୨୧ବର୍ଷର ଶାସନରେ ନୂଆ ବସଷ୍ଟାଣ୍ଡ ଶୂନ: କଂଗ୍ରେସ

ଭୁବନେଶ୍ବର : ୨୧ ବର୍ଷର ଶାସନ ଭିତରେ ରାଜ୍ୟର ୩୦ ଜିଲ୍ଲାରେ ବସଷ୍ଟାଣ୍ଡ ହୋଇପାରିଲା ନାହିଁ। ରାଜ୍ୟ ସଡ଼କ ପରିବହ ନିଗମ ଅଧୀନରେ ଥିବା ୩୮ଟି ବସଷ୍ଟାଣ୍ଡ ଭିତରୁ ୫ଟି ବସ୍‌ଷ୍ଟାଣ୍ଡରେ ସର୍ବନିମ୍ନ ମୌଳିକ ସୁବିଧା ସରକାର ଯୋଗାଇ ପାରିଲେ ନାହିଁ। ହେଲେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଆଖିରେ ରଖି ନବୀନ ସରକାର ମିଛର ହୋଲସେଲ୍‌ ବଜାର ଖୋଲିବାକୁ ଆରମ୍ଭ କରିଛନ୍ତି ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି।

ଆଜି କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ଆବାହକ ସତ୍ୟପ୍ରକାଶ ନାୟକ କହିଲେ, ୨୦୦୦ ମସିହାରେ କଂଗ୍ରେସ ସରକାର ଛାଡ଼ିବା ସମୟରେ ୩୮ଟି ବସଷ୍ଟାଣ୍ଡ ବ୍ୟତୀତ ଆଜି ପର୍ଯ୍ୟନ୍ତ ନୂଆ ବସଷ୍ଟାଣ୍ଡ ହୋଇପାରିଲା ନାହିଁ। ନବୀନ ବାବୁ ଗଞ୍ଜାମ ଜିଲ୍ଲାରୁ ବାରମ୍ବାର ନିର୍ବାଚିତ ହୋଇ ଆସିବା ସତ୍ତ୍ବେ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁରଠାରେ ବସଷ୍ଟାଣ୍ଡରେ ମୌଳିକ ସୁବିଧା ନାହିଁ। ରାଜ୍ୟର ୩୦ ଜିଲ୍ଲା ଭିତରୁ ମାତ୍ର ୨୦ଟି ଜିଲ୍ଲାକୁ ଘରୋଇ ବସ୍ ଚଳାଚଳ କରୁଥିବା ବେଳେ ୧୦ଟି ଆଦିବାସୀ ଜିଲ୍ଲା ପାଇଁ ବସ୍ ଚଳାଚଳ ବ୍ୟବସ୍ଥା ନାହିଁ। ଘରୋଇ ବସ୍ ସଂଖ୍ୟାରେ ରାଜ୍ୟରେ ୧୫ ହଜାର ଛୁଇଁଥିବା ବେଳେ ସରକାରୀ ବସ୍ ସଂଖ୍ୟା ମାତ୍ର ୫ଶହରେ ସୀମିତ। ଆଜି ପର୍ଯ୍ୟନ୍ତ ଗୋଟିଏ ଅନ୍ତଃରାଜ୍ୟ ବସ୍ ଟର୍ମିନସ୍‌ ନିର୍ମାଣ ହୋଇପାରିଲା ନାହିଁ।

ରାଜ୍ୟରେ ଯାତ୍ରୀ ପରିବହ ବ୍ୟବସ୍ଥାର ଜୀବନରେଖା କୁହାଯାଉଥିବା ବସ୍ ପରିବହନ ବ୍ୟବସ୍ଥା ପାଇଁ ୧୫ ହଜାର ବସ୍ ପାଇଁ ୩୩ଟି ପୂର୍ଣ୍ଣକ୍ଷମ ବସଷ୍ଟାଣ୍ଡ ରହିଛି। ଏ ପର୍ଯ୍ୟନ୍ତ ୧୧୪ ପୌରାଞ୍ଚଳ, ୩୧୪ ବ୍ଲକ୍ ଓ ୫୮ ସବ୍‌ଡିଭିଜନ୍‌ ପାଇଁ ବସଷ୍ଟାଣ୍ଡର ବ୍ୟବସ୍ଥା ନାହିଁ। ତେଣୁ ରାଜ୍ୟରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଉ। ରାଜ୍ୟରେ ୮୯ଟି ଇନଡୋର୍‌ ଷ୍ଟାଡିୟମ୍ ପାଇଁ ସରକାର ନେଇଥିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। ମାତ୍ର ସବୁ ଷ୍ଟାଡିୟମ୍‌ର ନାମ ବିଜୁବାବୁଙ୍କ ନାମରେ ନାମିତ କରିବା ହୀନ ରାଜନୀତିର ପରିଚୟ। ରାଜ୍ୟରେ ଅନେକ ପ୍ରଥିତଯଶା ଜନନାୟକ ଓ କିଂବଦନ୍ତି ଖେଳାଳିଙ୍କ ନାମରେ ଷ୍ଟାଡିୟମ୍‌ର ନାମକରଣ କରାଯାଉ ବୋଲି ଶ୍ରୀ ନାୟକ ଦାବି କରିଥି‌ଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଂଜନ ଦାଶ, ପ୍ରଶାନ୍ତ ଶତପଥୀ, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର