ନଦୀ ପୋଲ ତଳୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର, ଡାକ୍ତରଖାନାରେ ଚିକିତ୍ସା ଜାରି

ବାରିପଦା: ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରରେ ଏକ ସଦ୍ୟ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ସାତମହଲା ବିଲ୍ଡିଂ ପାର୍ଶ୍ଵରେ ଥିବା ଜରାଳି ନଦୀର ପୋଲ ତଳେ ଆଜି ସକାଳୁ ଏକ ନବଜାତ ଶିଶୁପୁତ୍ର ପଡ଼ିଥିବାର ଦେଖିବାକୁ ମିଳିଥିଲା।

ଏ ବିଷୟରେ ଖବର ପାଇ ଭୋର୍ ୫ଟାରେ ମେଡିକାଲରେ ନିୟୋଜିତ ଥିବା ସଫେଇ କର୍ମଚାରୀ ଆର୍ତ୍ତ ମୁଖୀ, ଅଭିଳାଷ ମୁଖୀ ଓ ଗୌତମ ଘଡ଼େଇ ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ରଟିକୁ ଉଦ୍ଧାର କରିବା ସହ ତାର ଚିକିତ୍ସା ନିମନ୍ତେ ମେଡିକାଲକୁ ଆଣିଥିଲେ। ଶିଶୁଟିର ଡାହାଣ ପାର୍ଶ୍ଵ ଗାଲରେ ସାମାନ୍ୟ ଆଘାତ ହୋଇ ରକ୍ତ ବାହାରୁଥିବାର ଦେଖିବାକୁ ମିଳିଥିଲା।

image source-facebook

ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ ଶିଶୁଟି ଛଅ ମାସରେ ଜନ୍ମ ନେଇଛି। ଏହାଛଡ଼ା ବର୍ତ୍ତମାନ ତା’ର ଅବସ୍ଥା ସେତେଟା ଭଲ ନ ଥିବା କଥା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର। ଏହି ଘଟଣା ଏବେ ବାରିପଦା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର