ଉଲୁଣ୍ଡା: ଜନ୍ମଦାତ୍ରୀ ମା’ ନବଜାତ ଶିଶୁପୁତ୍ରର ମୁହଁ ଚାହିଁଲା ନାହିଁ। ଅଳିଆଗଦାରେ ଫିଙ୍ଗି ଦେଇ ଚାଲିଯାଇଛି। ଶୀତ-କାକରରେ ପଡ଼ି କୁଆଁକୁଆଁ ଡାକୁଥିବା ଶିଶୁପୁତ୍ରକୁ ଫୁଲ ତୋଳିବାକୁ ଯାଇଥିବା ଜଣେ ଲୋକ ଉଦ୍ଧାର କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅଧୀନ ମାଟିଖାଇ ଗ୍ରାମର ରାସ୍ତାକଡ଼ରେ ଆଜି ସକାଳୁ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ଗ୍ରାମ ରାସ୍ତାକଡ଼ ନିକଟରେ ଥିବା ଏକ ଅଳିଆ ଗଦାରୁ ଆଜି ସକାଳୁ ଏକ ନବଜାତ ଶିଶୁପୁତ୍ରର କୁଆଁକୁଆଁ କ୍ରନ୍ଦନ ଶୁଭୁଥିଲା। ଗ୍ରାମର ଗୁପ୍ତେଶ୍ୱର ଝାଙ୍କର୍ ରାସ୍ତା ନିକଟକୁ ଫୁଲ ତୋଳିବାକୁ ଯାଇଥିଲେ। ସେତେବେଳେ ସେ ପ୍ରଥମେ ଶିଶୁପୁତ୍ରର କୁଆଁକୁଆଁ ଡାକ ଶୁଣିଥିଲେ। ଅଳିଆ ଗଦା ପାଖକୁ ଯାଇ ଦେଖିବାରୁ ସେଠାରେ ଏକ ଶିଶୁପୁତ୍ର ପଡ଼ି ଥିବା ଜାଣିବାକୁ ପାଇଥିଲେ। ତୁରନ୍ତ ସେଠାରୁ ଶିଶୁପୁତ୍ରକୁ ଉଦ୍ଧାର କରି ଉଲୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ର।ଥମିକ ଚିକିତ୍ସା ପରେ ଶିଶୁପୁତ୍ର ସୁସ୍ଥ ଥିବା ଜଣାପଡ଼ିଛି। ତେବେ ଶିଶୁଟି କାହାର ଏବଂ କିଏ ଅଳିଆ ଗଦାରେ ନେଇ ପକାଇଥିଲା ଜଣାପଡିନାହିଁ। କିନ୍ତୁ କେହି ଜଣେ ମହିଳା ନବଜାତ ଶିଶୁପୁତ୍ରକୁ ଜନ୍ମ କଲା ପରେ ଅଳିଆଗଦାରେ ଫିଙ୍ଗି ଦେଇ ଚାଲି ଯାଇଥିବା ନେଇ ସନ୍ଦେହ କରାଯାଉଛି। ଅନ୍ୟପଟରେ ଡିସିପିଓଙ୍କ କହିବା ଅନୁସାରେ ଶିଶୁପୁତ୍ରକୁ ଚିକତ୍ସା କରାଯାଇଛି। ଶିଶୁଟି କାହାର ସେନେଇ ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/01d34dca-4b80-4701-8aa7-70a34034d0d3.jpeg)