ଜୟପୁର: ଏତେ ବଡ଼ ଜୟପୁର ସହରରେ ୩୦୦ରୁ ୫୦୦ଲୋକେ ବସିବା ଭଳି ଗୋଟିଏ ପ୍ରେକ୍ଷାଳୟ ଏ ବି ନାହିଁ। ଫ‌ାୟରଷ୍ଟେସନ୍ ପଡ଼ିଆ ପରିସରରେ ଖୋଲାମେଲା ଅବସ୍ଥାରେ ପଡ଼ିଛି ପ୍ରତାପ ନାରାୟଣ ସିଂଦେଓ ପ୍ରେକ୍ଷାଳୟ। ଏହାର ପୁନଃରୁଦ୍ଧାର ପାଇଁ  ପାରିଷଦ ବୈଠକରେ ଗତ ବର୍ଷକ ହେବ ଆଲୋଚନା ଜାରି ରହିଥିଲେ ଏପର୍ଯ୍ୟନ୍ତ କାର୍ଯ୍ୟନ୍ବୟନ ଆରମ୍ଭ ହୋଇନି। ସେଭଳି ଏହା ସହ ଆଉ ଗୋଟିଏ ନୂଆରେ ସାଂସ୍କୃତିକ ମଣ୍ଡପ ତଥା ଅତ୍ୟାଧୁନିକ ପ୍ରେକ୍ଷାଳୟ ନିର୍ମାଣ ପାଇଁ ଜମି ଚିହ୍ନଟ ଆଦି ହୋଇଥିଲେ ହେଁ ଏଯାଏଁ ଏହା ବି କାଗଜକଲମରେ ସୀମିତ ହୋଇ ରହିଛି। ଏହି ସ୍ଥିତିରେ ସବୁ ସରକାରୀ କାର୍ଯ୍ୟକ୍ରମ ପାଇଁ ଲକ୍ଷାଧିକ ଟଙ୍କା ଅଧିକା ଖର୍ଚ୍ଚ ବି ହେବା ସହ ସରକାରୀ ରାଜସ୍ବ ବି ଅଯଥାରେ ଯାଉଛି।

Advertisment

ସୂଚନାଯୋଗ୍ୟ, ସ୍ଥାନୀୟ ଫାୟରଷ୍ଟେସନ୍ ପଡ଼ିଆରେ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପ୍ରତାପ ନାରାୟଣ ସିଂଦେଓ ପ୍ରେକ୍ଷାଳୟ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଆରମ୍ଭର ଅଳ୍ପ କିଛି ମାସ ମଧ୍ୟରେ ହିଁ ଖରାଫ ହୋଇ ଯାଇଥିଲା। ସଂପ୍ରତି ଅସମାଜିକତତ୍ତ୍ବ, ବୁଲା କୁକୁର, ଗାଈ ଆଦିର ଆଡ୍ଡା ପାଲଟି ଯାଇଛି। ଦିନ ତମାମ କୁକୁର, ଗାଇ ଗୋରୁ ଏଠାରେ ବସା ବାନ୍ଧୁଥିବା ବେଳେ ସଂଧ୍ୟା ନଇଁବାମାତ୍ରକେ ନିଶାଡି, ମଦୁଆଙ୍କ ଆଡ୍ଡା ଜମୁଛି। ସହରରେ କିଛି ବଡ଼ କାର୍ଯ୍ୟକ୍ରମ କରିବା ପାଇଁ ବଡ ପ୍ରେକ୍ଷାଳୟଟିଏ ବି ନାହିଁ। ଦିନକୁ ଦିନ ନାଟକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଭଲ ସ୍ଥାନ ଖଣ୍ଡିକ ନଥିବାକୁ ନେଇ କେଏଫଡିସି ସହ ବିଭିନ୍ନ କଳାକାର, ସଂଗଠନ ପକ୍ଷରୁ ପୃଥକ ପୃଥକ ଭାବେ ବିଧାୟକ ତାରାପ୍ରସାଦ ବାହିନୀପତି ଓ ରାଜ୍ୟସରକାରଙ୍କ ଦୃଷ୍ଟି ଆକର୍ଷଣ ବି କରିଥିଲେ।

publive-image

ନୂଆ ପାରିଷଦ ଗଠନ ହେବା ପରେ ପୁରୁଣା ପ୍ରେକ୍ଷାଳୟକୁ ପୁନଃରୁଦ୍ଧାର କରିବା ପାଇଁ ବି ପାରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହାକୁ ୬୦ଲକ୍ଷ ଟଙ୍କା ବ୍ୟୟ କରି ପୁନଃରୁଦ୍ଧାର କରାଯିବା ଯୋଜନା ବି କରାଯାଇଥିଲା। ତାହା ଏଯାଏଁ କାର୍ଯ୍ୟକାରୀ ହୋଇ ପାରିନି। ସ୍ଥାନୀୟ ଜୀବନ ବୀମା କାର୍ଯ୍ୟାଳୟ ପାର୍ଶ୍ବରେ ଥିବା ସିଟି ବସ ରଖାଯାଇଥିବା ସ୍ଥାନର ପଛ ପାର୍ଶ୍ବରେ ନୂଆ ସାଂସ୍କୃତିକ ମଣ୍ଡପ ଓ ଅତ୍ୟାଧୁନିକ ଅଡିଟୋରିୟମ୍  ନିର୍ମାଣ କରାଯିବା ଯୋଜନା ରହିଥିଲା। ତେବେ ରାଜସ୍ବ ବିଭାଗ ନିକଟରୁ ଏଥି ପାଇଁ ଜମି ପୌରପାଳିକା ନିଜ ଅଧିନକୁ ନେଇ ନାହିଁ। ସେଭଳି ସିଟି ବସ ଗୁଡିକ ରହିଥିବା ସ୍ଥାନକୁ ପ୍ରେକ୍ଷାଳୟର ଗାଡ଼ି ପାର୍କିଂ ପାଇଁ ସ୍ଥାନ ଚିହ୍ନଟ କରିବାକୁ ଯୋଜନା କରାଯାଇଛି। ବସ ଚଳାଚଳ ପାଇଁ ଉକ୍ତ ଜମି ତାଙ୍କୁ ଦିଆଯାଇଥିଲା। ଯେ ହେତୁ ଆଉ ବସ ଗୁଡିକ ଚଳାଚଳ କରୁ ନାହିଁ , ତେଣୁ ଜମି ତାଙ୍କ ଠାରୁ ନିଆଯାଇ ସେଠାରେ ଜନସାଧରଣଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ସାଂସ୍କୃତିକ ମଣ୍ଡପ ଓ ଅତ୍ୟାଧୁନିକ ପ୍ରେକ୍ଷାଳୟା ନିର୍ମାଣ ପାଇଁ ବସ ସେଠାରୁ ଉଠାଯିବା କଥା ତାହା ବି ଏଯାଏଁ କାର୍ଯ୍ୟକାରୀ ହୋଇପାରିନି।

ଅପରପକ୍ଷରେ ଏହି ସିଟି ବସ ମଧ୍ୟରୁ ଦୁଇଟିରେ କେହି ଦୁର୍ବତ୍ତ ନିଆଁ ବି ଲଗାଇ ଦେଇଥିଲେ। ପୁରୁଣା ପ୍ରେକ୍ଷାଳୟର ପୁନଃରୁଦ୍ଧାର ହେଉ ନଥିବା ବେଳେ ନୂଆ ପ୍ରେକ୍ଷାଳୟର ଯୋଜନା କାଗଜକଲମରେ ସୀମିତ ରହିବା ଘଟଣାକୁ ସହରର କଳାକାର ମହଲରେ  ଉଦବେଗ ପ୍ରକାଶ ପାଇଛି। ଏହି ସ୍ଥିତିରେ ସହରବାସୀ କେବେ ଭଲ ପ୍ରେକ୍ଷାଳୟର ଲାଭ ଉଠାଇବେ ତାହା ସମୟ କହିବ।