ବୁଦାମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁ

ଡାକ୍ତରଖାନାରେ ଭର୍ତ୍ତି

ଦାନଗଦୀ/ବ୍ୟାସନଗର : ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ପୁଣି ଏକ ନବଜାତ ଶିଶୁକୁ ଆଜି ଉଦ୍ଧାର କରାଯାଇଛି। ଏହି ଶିଶୁଟିକୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଶିଶୁ ସୁରକ୍ଷା ୟୁନିଟ୍‌ ତନାଘନା ଆରମ୍ଭ କରିଛନ୍ତି।

ଯାଜପୁରରୋଡ଼ ଥାନା ଅନ୍ତର୍ଗତ ତ୍ରିଜଙ୍ଗା ପଞ୍ଚାୟତ ସିଙ୍ଗାଡ଼ିଆ ଗ୍ରାମରେ ଏହି ଘଟଣା ଘଟିଛି। ମିଳିଥିବ ସୂଚନା ଅନୁସାରେ, ଏହି ଗ୍ରାମରେ ଥିବା ପୋଖରୀ ନିକଟସ୍ଥ ଏକ ବୁଦାମୂଳରେ ଏହି ଶିଶୁଟି ପଡ଼ିଥିଲା। ଶିଶୁଟିକୁ କପଡ଼ାରେ ଗୁଡ଼ା ଯାଇଥିଲା। ସେ କେଁ କେଁ ହୋଇ କାନ୍ଦୁଥିବାବେଳେ ପୁଞ୍ଜାଏ କୁକୁର ତା’ ଚାରିପାଖେ ବୁଲୁଥିଲେ। ସେହି ଗ୍ରାମର ଜଗନ୍ନାଥ ଦାସ ଓ ତାଙ୍କ ପତ୍ନୀ ପାର୍ବତୀ ଶିଶୁଟିକୁ ଉଦ୍ଧାର କରି ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ସେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତରଖାନା କର୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିବା ସହ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌କୁ ଖବର ଦେଇଥିଲା। ଶିଶୁ ସୁରକ୍ଷା ୟୁନିଟ୍‌ର ମିହିର କୁମାର ଜେନା, ଶିଶିର କୁମାର ମଲ୍ଲିକ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶିଶୁଟିକୁ ସେମାନଙ୍କଠାରୁ ଉଦ୍ଧାର କରିଥିଲେ। ଶିଶୁଟି ଏବେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ତା’ର ଅବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ତେବେ ସେ ଭଲ ବେହା ପରେ ତାକୁ ଶିଶୁଟିକୁ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରରେ ରଖାଯିବ।

ଅନ୍ୟପଟେ ଚାରିଦିନ ତଳେ ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ କୁଆଁରୀ ମା’ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ଡାକ୍ତରଖାନା କର୍ତୃପକ୍ଷଙ୍କୁ ନଜଣାଇ ଡାକ୍ତରଖାନାରୁ ଫେରାର ହୋଇଯାଇଥିଲା। ସେ କୁଆଡେ ନିଜ କୁଆରୀ ମାତୃତ୍ୱକୁ ଲୁଚାଇବା ପାଇଁ ନବଜାତ ଶିଶୁପୁତ୍ରଟିକୁ ଜଣେ ଆଶା ଦିଦିକୁ ହସ୍ତାନ୍ତର କରିଥିଲା। ମାତ୍ର ସଂପୃକ୍ତ ଆଶା ଦିଦି ଛୁଆଟିକୁ ବିକ୍ରି କରିଦେଇଥିବା ନେଇ ଚର୍ଚା ଜୋର୍‌ ଧରିଥିଲା। ଶିଶୁ ସୁରକ୍ଷା ୟୁନିଟ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରିଥିଲା। ମାତ୍ର ଆଜି ପୁଲିସ ନିଜ ତରଫରୁ ତତ୍ପରତା ଦେଖାଇବା ସହ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ନବଜାତ ଶିଶୁଟିକୁ ଜଗି ରହିଥିଲା। ମେଡ଼ିକାଲ କର୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ଯାଜପୁରରୋଡ଼ ପୁଲିସ ନଂ ୩୮୭/୧୭ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଯାଜପୁର ରୋଡ଼୍‍ ପୁଲିସ ଏକ ଚାରିଜଣିଆ ଟିମ୍‌ ଗଠନ କରି ତଦନ୍ତକୁ ଜୋର୍‌ଦାର କରିଛି। ଦୁଇଜଣ ପୁଲିସ ସିଙ୍ଗାଡ଼ିଆ ଗ୍ରାମକୁ ଯାଇଥିବା ବେଳେ ଆଉ ଦୁଇଜଣ ପୁଲିସ କୋରେଇ ଅଞ୍ଚଳକୁ ଯାଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର