ନୂଆଗାଁରେ ବାଟ ହୁଡ଼ିଛି ଯୋଜନା, କାମରେ ଆସୁନି ନବନିର୍ମିତ ପ୍ରକଳ୍ପ

ନୂଆଗାଁ: ଲୋକଙ୍କୁ ମୌଳିକ ସୁବିଧାସୁଯୋଗ ଯୋଗାଇ ଦେବାକୁ ସରକାର ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସରକାରୀ କର୍ମଚାରୀଙ୍କ ଉଦାସୀନତା ପାଇଁ ସବୁ ଯୋଜନା ବାଟବଣା ହେଉଛି। ଏହାର ଉଦାହରଣ ନୂଆଗାଁ ବ୍ଲକ୍‌ରେ ଦେଖିବାକୁ ମିଳିଛି। ବର୍ଷ ବର୍ଷ ଧରି ସରକାରୀ କାର୍ଯ୍ୟାଳୟ ଏବଂ ବିଦ୍ୟୁତ୍ ସବ୍‌ଷ୍ଟେସନ୍‌ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଆଜି ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ନୂଆଗାଁ ବ୍ଲକ୍‌ ବାହାଡ଼ାଝୋଲା ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ ସେବାରେ ବିଭ୍ରାଟ ହେବା ପରେ ଏକ ସବ୍‌ଷ୍ଟେସନ୍ ନିର୍ମାଣ ପାଇଁ ଉପଭୋକ୍ତାମାନେ ଦାବି କରି ଆସୁଥିଲେ। ସବୁ ସମୟରେ ଲୋ-ଭୋଲ୍‌ଟେଜ୍‌ ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ହେଉଥିଲା। ଏହାପରେ ଉପଭୋକ୍ତାଙ୍କ ଦାବିକୁ ଦୃଷ୍ଟିରେ ରଖି ଏକର ଏକର ଜମି ଅଧିଗ୍ରହଣ କରି କୋଟି କୋଟି ଟଙ୍କା ବ୍ୟୟରେ ବିଦ୍ୟୁତ୍ ସବ୍‌ଷ୍ଟେସନ୍‌ ନିର୍ମାଣ କରାଗଲା। କିନ୍ତୁ ଏବେ ତାହା କାମରେ ଲାଗୁ ନ ଥିବାରୁ ଗ୍ରାହକମାନେ ପୂର୍ବ ପରି ହନ୍ତସନ୍ତ ହେଉଛନ୍ତି। ଏବେ ବାହାଡ଼ାଝୋଲା ସମେତ ହରିପୁର, କାନ୍ଧ୍ରାପଲ୍ଲୀ, ସିଙ୍ଗାରପଲ୍ଲୀ, ବେରୁଆଁବାରୀ ଆଦି ଗ୍ରାମର ଲୋକେ ବିଦ୍ୟୁତ୍ ସେବା ନ ପାଇ କଲବଲ ହେଉଛନ୍ତି।
ସେହିପରି ରାଜସ୍ବ କାର୍ଯ୍ୟାଳୟରେ ବି ଅଚଳାବସ୍ଥା ଦେଖିବାକୁ ମିଳିଛି। ଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଏବେ ସେହି ପୁରୁଣା ଘରେ ରାଜସ୍ବ କାର୍ଯ୍ୟାଳୟ ଚାଲିଛି। ରାଜସ୍ବ କାର୍ଯ୍ୟାଳୟ ଉପରେ ବାହାଡ଼ାଝୋଲା ସମେତ ହରିପୁର, ବେରୁଆଁବାରୀ, ସିଙ୍ଗାରପଲ୍ଲୀ, କାନ୍ଧ୍ରାପଲ୍ଲୀ ଗୁମୀ ପଞ୍ଚାୟତର ୯୬ଟି ଗ୍ରାମ ନିର୍ଭର କରୁଛନ୍ତି। ବର୍ଷାଦିନେ ପୁରଣା କାର୍ଯ୍ୟାଳୟରେ ସମସ୍ତ ଦରକାରୀ କାଗଜପତ୍ର ଓଦା ହେବା ସହିତ କର୍ମଚାରୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଲକ୍ଷାଧିକ ଟଙ୍କା ବ୍ୟୟରେ ଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ହସ୍ତାନ୍ତର ହୋଇନାହିଁ। ଫଳରେ ଜନ ଅସନ୍ତୋଷ ଦେଖାଯାଇଛି। ତୁରନ୍ତ ଘର ହସ୍ତାନ୍ତର କରି କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି।
ବାହାଡ଼ାଝୋଲାଠାରେ ଏକ ପଶୁ ସଂପଦ କାର୍ଯ୍ୟାଳୟ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ପାନୀୟ ଜଳ, ବିଦ୍ୟୁତ୍ ଆଦି ସମସ୍ୟା ଲାଗି ରହିଥିବାରୁ ଘର ହସ୍ତାନ୍ତର ହୋଇ ପାରୁ ନଥିବା ଆସିଷ୍ଟାଣ୍ଟ ଭେଟେରିନାରି ଅଫିସର କହିଛନ୍ତି। ଅନ୍ୟପକ୍ଷରେ ଘର କାମ ସଂପୂର୍ଣ୍ଣ କରାଯାଇ ଘର ହସ୍ତାନ୍ତର କରାଯାଇଥିବା ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ ଶରତ ପଢିଆରୀ କହିଛନ୍ତି।
କାହା ଭୁଲ୍ ପାଇଁ ଏହି ସବୁ ପ୍ରକଳ୍ପ ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି ତାହା ଏବେ ତଦନ୍ତ ସାପେକ୍ଷ ହୋଇ ପଡିଛି। ଏଥିରେ ସାଧାରଣ ଲୋକେ ପ୍ରଭାଭିତ ହେବା ସହିତ ସରକାରୀ କର୍ମଚାରୀମାନେ ଦୁର୍ଦ୍ଦଶା ଭୋଗୁଥିବା ଦେଖିବାକୁ ମିଳିଛି। ତୁରନ୍ତ ଘର ସଂପୂର୍ଣ୍ଣ କରି କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର