କଳାହାଣ୍ଡି : ବହୁ ଦିନର ସ୍ୱପ୍ନ ପୂରଣ ହେଲା; ଜିଲ୍ଲା ଦୌରାଜଜ କୋର୍ଟର ନୂଆ କୋଠା ଉଦ୍‌ଘାଟିତ

ନ୍ୟାୟ ପାଇଁ ଆସୁଥିବା ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିବା ଉଚିତ : ହାଇକୋର୍ଟ ମୁଖ୍ୟ ବିଚାରପତି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଥିବା ରାଜୁଡ଼ା ଅମଳର କୋଠାରେ ଜିଲ୍ଲା ଦୌରାଜଜ କୋର୍ଟ ଚାଲି ଆସୁଥିଲା। ବହୁଦିନର ସ୍ୱପ୍ନର ଅବସାନ ଘଟି ଶନିବାର ମାନ୍ୟବର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡ. ଏସ୍‌. ମୁରଲୀଧରଙ୍କ ଦ୍ଵାରା ଜିଲ୍ଲା ଦୌରାଜଜ କୋର୍ଟର ନୂଆ କୋଠା ଉଦ୍‌ଘାଟିତ ହୋଇଛି। ଏହି ଅଦାଲତ ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ତଥା ନ୍ୟାୟ ପାଇଁ ଆସୁଥିବା ଲୋକଙ୍କୁ ଅଦାଲତଠାରୁ ନିର୍ଧାରିତ ସମୟରେ ନ୍ୟାୟ ମିଳିବା ଉଚିତ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌. ମୁରଲୀଧର  କହିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ସଂଜୀବ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ଓ ଦୌରା ଜଜ ପ୍ରଦୀପ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାରମ୍ଭରେ କଳାହାଣ୍ଡି ଲେଖକ କଳା ପରିଷଦ ସଂଗୀତ ମହାବିଦ୍ୟାଳୟର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଜିଲ୍ଲା ଓକିଲ ସଙ୍ଘର ସଭାପତି  ନାରାୟଣ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ସମ୍ପାଦକ ବଟକୃଷ୍ଣ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ। ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଜିଲ୍ଲା ଓକିଲ ସଙ୍ଘ କୋଠାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଥିଲା। ଏହି  ଅବସରରେ ଜିଲ୍ଲାର ବରିଷ୍ଠ ଆଇନଜୀବୀ ମାୟାଧର ମୁଣ୍ଡ, ସତ୍ୟନାରାୟଣ ସେଠ, ଜଗନ୍ନାଥ ମୁଣ୍ଡ ଏବଂ ନାରାୟଣ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ଡା. ଗାଭଲି ପରାଗ ହର୍ଷଦ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରବଣା ବିବେକ ଏମ୍‌, ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲାର ସମସ୍ତ ଆଇନଜୀବୀ ତଥା ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର