ଭୁବନେଶ୍ବର: ଆୟୁର୍ବେଦରେ ଉପଯୁକ୍ତ ଉପଚାର ସହିତ ସନ୍ତୁଳିତ ଆହାର ଓ ଜୀବନଶୈଳୀ ଦ୍ୱାରା ଆରୋଗ୍ୟ ମିଳିପାରିବ। ବର୍ତ୍ତମାନ ସମସ୍ତେ ପ୍ରାୟ ଆଧୁନିକ ଚିକିତ୍ସା ପଦ୍ଧତି ଗ୍ରହଣ କରୁଛନ୍ତି। ଏହାର ପାର୍ଶ୍ବ ପ୍ରତିକ୍ରିୟା ଓ ବ୍ୟୟସାପେକ୍ଷ ଚିକିତ୍ସା ପ୍ରଣାଳୀ ଲୋକଙ୍କୁ ବିକଳ୍ପ ଚିକିତ୍ସା ପଦ୍ଧତି ସଂପର୍କରେ ଚିନ୍ତା କରିବା ପାଇଁ ବାଧ୍ୟ କରିଛି ବୋଲି ରାଜ୍ୟସ୍ତରୀୟ ଜାତୀୟ ଆୟୁର୍ବେଦ ଦିବସ-୨୦୨୫ ପାଳନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆୟୁର୍ବେଦ ଓ ଯୋଗ ଏକ ସୁସ୍ଥ ଜୀବନଯାପନ ପାଇଁ ମାର୍ଗଦର୍ଶନ କରିଥାଏ। ଏହା ପ୍ରକୃତି ଓ ଶରୀର ସହ ସମନ୍ୱୟ ରକ୍ଷା କରି ଜୀବନର ମାନକୁ ବୃଦ୍ଧି କରୁଥିବାରୁ ସମଗ୍ର ବିଶ୍ୱ ଏକ ଉତ୍ତମ ଚିକିତ୍ସା ପଦ୍ଧତି
ଭାବରେ ଗ୍ରହଣ କରିଛି। ଆୟୁର୍ବେଦ ମାନବ ଜୀବନର ଏକ ଅଂଶ ହେବା ଉଚିତ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାତୀୟ ଆୟୁଷ ମିସନ୍ ଅଧୀନରେ ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ବରରେ ୩ଟି ସମନ୍ବିତ ଆୟୁଷ ହସ୍ପିଟାଲ ନିର୍ମାଣ କରାଯାଉଛି। ଚଳିତବର୍ଷ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଏକ ନୂତନ ଆୟୁର୍ବେଦିକ କଲେଜ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୮୫ କୋଟି ଟଙ୍କା ଖର୍ଚ୍ଚ ହେବ। ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୁଷ ଅଧୀନରେ ଏକ ପଞ୍ଚକର୍ମ ୟୁନିଟ୍ କାର୍ଯ୍ୟରତ ଅଛି। ବରଗଡ଼ ଓ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଦୁଇଟି ୟୁନିଟ୍ ନିର୍ମାଣ କରାଯାଉଛି। ଅଧିକ ସ୍ବାସ୍ଥ୍ୟ ସୁବିଧା ପ୍ରଦାନ ପାଇଁ ଚଳିତବର୍ଷ ଆଉ ୮ଟି ନୂତନ ପଞ୍ଚକର୍ମ କେନ୍ଦ୍ର ବିଭିନ୍ନ ଜିଲ୍ଲା ଆୟୁର୍ବେଦିକ ମୁଖ୍ୟ କାର୍ଯ୍ୟାଳୟରେ ନିର୍ମାଣ କରାଯିବ।
ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ଆୟୁର୍ବେଦ ଚିକିତ୍ସା ମାଧ୍ୟମରେ ଚଳିତ ବର୍ଷ ଅଦ୍ୟାବଧି ପ୍ରାୟ ୨ କୋଟି ୩୦ ଲକ୍ଷରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ସେବା ଦିଆଯାଇଛି। ଏହି ଅବସରରେ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନ୍ୟୁଜ୍ ଲେଟର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ପ୍ରାରମ୍ଭରେ ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍. ସ୍ୱାଗତ ଭାଷଣ ଦେଇଥିବା ବେଳେ ଆୟୁଷ ନିର୍ଦ୍ଦେଶିକା ଅଞ୍ଜନା ପଣ୍ଡା ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/24/sfhsfshfsfhsfh-2025-09-24-01-56-22.jpg)