ଝରିଗାଁ: ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ ଇଛାପୁର ପଞ୍ଚାୟତ ଅନ୍ତର୍ଗତ ଡୁମୁଣିଗୁଡ଼ା ଗ୍ରାମକୁ ପକ୍କା ରାସ୍ତା ନଥିବା ଯୋଗୁଁ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଡୁମୁଣିଗୁଡ଼ା ଗ୍ରାମର ଚକ୍ରଧର ଜାନୀଙ୍କ ସ୍ତ୍ରୀ ବିମଳା ଜାନୀଙ୍କୁ ଆଜି ଦିନ ୧ଟା ବେଳେ ପ୍ରସବ ଜନିତ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତୁରନ୍ତ ଆଶା ଦିଦି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ହେଁ ଆମ୍ବୁଲାନ୍ସ ଡୁମୁଣିଗୁଡ଼ା ଗ୍ରାମକୁ ପକ୍କା ରାସ୍ତା ନଥିବା କାରଣରୁ ଦେଢ଼ କିଲୋମିଟର ଦୂର କରଲାପଡା ଗାଁ ନିକଟରେ ଅଟକି ଯାଇଥିଲା।
ଆମ୍ବୁଲାନ୍ସ ଅଟକିଥିବା ଖବର ପାଇ ପରିବାର ଲୋକ ସ୍ଥାନୀୟ ଆଶା ଓ ଗ୍ରାମବାସୀଙ୍କ ସହଯୋଗରେ ଖଟିଆ ଯୋଗେ ଦେଢ଼ କିଲୋମିଟର ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଗର୍ଭବତୀ ମହିଳାଙ୍କୁ ବୋହି ବୋହି ଆଣିଥିଲେ। ପରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଣାଯାଉଥିବା ବେଳେ ଗୌଡ଼ଗୁଡ଼ା ଗ୍ରାମ ନିକଟରେ ଗର୍ଭବତୀ ସେହି ଆମ୍ବୁଲାନ୍ସ ଭିତରେ ହିଁ ଏକ ନବଜାତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ।
ନବଜାତ ଓ ମାଆ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ହେଁ ପରବର୍ତ୍ତୀ ଅବସ୍ଥାରେ ନବଜାତ ଶିଶୁ ପୁତ୍ରର ରାସ୍ତାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଅନ୍ୟପଟେ ବ୍ଲକର ଉପାନ୍ତ ଗ୍ରାମର ଗର୍ଭବତୀଙ୍କୁ ପ୍ରସବ ପୂର୍ବରୁ ମାଗଣାରେ ରହିବା, ଖାଇବା ଏବଂ ନିୟମିତ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଝରିଗାଁ ସଦର ମହକୁମାରେ ମା’ ଗୃହ ସ୍ଥାପନ ହୋଇଛି । କିନ୍ତୁ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳା ଯୋଗୁ ଉପାନ୍ତ ଅଞ୍ଚଳର ଗର୍ଭବତୀମାନେ ଏହି ସୁବିଧାରୁ ବଞ୍ଚିତ ହୋଇ ପ୍ରସବ ସମୟରେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ତେଣୁ ଝରିଗାଁ ସ୍ୱାସ୍ଥ୍ୟ ବିଭାଗ ଉପାନ୍ତ ଅଞ୍ଚଳର ଗର୍ଭବତୀଙ୍କୁ ଚିହ୍ନଟ କରି ମା’ ଗୃହରେ ରଖିବା ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହୋଇଛି।
ସୂଚନା ଯୋଗ୍ୟ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଝରିଗାଁ ବ୍ଲକର ବହୁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି। ତେଣୁ ଜରୁରୀ ସମୟରେ ରୋଗୀ ଏବଂ ଗର୍ଭବତୀମାନେ ତ୍ବରିତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେବା ସହ ଷ୍ଟ୍ରେଚର କିମ୍ବା ଖଟିଆରେ ବୁହା ହେଉଥିବା ନଜିର ରହିଛି। ପକ୍କା ରାସ୍ତା ନଥିବା ଗ୍ରାମ ଗୁଡିକୁ ପ୍ରଶାସନ ତୁରନ୍ତ ଚିହ୍ନଟ କରି ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/28/Zp8F1F2P6Q2PB5l3Em02.jpg)