରୁରୀ ସାମଗ୍ରୀ ଯୋଗାଇବା | ତେବେ ସ୍ବେଚ୍ଛାସେବୀମାନେ ସିଧାସଳଖ ନ ଯାଇ ବରିଷ୍ଠଙ୍କ ପାଖରେ ପରୋକ୍ଷ ଭାବରେ ପହଞ୍ଚାଇବେ |

ତୃତୀୟ କାମ ସ୍ୱରୂପ ଯେଉଁ ବରିଷ୍ଠ ନାଗରିକମାନେ ଏକୁଟିଆ ରହୁଛନ୍ତି ସେମାନଙ୍କ ସହ ଫୋନ ମାଧ୍ୟମରେ କିଛି କଥା ହେବେ | ବରିଷ୍ଠ ନାଗରିକଙ୍କ ଆଗ୍ରହ ବାବଦରେ ପଚାରିବୁଝିବେ | ପାଖାପାଖି ୧ ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିପାରିବେ | ଯଦି ସେମାନଙ୍କୁ ଟେଷ୍ଟର ଆବଶ୍ୟକତା ତେବେ ତାଙ୍କୁ ଠିକ ସ୍ଥାନକୁ ପରାମର୍ଶ ଦେଇପାରିବେ | ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ରାଜଧାନୀରେ ପ୍ରାୟ ଦେଢ଼ରୁ ଦୁଇ ଲକ୍ଷ ବରିଷ୍ଠ ନାଗରିକ ଥିବାବେଳେ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ଏକୁଟିଆ ଅଛନ୍ତି | ତେଣୁ ସେମାନଙ୍କୁ ସାହାଯ୍ୟ କରିବାକୁ ଏବେ କିଛି ବୁଦ୍ଧିଜୀବୀ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି | ଯଦି ଆପଣ ବି ସ୍ବେଛସେବୀଟିଏ ହୋଇ ନିଜକୁ ସମାଜ ସେବାରେ ସାମିଲ କରାଇବାକୁ ଚାହୁଁଛନ୍ତି ତେବେ ନିମ୍ନୋକ୍ତ ଲିଙ୍କରେ ନିଜ ନାମ ପଞ୍ଜୀକରଣ କରନ୍ତୁ |

ସମ୍ବନ୍ଧିତ ଖବର