ଡାକ୍ତରଖାନାରୁ ଶିଶୁକନ୍ୟା ଚୋରି ଘଟଣା: ଗିରଫ ହେଲେ ଶିଶୁକନ୍ୟାର ବାପା ଓ ଆଈ

ସୋନପୁର: ବହୁଚର୍ଚ୍ଚିତ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏକ ନବଜାତକ ଶିଶୁକନ୍ୟା ଶନିବାର ଚୋରି ହେବା ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା । ତେବେ ଏହି ଘଟଣା ଆଜି ଅନ୍ୟ ମୋଡ଼ ନେଇଛି । ଶିଶୁକନ୍ୟାକୁ ଅପହରଣ କରାଯାଇ କିଣାବିକା ଉଦ୍ଦେଶ୍ୟରେ ଅନ୍ୟକୁ ଦେଇ ଶିଶୁ ଚୋରି ଯୋଜାନା କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ଘଟଣାରେ ସୋନପୁର ପୁଲିସ ଅପହରଣ ତଥା ଶିଶୁ କିଣାବିକା ମାମଲା ରୁଜୁ କରିଛି । ଏହି ଘଟଣାରେ ସୋମବାର ଶିଶୁକନ୍ୟାର ବାପା ଗଜେନ୍ଦ୍ର ତାଣ୍ଡିଆ (୨୪) ଏବଂ ଆଇ ପାନ୍ତି ଜାଲ(୪୨)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସିସିଟିଭି ଫୁଟେଜ ଏବଂ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ଅପହରଣ ଏବଂ ଶିଶୁ କିଣାବିକା ମାମଲା ରୁଜୁ କରାଯାଇ ବାପା ଗଜେନ୍ଦ୍ର ଓ ଆଇ ପାନ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ପୁଷ୍ପେନ୍ଦୁ ସାଗର ସୂଚନା ଦେଇଛନ୍ତି । ଅଧିକ ତଦନ୍ତ ପାଇଁ ବାପା ଗଜେନ୍ଦ୍ର ଓ ଆଇ ପାନ୍ତିଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରାଯିବ ବୋଲି ଆଆଇସି ଶ୍ରୀ ସାଗର ସୂଚନା ଦେଇଛନ୍ତି ।

ଉଦ୍ଧାର ହୋଇଥିବା ଶିଶୁକନ୍ୟା ଏବଂ ତାର ବାପା, ମାର ଡିଏନଏ ପରୀକ୍ଷା ପାଇଁ ପଠାଯିବ । ଡିଏନଏ ପରୀକ୍ଷା ରିପୋର୍ଟ ଆସିଲା ପରେ ବାସ୍ତବରେ ସେହି ଶିଶୁକନ୍ୟା କି ନୁହେଁ ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ଏଠାରେ ସୂଚନାଯୋଗ୍ୟଯେ ବୀରମହାରାଜପୁର ବ୍ଲକ ଷଣ୍ଢା ଗ୍ରାମର ଗଜେନ୍ଦ୍ର ତାଣ୍ଡିଆଙ୍କ ପତ୍ନୀ ସନ୍ତୋଷିନୀ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ସକାଳ ୯.୧୫ ମିନିଟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ଗଜେନ୍ଦ୍ରଙ୍କ ଶାଶୁ ତଥା ଶିଶୁକନ୍ୟାର ଆଇ ବୌଦ୍ଧ ଜିଲ୍ଲା ରିଶିବନ୍ଧ ଗ୍ରାମର ପାନ୍ତି ଜାଲ ମଧ୍ୟ ତାଙ୍କ ସହ ଥିଲେ ।

ଶନିବାର ସକାଳ ୮ଟାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଟିକା ଗ୍ରହଣ କେନ୍ଦ୍ର ସମ୍ମୁଖରେ ଆଇ ପାନ୍ତି ଉକ୍ତ ଶିଶୁକନ୍ୟାକୁ ଧରି ଜଣେ ଅଚିହ୍ନା ମହିଳାଙ୍କ ସହ ବେଶ କିଛି ସମୟ କଥାବାର୍ତ୍ତା ହୋଇଥିଲେ । ଏହାର କିଛି ସମୟ ପରେ ଆଇ ପାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫାଟକ ସମ୍ମୁଖରେ ଉକ୍ତ ଶିଶୁ କନ୍ୟାକୁ ସେହି ଅଚିହ୍ନା ମହିଳାଙ୍କୁ ଦେଉଥିବାରୁ ସିସି ଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି । ଅଚିହ୍ନା ମହିଳା ଜଣକ ଶିଶୁକନ୍ୟାକୁ ଧରି ଅଗ୍ନିଶମ କାର୍ଯ୍ୟାଳୟ ପଟକୁ ଯାଇଛି । ଏହି ସମୟରେ ଅପରପଟରୁ ଜଣେଯୁବକ ବାଇକରେ ଆସି ସମ୍ପୃକ୍ତ ମହିଳାଙ୍କୁ ବସାଇ ଚାଲିଯାଇଥିବା ସିସି ଟିଭି ଫୁଟେଜରୁ ଜଣାପଡିଛି । ରବିବାର ଅର୍ଜୁନପୁର ଶରଧାପାଲି ରାସ୍ତା ପ୍ରତାପପୁର ନିକଟସ୍ତ ପଡ଼ିଆରୁ ଶିଶୁକନ୍ୟା ଉଦ୍ଧାର ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁ ବିଭାଗରେ ଭର୍ତ୍ତି ହୋଇ ଶିଶୁକନ୍ୟାଟି ଚିକିତ୍ସିତ ହେଉଛି । ଶିଶୁକନ୍ୟାଟି ସମ୍ପୁର୍ଣ୍ଣ ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ଶିଶୁକନ୍ୟାଟିକୁ ନେଇଥିବା ମହିଳା ଏବଂ ତାଙ୍କୁ ସହଯୋଗ କରିଥିବା ଯୁବକ ଜଣକ ବିଷୟରେ ବର୍ତ୍ତମାନ ସୁଦ୍ଧା କିଛି ଜଣାପଡିନାହିଁ । ବାପା ଗଜେନ୍ଦ୍ର ଓ ଆଇ ପାନ୍ତିଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କଲାପରେ ଘଟଣା ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି ।

ସମ୍ବନ୍ଧିତ ଖବର