ବିଚ୍ଛିନ୍ନାଞ୍ଚଳର ଯଡ଼ାମ୍ବରେ ନୂଆ ବିଏସ୍‌ଏଫ୍‌ କ୍ୟାମ୍ପ : ନକ୍ସଲଙ୍କ ପତିଆରା କମୁଛି

ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ କମୁଛି ନକ୍ସଲଙ୍କ ପତିଆରା। ଜନ ସମର୍ଥନ ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି। ଉନ୍ନୟନ କାର୍ଯ୍ୟ ତ୍ବରାନ୍ବିତ ହେବାପରେ ବଦଳୁଛି ବିଚ୍ଛାନ୍ନଞ୍ଚଳର ଚିତ୍ର। ଏହାରି ମଧ୍ୟରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯଥଷ୍ଟେ ମଜଭୁତ ହୋଇଛି। ତେଣୁ ବେକଫୁଟ୍‌କୁ ଚାଲି ଯାଇଛନ୍ତି ନକ୍ସଲ। ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଦୁର୍ଗମ ଯଡ଼ାମ୍ବ ଅଞ୍ଚଳରେ। ନକ୍ସଲଙ୍କୁ ମୂଳପୋଛ କରିବାକୁ ଆଜି ଏଠାରେ ନୂଆ ବିଏସ୍‌ଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ସେହିପରି ପୂର୍ବରୁ ଏଠାରେ ଥିବା ଅସ୍ଥାୟୀ ଥାନାକୁ ବି ଅଧିକ କ୍ରିୟାଶୀଳ କରାଯାଇଛି।

ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ପରେ ଓଡ଼ିଶା ସରକାର ବିକାଶକୁ ସର୍ବାଧିକ ଗୁରୁତ୍ବ ଦେଇ ଆସୁଛନ୍ତି। ତେବେ ନକ୍ସଲ ସଦୃଶ ପ୍ରତିବନ୍ଧକ ଯୋଗୁଁ ବିକାଶ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଥିଲା। ତେଣୁ ରଣନୀତି ଅନୁଯାୟୀ, ପୂର୍ବରୁ ବଡ଼ପଡ଼ା, ଯନ୍ତାପାଇ, ହନ୍ତାଳଗୁଡାଠାରେ ବିଏସ୍‌ଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇଥିଲା। ଏହାପରେ ଆଉ ଦୁଇ ପାଦ ଆଗକୁ ବଢ଼ି ଆଜି ଯଡ଼ାମ୍ବରେ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଯାହାକି ସ୍ଥାନୀୟ ଲୋକଙ୍କୁ ଆଶ୍ବସ୍ତ କରିଥିବା ବେଳେ ନକ୍ସଲଙ୍କୁ ଦୁଇ ପାଦ ପଛକୁ ଯିବା ପାଇଁ ବାଧ୍ୟ କରିଛି। ବିଚ୍ଛିନ୍ନାଞ୍ଚଳର ୯ଟି ପଞ୍ଚାୟତ ଅନ୍ତର୍ଗତ ପ୍ରାୟ ୧୫୨ଟି ଗାଁ ନକ୍ସଲଙ୍କ ପାଇଁ ଅଭୟାରଣ୍ୟ ପାଲଟିଥିଲା। ଦିନରେ ବି ଏହି ଅଞ୍ଚଳରେ ନକ୍ସଲଙ୍କ ଚଳପ୍ରଚଳ ଲାଗି ରହିଥିବା ବେଳେ ଲୋକେ ସଂପୂର୍ଣ୍ଣ ଅକ୍ତିଆରରେ ରହିଥିଲେ। ନକ୍ସଲଙ୍କ ବିନା ଅନୁମତିରେ ଗ୍ରାମବାସୀ ଘରୁ ସୁଦ୍ଧା ବାହାରୁ ନଥିଲେ। ପ୍ରତ୍ୟେକ କାମ ପାଇଁ ନକ୍ସଲଙ୍କଠାରୁ ଅନୁମତି ଆଣୁଥିଲେ। ସମ୍ବିଧାନ ବଦଳରେ ନକ୍ସଲଙ୍କ ରାୟ ଏବଂ ଆଇନ ହିଁ ପ୍ରଚଳିତ ହେଉଥିଲା। ଏପରିକି ଲୋକେ ମଧ୍ୟ ସରକାର ଏବଂ ପ୍ରଶାସନ ବିରୋଧରେ ସ୍ବର ଉଠାଉଥିଲେ। ତେବେ ଜାନୁଆରି ୨୬ତାରିଖଠାରୁ ସବୁ କିଛି ଓଲଟପାଲଟ ହୋଇଯାଇଛି। ବିଚ୍ଛିନ୍ନାଞ୍ଚଳବାସୀ ଦୁଇ ଭାଗରେ ବିଭକ୍ତ ହୋଇଗଲେ। ଛକାପଞ୍ଝା ଆରମ୍ଭ ହୋଇଥିବା ବେଳେ ନକ୍ସଲ ପୂର୍ବ ଅବସ୍ଥା ଫେରାଇ ଆଣିବାକୁ କିଛି ନିରୀହ ଗ୍ରାମବାସୀଙ୍କୁ ହତ୍ୟା କରି ଭୟ ସୃଷ୍ଟି କଲେ। ବ୍ୟାନର, ପୋଷ୍ଟର ମାରି ଧମକ ଦେଲେ। ତଥାପି ବିଚ୍ଛିନ୍ନାଞ୍ଚଳରେ ବିଶେଷ ପ୍ରଭାବ ପଡ଼ି ନଥିଲା।

ଅନ୍ୟପକ୍ଷରେ ସମୟକ୍ରମେ ବିଚ୍ଛିନ୍ନାଞ୍ଚଳରେ ଜନ ସମର୍ଥନ ହରାଇଥିବା ନକ୍ସଲଙ୍କୁ ଏଠାରୁ ସଂପୂର୍ଣ୍ଣ ଉଚ୍ଛେଦ କରିବାକୁ ଏବେ ନୂଆ ରଣନୀତି ଅନୁଯାୟୀ ପୁଲିସ ଏବଂ ପ୍ରଶାସନ କାମ ଆରମ୍ଭ କରିଛି। ସୁରକ୍ଷା କର୍ମୀଙ୍କ ସଂଖ୍ୟା ବଢ଼ାଇ ଉନ୍ନୟନ ମୂଳକ କାର୍ଯ୍ୟକୁ ସୁରକ୍ଷାର ଗୋଟିଏ ବଳୟ ଯୋଗାଇ ଦିଆଯାଉଛି। ଯଡ଼ାମ୍ବ ପଞ୍ଚାୟତର ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଥାନା ଏବଂ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ଏହି ରଣନୀତିର ଗୋଟିଏ ଅଂଶ ବିଶେଷ। ସେହିପରି ପଣସପୁଟ ଅଞ୍ଚଳରେ ସାମାନ୍ୟ ପ୍ରଭାବ ରହିଥିବାରୁ ଏଠାରେ ମଧ୍ୟ ଗୋଟିଏ ବିଏସ୍‌ଏଫ କ୍ୟାମ୍ପ ପ୍ରତିଷ୍ଠା କରାଗଲେ ନକ୍ସଲ ଏହି ଅଂଚଳ ଛାଡ଼ିବାକୁ ବାଧ୍ୟ ହେବେ ମତ ପ୍ରକାଶ ପାଇଛି। ଏହା ବ୍ୟତୀତ ଅଣ୍ଡ୍ରାପାଲି ଏବଂ ଯନ୍ତ୍ରୀରେ ମଧ୍ୟ କ୍ୟାମ୍ପ ପ୍ରତିଷ୍ଠା ହେଲେ ବିଚ୍ଛିନ୍ନାଞ୍ଚଳ ସଂପୂର୍ଣ୍ଣ ନକ୍ସଲମୁକ୍ତ ହୋଇଯିବ ବୋଲି କୁହାଯାଇଛି। ତେବେ ଆଗକୁ ପୁଲିସ ଆଉ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର