୧୫ରୁ ନୂଆ ବିଏସ୍‌କେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡ, ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାରେ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ରାଜ୍ୟ ବାହାରର ଅଧିକ ଘରୋଇ ହସ୍ପିଟାଲକୁ ସାମିଲ ଲକ୍ଷ୍ୟ

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ର କଳେବର ବଢ଼ିବ। ଏହା ଅଧୀନରେ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରହିଥିବା ୯୨.୫ଲକ୍ଷ ପରିବାରଙ୍କୁ ସ୍ବାସ୍ଥ୍ୟ ସୁବିଧା ମିଳିବ। ସ୍ବାଧୀନତା ଦିବସରେ ରାଜ୍ୟରେ କାର୍ଯ୍ୟକାରୀ ହେବ ନୂତନ ବିଏସ୍‌କେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡ। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ସୁନ୍ଦରଗଡ଼, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାରେ ଏହି କାର୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣ୍ଟନ କରିବେ। ପରବର୍ତୀ ସମୟରେ ଅନ୍ୟ ଜିଲ୍ଲାରେ ଏହି କାର୍ଡ ବଣ୍ଟାଯିବ। ଯାହାଫଳରେ ରାଜ୍ୟରେ ଅଧିକରୁ ଅଧିକ ଲୋକ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇପାରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

୨୦୧୮ ମସିହା ସ୍ବାଧୀନତା ଦିବସରେ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଥିଲା। ଏଥିରେ ବିଜୁ କୃଷକ କଲ୍ୟାଣ ଯୋଜନା ବା ବିକେକେୱାଇ-୧‌ରେ ୨୫,୬୧,୬୦୨, ବିକେକେୱାଇ-୨ରେ ୪୪,୦୮,୦୭୦, ବିପିଏଲ, ଅନ୍ତୋଦୟ ଓ ନିମ୍ନ ଆୟ ବର୍ଗର ୨ଲକ୍ଷ ଲୋକଙ୍କୁ ମିଶାଇ ସମୁଦାୟ ୭୧ଲକ୍ଷ ୬୯ ହଜାର ୬୭୨ ପରିବାରଙ୍କୁ ଏଥିରେ ସାମିଲ କରାଯାଇଥିଲା। ବର୍ଷକୁ ଗୋଟିଏ ପରିବାରକୁ ୫ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସହାୟତା ଦିଆଯାଇଛି। ମାତ୍ର ସଂଶୋଧିତ ନିର୍ଦେଶାବଳୀ ଅନୁଯାୟୀ ଏନ୍‌ଏଫ୍‌ଏସ୍‌ଏ/ଏସ୍‌ଏଫ୍‌ଏସ୍‌ଏ ଅଧୀନରେ ଥିବା ରାଜ୍ୟର ୨୦ଲକ୍ଷ ୮୦ହଜାର ୩୨୮ ପରିବାର ସାମିଲ ହୋଇଛନ୍ତି। ଯାହାଫଳରେ ବିଏସ୍‌କେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡର କଳେବର ବୃଦ୍ଧି ପାଇଛି।

ହସ୍ପିଟାଲରେ ସେବା ପାଇବା ପାଇଁ ହିତାଧିକାରୀଙ୍କୁ ବିଏସ୍‌କେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡ କିମ୍ବା ଏନ୍‌ଏଫ୍‌ଏସ୍‌ଏ/ଏସ୍‌ଏଫ୍‌ଏସ୍‌ଏ କାର୍ଡ ଦେଖାଇବାକୁ ହେବ। ବିଏସ୍‌କେୱାଇ ଅଧୀନରେ ଏବେ ୧୮୩ଟି ହସ୍ପିଟାଲ ଅନୁବନ୍ଧିତ ହୋଇଥିବା ବେଳେ ୧୫୮୯ ପ୍ରକାର ପ୍ୟାକେଜ୍ ଦିଆଯାଉଛି। ରାଜ୍ୟ ବାହାରେ ରାଜ୍ୟ ଚିକିତ୍ସା ପାଣ୍ଠି ବା ଓଏସ୍‌ଟିଏଫ୍‌ ଅଧୀନରେ ୧୭ଟି ହସ୍ପିଟାଲ ଅନୁବନ୍ଧିତ ରହିଛି। ରାଜ୍ୟ ବାହାରେ ଅଧିକରୁ ଅଧିକ ଘରୋଇ ହସ୍ପିଟାଲମାନଙ୍କୁ ଏଥିରେ ସାମିଲ କରିବା ଲାଗି ଉଦ୍ୟମ କରାଯାଉଛି। ସେପ୍ଟେମ୍ବର ୧ତାରିଖରୁ ଏହା କାର୍ଯ୍ୟକାରୀ ହେବ। ଏହାସହ ଚିକିତ୍ସା ସୁବିଧା ପାଇଁ ବିକେକେୱାଇ ୧-୨ କାର୍ଡ, ଅନ୍ତୋଦୟ, ବିପିଏଲ, ନିମ୍ନ ଆୟ ସାର୍ଟିଫିକେଟ୍‌ର ଆବଶ୍ୟକତା ପଡ଼ିବ ନାହିଁ। ଚଳିତମାସରେ ମାଲକାନଗିରି, ସୁନ୍ଦରଗଡ଼, ଗଜପତି, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାରେ କାର୍ଡ ବିତରଣ କରାଯିବ। ଆସନ୍ତା ନଭେମ୍ବର ୧୪ ସୁଦ୍ଧା ସବୁ ଜିଲ୍ଲାରେ କାର୍ଡ ବଣ୍ଟନ କାର୍ଯ୍ୟ ଶେଷ ହେବ। ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଏହି କାର୍ଡ ବଣ୍ଟାଯିବ।

ତେବେ ରାଜ୍ୟରେ କିଛି ଜିଲ୍ଲାରେ କୌଣସି ଘରୋଇ ହସ୍ପିଟାଲ ଅନୁବନ୍ଧିତ ନ ଥିବା ବେଳେ କେତେକ ଜିଲ୍ଲାରେ ଏହା କମ୍ ରହିଛି। ତେଣୁ ଏହି ସଂଖ୍ୟା ବୃଦ୍ଧି କରିବା ଲାଗି ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି। ବୌଦ୍ଧ, ଦେବଗଡ଼, କନ୍ଧମାଳ, କୋରାପୁଟ, ମାଲକାନିଗିରି ଓ ନୂଆପଡ଼ା ଜିଲ୍ଲାରେ କୌଣସି ଘରୋଇ ହସ୍ପିଟାଲରେ ବିଏସ୍‌କେୱାଇରେ ଅନୁବନ୍ଧିତ ନାହାନ୍ତି। ଏହାସହ ବଲାଙ୍ଗୀର, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ସୋନପୁର ଓ ସୁନ୍ଦରଗଡ଼ରେ ୫ରୁ କମ୍ ହସ୍ପିଟାଲ ଅନୁବନ୍ଧିତ ‌ରହିଛନ୍ତି। ତେଣୁ ଯେଉଁ ହସ୍ପିଟାଲ ଗୁଡ଼ିକ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନରେ ପଞ୍ଜୀକୃତ ହେବା ସହିତ ବୈଧ ଅଗ୍ନି ଓ ନିରାପତ୍ତା ସାର୍ଟିଫିକେଟ୍‌ ରହିଥିବ ସେମାନେ ବିଏସ୍‌କେୱାଇରେ ଅନୁବନ୍ଧିତ ହେବା ଲାଗି ଆବେଦନ କରିପାରିବେ। ଜିଲ୍ଲାସ୍ତରୀୟ ଅନୁବନ୍ଧିତ କମିଟି ଓ ସିଡିଏମ୍‌ଓଙ୍କ ପକ୍ଷରୁ ଏହାର ଯାଞ୍ଚ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର