ଉଚ୍ଚ ଅଟ୍ଟାଳିକା ପାଇଁ ବାଟ ଖୋଲିବ : ଏଫ୍‌ଏଆର୍ ୭ ପର୍ଯ୍ୟନ୍ତ ନିର୍ମାଣକୁ ଅନୁମତି ମିଳିବ, ତିନି ମହଲା କୋଠା ପାଇଁ ନିୟମ କୋହଳ ହେବ

ସବୁ ସହରରେ ଲାଗୁ ହେବ
ଆସିବ ଓଡିଏ (ପ୍ଲାନିଂ ଏବଂ ବିଲଡିଂ) ନିୟମ ୨୦୨୦

ଭୁବନେଶ୍ବର : ଏବେ ଜମି ସମ୍ମୁଖରେ ଯେତିକି ରାସ୍ତା ଅଛି ସେହି ହିସାବରେ ଘର ନିର୍ମାଣ ପାଇଁ ଅନୁମତି ଦିଆଯାଉଛି। ୬ମିଟରରୁ ଆରମ୍ଭ କରି ୬୦ମିଟର ପର୍ଯ୍ୟନ୍ତ ଓସାର ରାସ୍ତାକୁ ଦେଖି କେତେ ଅଞ୍ଚଳରେ ଘର ନିର୍ମାଣ ହୋଇପାରିବ ସେହି ଅନୁଯାୟୀ ଅନୁମତି ଦିଆଯାଉଛି। ଏଥିରେ ଫ୍ଲୋର୍ ଏରିଆ ରେସିଓ (ଏଫ୍‌ଏଆର୍‌) ୧.୫ରୁ ଆରମ୍ଭ କରି ଏଫ୍‌ଏଆର୍‌ ୩ ପର୍ଯ୍ୟନ୍ତ ଅନୁମତି ଦିଆଯାଉଛି। ହେଲେ ଆଗକୁ ଏହା ଏଫ୍‌ଏଆର୍ ୭ ପର୍ଯ୍ୟନ୍ତ ବଢ଼ିବ। ଏହାଦ୍ବାରା ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଉଚ୍ଚ ଅଟ୍ଟାଳିକାମାନ ନିର୍ମାଣ ହୋଇପାରିବ। ଏପରିକି ୫ଏକର ଜମି ସମ୍ମୁଖ‌ରେ ୬୦ମିଟର ଓସାରର ରାସ୍ତା ଥିଲେ ୫୦ରୁ ୬୦ମହଲା ପର୍ଯ୍ୟନ୍ତ କୋଠା ବି ନିର୍ମାଣ କରିହେବ। ଏନେଇ ରାଜ୍ୟ ସରକାର ଓଡିଏ (ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ) ଆଇନରେ ପରିବର୍ତ୍ତନ ଆଣିବେ। ଏଥିପାଇଁ ଓଡିଏ(ପ୍ଲାନିଂ ଏବଂ ବିଲଡିଂ) ନିୟମ ୨୦୨୦ର ଚିଠା ପ୍ରସ୍ତାବ ଜାରି କରିଛନ୍ତି।

ଫେବ୍ରୁଆରି ୨୧ତାରିଖ ସୁଦ୍ଧା ଲୋକଙ୍କ ଠାରୁ ଏନେଇ ମତାମତ ସଂଗ୍ରହ କରାଯିବ। ଏହାପରେ ଏନେଇ ଆସିଥିବା ଅଭିଯୋଗ ଓ ପ୍ରସ୍ତାବ ଉପରେ ଆଲୋଚନା କରି ବିଲ୍‌ ପ୍ରସ୍ତୁତ ହେବ।

ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଓଡିଏ(ପ୍ଲାନିଂ ଏବଂ ବିଲଡିଂ) ନିୟମ ୨୦୨୦ ସର୍ବସାଧାରଣଙ୍କ ଆବଶ୍ୟକତାକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି। ଲୋକମାନେ ଯେପରି ଘର ନିର୍ମାଣ କରିବା ସମୟରେ ନିୟମ ଫାସରେ ଛନ୍ଦି ହେବେନି ଏବଂ ନିୟମ ମାନିବା ସହିତ ନିଜ ପସନ୍ଦର ଘର କରିପାରିବେ ତାହାକୁ ଧ୍ୟାନ ଦିଆଯାଇଛି। ନୂଆ ନିୟମ ଆସିଲେ ଯେଉଁମାନେ ଉଚ୍ଚ ଅଟ୍ଟାଳିକା ନିର୍ମାଣ କରିବାକୁ ଯୋଜନା କରୁଥ‌ିବେ ସେମାନେ ବି ଏହାଦ୍ବାରା ଉପକୃତ ହୋଇପାରିବେ। ପୂର୍ବରୁ ସେଟ୍‌ ବ୍ୟାକ୍‌, ଖୋଲା ଅଞ୍ଚଳ ଛାଡ଼ିବା ନେଇ ଯେଉଁ ସବୁ ନିୟମ ଥିଲା ସେଥିରେ କିଛି କୋହଳ କରାଯାଇଛି।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏବେ ଜଣଙ୍କର ୧୨୦୦ ବର୍ଗଫୁଟର ଜମି ଥିଲେ ଏବଂ ଏହା ସମ୍ମୁଖରେ ୬ମିଟର ବା ୨୦ଫୁଟର ରାସ୍ତା ଥିଲେ ୧୮୦୦ବର୍ଗଫୁଟ ପର୍ଯ୍ୟନ୍ତ (ଏଫ୍‌ଏଆର୍‌ ୧.୫) ଘର ନିର୍ମାଣ କରିବାକୁ ଅନୁମତି ମିଳୁଛି। ଜଣେ ଲୋ ରିସ୍କ ଘର ନିର୍ମାଣ କଲେ ଦୁଇ ପାର୍ଶ୍ବରେ ଜାଗା ଛାଡ଼ିବା ସହ ସମ୍ମୁଖ ଭାଗରେ ୧ମିଟର ଜାଗା ଛାଡ଼ିବା ବାଧ୍ୟତାମୂଳକ ଥିବାବେଳେ ନୂଆ ନିୟମରେ ଘରର ସମ୍ମୁଖ ଓ ପଛ ପାର୍ଶ୍ବକୁ ମିଶାଇ ୨ମିଟର ଜାଗା ଛାଡ଼ିବାକୁ ହେବ। ଏପରିକି ଯଦି କେହି ୧୧୫ବର୍ଗମିଟର ଜମିରେ ଘର ନିର୍ମାଣ କରୁଥିବେ ତେବେ ସେ ୧୦ମିଟର ଉଚ୍ଚତା ପର୍ଯ୍ୟନ୍ତ ଘର କଲେ ଏଥିପାଇଁ ଏଫ୍‌ଏଆର୍‌ ବାଧକ ରହିବନି। ପୂର୍ବରୁ ଏଥିପାଇଁ ଏଫ୍‌ଏଆର୍‌ ୧.୫ ଥିବାବେଳେ ନୂ୍ଆ ନିୟମରେ ଏହା ଏଫ୍‌ଏଆର୍‌ ୨.୭୫ପର୍ଯ୍ୟନ୍ତ ଯାଇପାରିବ। ଯେଉଁମାନେ ଛୋଟ ଜମିରେ ଘର କରୁଥିବେ ସେମାନଙ୍କ ପାଇଁ ବହୁତ ସୁବିଧା ହେବ। ଆଉ ସର୍ବକ୍ଷମାରେ ଆବେଦନ କରିବାକୁ ପଡ଼ିବନି।

ଯେଉଁମାନେ ବ୍ୟାବସାୟିକ ଓ ଆବାସିକ ଉଦ୍ଦେଶ୍ୟରେ ଘର ନିର୍ମାଣ କରୁଥିଲେ ସେମାନଙ୍କ ପାଇଁ ସର୍ବାଧିକ ଏଫ୍‌ଏଆର୍‌ ୧.୭୫ ରହୁଥିଲ‌‌ା। ନୂଆ ନିୟମରେ ଜମି ସମ୍ମୁଖରେ ରାସ୍ତା ଯେତିକି ଥିବ ସେହି ଅନୁଯାୟୀ ଏଫ୍‌ଏଆର୍‌ ଦିଆଯିବ। ଏହାଦ୍ବାରା ଲୋକମାନେ ଏଫ୍‌ଏଆର୍‌ ୧.୭୫ରୁ ଅଧିକ ଅଞ୍ଚଳରେ ନିର୍ମାଣ କରିପାରିବେ।

ନୂଆ ନିୟମ ଲାଗୁ ହେଲେ ୬ମିଟର ଓସାରର ରାସ୍ତା ଥିଲେ ଜମିରେ ସର୍ବାଧିକ ୧.୫୦ଏଫ୍‌ଏଆର୍‌, ୬ରୁ ୯ମିଟର ପର୍ଯ୍ୟନ୍ତ ରାସ୍ତା ଥିଲେ ସର୍ବାଧିକ ଏଫ୍‌ଏଆର୍‌ ୨, ୯ରୁ ୧୨ମିଟର ପର୍ଯ୍ୟନ୍ତ ରାସ୍ତା ଥିଲେ ସର୍ବାଧିକ ଏଫ୍‌ଏଆର୍‌ ୩, ୧୨ରୁ ୧୮ମିଟର ପର୍ଯ୍ୟନ୍ତ ରାସ୍ତା ଥିଲେ ସର୍ବାଧିକ ଏଫ୍‌ଏଆର୍‌ ୪, ୧୮ରୁ ୩୦ମିଟର ପର୍ଯ୍ୟନ୍ତ ରାସ୍ତାଥିଲେ ସର୍ବାଧିକ ଏଫ୍‌ଏଆର୍‌ ୫, ୩୦ରୁ ୬୦ମିଟର ପର୍ଯ୍ୟନ୍ତ ରାସ୍ତା ଥିଲେ ସର୍ବାଧିକ ଏଫ୍‌ଏଆର୍‌ ୬ ଏବଂ ୬୦ମିଟରରୁ ଅଧିକ ରାସ୍ତା ଓସାର ଥିଲେ ସର୍ବାଧିକ ଏଫ୍‌ଏଆର୍‌ ୭ ରହିବ।
ଉଦାହରଣ ସ୍ବରୂପ ଯଦି ୨.୫ଏକର ଜମି ସମ୍ମୁଖରେ ୬୦ମିଟର ବା ଏହାଠାରୁ ଅଧିକ ରାସ୍ତା ଥିଲେ ୭୦ ହଜାର ବର୍ଗମିଟର ପର୍ଯ୍ୟନ୍ତ ଘର ନିର୍ମାଣ କରି ହେବ। ଏଥିରେ ଗ୍ରାଉଣ୍ଡ କଭରେଜ୍ (ଘରର ନିର୍ମାଣ ଅଞ୍ଚଳ) ମୋଟ୍‌ ଜମିର ୩୦% ଥିଲେ ୨୩ମହଲା ପର୍ଯ୍ୟନ୍ତ କୋଠା ନିର୍ମାଣ କରିହେବ। ଯଦି ମୋଟ୍‌ ଜମିର ୨୦% ଅଞ୍ଚଳରେ ଘର ନିର୍ମାଣ କରୁଥିବେ ତେବେ ୩୫ମହଲା ପର୍ଯ୍ୟନ୍ତ କୋଠା ନିର୍ମାଣ କରିହେବ। କେବଳ ଏତିକି ନୁହେଁ ଯେତେ ବଡ଼ ଜମି ଥିବ ସେତେ ଉଚ୍ଚା କୋଠା ନିର୍ମାଣ କରିହେବ।

ସେହିପରି ଉଚ୍ଚ ଅଟ୍ଟାଳିକା ମଲ୍‌, ଆପାର୍ଟମେଣ୍ଟ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ ସମେତ ୧୨ମିଟରରୁ ଅଧିକ ଉଚ୍ଚତାର କୋଠା କ୍ଷେତ୍ରରେ ସେଟ୍‌ ବ୍ୟାକ୍ ଆଗରୁ ୧୨ମିଟର ଥିବାବେଳେ ଏହାକୁ ୯ମିଟରକୁ କମାଇ ଦିଆଯାଇଛି। ଏହାସହ ଗ୍ରାଉଣ୍ଡ କଭରେଜ୍‌ରେ ବି କୋହଳ କରାଯିବ। ସେମାନେ ସେମାନଙ୍କ ପସନ୍ଦ ସ୍ଥାନରେ ଖୋଲା ସ୍ଥାନ ଛାଡ଼ିପାରିବେ।

ଏହାସହ ଟିଡିଆର୍‌ ନିୟମକୁ ଅଗ୍ରାଧିକାର ଦିଆଯିବ। ଯଦି କେହି କୌଣସି ଗୃହ ପ୍ରକଳ୍ପ ବା ଜମି ପ୍ଲଟିଂ କରି ବିକ୍ରି କରିବା ସମୟରେ ଲେ ଆଉଟ୍ ପ୍ଲାନ୍ ଅନୁମୋଦନ କରି ୪୦ଫୁଟ/୬୦ଫୁଟ/୮୦ଫୁଟ ରାସ୍ତା‌ ଦେଉଥିବ, ତେବେ ସେମାନଙ୍କୁ ଉନ୍ନୟନ କର୍ତ୍ତୃପକ୍ଷ ଟିଡିଆର୍‌ ଦେବେ। ଅଧିକ ଖୋଲା ସ୍ଥାନ ଛାଡ଼ିଲେ ବି ଟିଡିଆର୍ ମିଳିବ। ଯାହାକୁ ସେ ଅନ୍ୟ ସ୍ଥାନରେ ନିର୍ମାଣ କ୍ଷେତ୍ରରେ ଏଫ୍‌ଏଆର୍‌ ବଢ଼ାଇବା ପାଇଁ ବ୍ୟବହାର କରିପାରିବେ। ଟିଓଡି ଜୋନ୍ (ଟ୍ରାନଜିଟ୍ ଓରିଏଣ୍ଟେଡ୍‌ ଡେଭଲପମେଣ୍ଟ ଜୋନ୍‌)ରେ ଲୋକଙ୍କୁ ବିନା ପାଚେରିରେ କୋଠା ନିର୍ମାଣ କରିବାକୁ ‌‌ପ୍ରୋତ୍ସାହିତ କରାଯିବ। ସେଠା‌ରେ ସେଟ୍‌ବ୍ୟାକ୍ ନିୟମ କୋହଳ ନେଇ ବି ନିୟମ ରହିବ।

ଏସବୁ ବାଦ୍ କୌଣସି ଐତିହ୍ୟ କ୍ଷେତ୍ର ବା ସ୍ବତନ୍ତ୍ର ଉଦ୍ଦେଶ୍ୟରେ କିଛି ନିର୍ମାଣ କରିବାକୁ ଥିଲେ ସ୍ଥାନୀୟ ଉନ୍ନୟନ କର୍ତ୍ତୃପକ୍ଷ ସେହି ଅଞ୍ଚଳ ପାଇଁ ଏହି ନିୟମରେ ପରିବର୍ତ୍ତନ ଆଣିପାରିବାର ସୁବିଧା ରହିଛି।

ସମ୍ବନ୍ଧିତ ଖବର