ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତକ ସହ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ 

ଝାରସୁଗୁଡା: ଝାରସୁଗୁଡ଼ା ମୁଖ୍ୟ ଚିକତ୍ସାଳୟରେ ସ୍ବାସ୍ଥ୍ୟସେବାରେ ଅବହେଳା ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଏହାର କୌଣସି ପ୍ରତିକାର କରାଯାଉନଥିବା ଜଣାଯାଇଛି। ଆଜି ସକାଳେ ଏଠାରେ ଜଣେ ପ୍ରସୂତୀଙ୍କ ସହିତ ତାଙ୍କ ନବଜାତକର ମୃତ୍ୟୁ ଘଟିଥିବା ବେଳେ ପ୍ରସୂତୀ ବିଭାଗରେ ଚିକିତ୍ସାରେ ଅବହେଳା କରାଯାଇଥିବା ନେଇ ମୃତ ମହିଳାଙ୍କ ସ୍ବାମୀ ଓ ଶାଶୁ ଅଭିଯୋଗ କରିଛନ୍ତି।

କିର୍ମିରା ବ୍ଲକ ନକ୍ସାପାଲି ଗ୍ରାମର ଜଣେ ଅତି ଗରିବ ଦିନ ମଜୁରିଆ ଭାବରେ କାମ କରୁଥିବା ପ୍ରଶାନ୍ତ ବେହେରାଙ୍କ ପତ୍ନୀ ସୁନୀତା ବେହେରା(୩୦)ଙ୍କୁ ଗତକାଲି ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରଶାନ୍ତ ଓ ତାଙ୍କ ମାଁ କନକ ବେହେରାଙ୍କ ଅଭିଯୋଗ ଅନୁଯାୟୀ ଡାକ୍ତରଖାନାରେ ତାଙ୍କୁ କେହି ଭଲ ଭାବରେ ଚିକିତ୍ସାସେବା ପାଇଁ ସହଯୋଗ କରିନଥିଲେ । ସାରା ରାତି ଯନ୍ତ୍ରଣାରେ ଛଟପଟ ହେଉଥିବା ସୁନିତା ଆଜି ସକାଳ ୧୧ ଟାରେ ଏକ ମଲା ପୁତ୍ର ସନ୍ତାନ ଜନ୍ମ ଦେବାପରେ ବେହୋସ ହୋଇ ଯାଇଥିଲା। ତାଙ୍କୁ ତୁରନ୍ତ ଚିକିତ୍ସାର ଅବାଶ୍ୟକତା ଥିଲେ ମଧ୍ୟ କେହି ପଚାରିନଥିଲେ । କିଛି ସମୟ ପରେ ପ୍ରସୂତୀ ଜଣକ ହସପିଟାଲ ବେଡ୍‌ ଉପରେ ଆଖି ବୁଜି ଦେଇଥିଲେ।

ପ୍ରସୂତୀଙ୍କୁ ଉତ୍ତମ ସେବା ଯୋଗାଇ ଦେଇଥିଲେ ତାଙ୍କ ଜୀବନ ବଞ୍ଚା ଯାଇ ପାରିଥାନ୍ତା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ପ୍ରସୂତୀ ମାନଙ୍କ ଉତ୍ତମ ଚିକିତ୍ସା ସେବା ପାଇଁ ଜନନୀ ସୁରକ୍ଷା ଯୋଜନ ଭଳି ଅନେକ ବ୍ୟବସ୍ଥା କରିଥିବା ବେଳେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଜଣେ ପ୍ରସୂତୀ ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁମୁଖରେ ପଡ଼ିବା ଘଟଣା ସରକାରଙ୍କ ସବୁ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ସିଡିଏମ୍‌ଓଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ଛୁଟିରେ ଥିବା ଜଣାଯାଇଛି। ସିଡିଏମ୍‌ଓ ଦାୟିତ୍ବରେ ଥିବା ଡା. ଡୋଳାମଣି ପଟେଲଙ୍କୁ ପଚାରିବାରୁ ସେ କହିଲେ ଯେ, ଚିକିତ୍ସା ଅବହେଳା ନେଇ ମୋ ପାଖରେ କୌଣସି ଅଭିଯୋଗ ହୋଇ ନାର୍ହି। ସେଠାରେ ଦାୟିତ୍ବରେ ଥିବା ଡା. ବୁଲୁ ନାଏକ ଏ ନେଇ ସ୍ପଷ୍ଟ ଉତ୍ତର ଦେଇ ପାରିବେ। ତେବେ ପ୍ରସୂତୀଙ୍କ ପେଟରେ ଶିଶୁଟି ମରି ଯାଇଥିବା ବେଳେ ପ୍ରସବ ପରେ ଫୁଲ ବାହାରି ପାରିନଥିଲା। ତାର ରକ୍ତଚାପ ବଢ଼ିଥିବା ବେଳେ ସେ ଗୁରୁତର ଥିବା ‌ଡ. ପଟେଲ କହିଥିଲେ।

ସମ୍ବନ୍ଧିତ ଖବର