ଜଙ୍ଗଲରୁ ଉଦ୍ଧାର ନବଜାତ ଶିଶୁକନ୍ୟାକୁ ପାଳିବେ ଆଶାଦିଦି ପଙ୍କଜିନୀ!

ପାଟଣାଗଡ଼: ପୁଣି ଥରେ ଶିଶୁକନ୍ୟା ଅଲୋଡା ହୋଇଛି। ଜନ୍ମଦାତ୍ରୀ ମା’ ଶିଶୁକନ୍ୟାର କୁଆଁକୁଆଁ ଡାକକୁ ଏଡେଇ ଚାଲିଯାଇଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସାଲେପାଲି ଓ ଚକାମାଲ ଗ୍ରାମ ମଧ୍ୟରେ ଥିବା ଏକ ପାହାଡିଆ ଜଙ୍ଗଲ ନିକଟରେ ଥିବା ବୁଦାମୂଳରୁ ଆଜି ଏହି ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ସବୁଠାରୁ ବଡ଼ କଥା ହେଲା ଯେ, ଆଶାଦିଦି ପଙ୍କଜିନୀ ମେହେର ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଥିବାରୁ ସେ ତାକୁ ଘରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସାଲେପାଲି ଓ ଚକାମାଲ ମଝିରେ ଏକ ପାହାଡ ଓ ଜଙ୍ଗଲ ରହିଛି । ଉକ୍ତ ଜଙ୍ଗଲକୁ ଗ୍ରାମର କିଛି ଲୋକେ ଯାଇଥିବା ବେଳେ ସେଠାରେ ଥିବା ଏକ ବୁଦାମୂଳରେ ନବଜାତ ଶିଶୁକନ୍ୟା ପଡିଥିବା ଦେଖିବାକୁ ପାଇଥିଲେ । ନବଜାତ ସେହି ସମୟରେ କାନ୍ଦୁଥିଲା। ପରେ ସେମାନେ ଗ୍ରାମକୁ ଆସି ସାଲେପାଲି ଆଶାଦିଦି ପଙ୍କଜିନୀ ମେହେରଙ୍କୁ ଏହି ଖବର ଦେଇଥିଲେ । ଘଟଣାସ୍ଥଳକୁ ଗ୍ରାମାବସୀଙ୍କ ସହିତ ଆଶା ଦିଦି ପଙ୍କଜିନୀ ଯାଇ ସେଠାରୁ ଶିଶୁକନ୍ୟାକୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ନବଜାତ ଶିଶୁ କନ୍ୟାର ମା’-ବାପା କିଏ ଏବଂ ତାକୁ କାହିଁ ବୁଦାମୂଳରେ ପକାଇ ଦିଆ ଯାଇଥିଲା ତାହାର ଉଚିତ ତଦନ୍ତ କରିବା ପାଇଁ ଦାବି ହୋଇଛି । ଶିଶୁର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ବେଳେ ତାକୁ ଆଶାଦିଦି ନିଜେ ରଖି ପାଳନ କରିବେ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର

Comments are closed.